ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି: ସ୍ଥଗିତ ରହିଲା ଏହି ଲୋକସଭା ଆସନରେ ନିର୍ବାଚନ

Published: Apr 10, 2024, 9:33 am IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବେତୁଲ ଲୋକସଭା ଆସନରୁ ବିଏସପି ପ୍ରାର୍ଥୀ ଅଶୋକ ଭଲାୱି ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଏହି କାରଣରୁ ଏହି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏ ସମ୍ପର୍କରେ ବେତୁଲ କଲେକ୍ଟର ଏକ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛନ୍ତି। ଏହା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ ଏଠାରେ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏପ୍ରିଲ୍ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏଠାରେ ମତଦାନ ଅନୁଷ୍ଠିତ ହେବ।

ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି। ମଧ୍ୟପ୍ରଦେଶରେ ୨୯ ଟି ଲୋକସଭା ଆସନ ଅଛି, ସେଥିମଧ୍ୟରୁ ବର୍ତ୍ତମାନ ୨୮ରେ ନିର୍ବାଚନ ହେବାକୁ ଯାଉଛି। କଲେକ୍ଟର ନରେନ୍ଦ୍ର ସୂର୍ଯ୍ୟବଂଶୀ କହିଛନ୍ତି ଯେ, ବିଏସପି ପ୍ରାର୍ଥୀ ଅଶୋକ ଭଲାୱିଙ୍କ ମୃତ୍ୟୁକୁ ନେଇ ନିର୍ବାଚନ ଆୟୋଗଙ୍କୁ ଏକ ରିପୋର୍ଟ ପଠାଯାଇଛି। ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ ର ଧାରା ୫୨ ଅନୁଯାୟୀ, ଏପ୍ରିଲ ୨୬ ତାରିଖରେ ହେବାକୁ ଥିବା ଭୋଟ୍ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ନିଆଯିବ।

Related posts