ଆଦାନୀଙ୍କ ବିରୁଦ୍ଧରେ ମୋତେ କହିବା ପାଇଁ ବାଧ୍ୟ କରାଯାଇଥିଲା: କଂଗ୍ରେସକୁ ଟାର୍ଗେଟ କରି କହିଲେ ଗୌରଭ ବଲ୍ଲଭ

Published: Apr 7, 2024, 11:51 am IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନେତାଙ୍କ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ଧାରା ବନ୍ଦ ହେବାର କୌଣସି ସଂକେତ ଦେଖାଯାଉନାହିଁ। ନିକଟରେ ଗୌରବ ବଲ୍ଲଭ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଗୌରବ ବଲ୍ଲଭ ଦଳ ଛାଡିବା ପରେ କଂଗ୍ରେସ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। ଶନିବାର ଦିନ ଏନଡିଟିଭିକୁ ଗୌରଭ ବଲ୍ଲଭ କହିଛନ୍ତି ଯେ, କଂଗ୍ରେସ ତାଙ୍କୁ ଆଦାନୀଙ୍କ ବିରୋଧରେ କହିବାକୁ ବାଧ୍ୟ କରିଛି। ସେ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବେ ନାହିଁ ଏବଂ ‘ଧନ ସୃଷ୍ଟିକର୍ତ୍ତା’ଙ୍କୁ ଗାଳି କରିପାରିବେ ନାହିଁ ବୋଲି ଗୌରଭ ବଲ୍ଲଭ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ଗୌରଭ ବଲ୍ଲଭ ଏନଡିଟିଭିକୁ କହିଛନ୍ତି ଯେ, “ମୁଁ ଆଦାନୀଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। କିନ୍ତୁ ଯେତେବେଳେ SEBI ଆଦାନୀଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା, ମୁଁ ସମସ୍ତ କଂଗ୍ରେସ ନେତାଙ୍କୁ କହିଥିଲି ଯେ ବର୍ତ୍ତମାନ ଆମେ ଆଦାନୀ ପ୍ରସଙ୍ଗକୁ ଛାଡିଦେବା ଉଚିତ୍। ଧନ ସୃଷ୍ଟିକର୍ତ୍ତାଙ୍କୁ ଦୁର୍ବ୍ୟବହାର ବନ୍ଦ କରିବା ଉଚିତ୍। କିନ୍ତୁ କଂଗ୍ରେସ ମୋ କଥା ମାନିନଥିଲା”

ଏହା ସହିତ ସେ କଂଗ୍ରେସ ପାର୍ଟିର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ, “କଂଗ୍ରେସର ସମସ୍ତ ବଡ ବିଭାଗ PA ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। PA ର କାମ PA ଲୋକଙ୍କୁ କରିବାକୁ ଦିଅ। ରାଜନେତାମାନଙ୍କୁ ରାଜନୀତି କରିବାକୁ ଦେବା ଉଚିତ। ”

ଏହାପୂର୍ବରୁ ଦଳ ଛାଡିବା ପରେ ଗୌରଭ ବଲ୍ଲଭ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ଉପରେ କଂଗ୍ରେସର ଆଭିମୁଖ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳର ଏହି ଆଭିମୁଖ୍ୟକୁ ନେଇ ସେ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ, କାରଣ ସେ ଜନ୍ମରୁ ହିନ୍ଦୁ ଏବଂ ବୃତ୍ତି ଅନୁଯାୟୀ ଶିକ୍ଷକ। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ସନାତନଙ୍କ ବିରୁଦ୍ଧରେ ଅଛନ୍ତି।

Related posts