ଆଇପିଏଲ ୨୦୨୪: ରାଜସ୍ଥାନର ପ୍ରଥମ ପରାଜୟ, ରୋମାଞ୍ଚକର ମ୍ୟାଚରେ ୩ ୱିକେଟ୍ ରେ ଜିତିଲା ଗୁଜୁରାଟ

Published: Apr 11, 2024, 7:17 am IST

ନୂଆଦିଲ୍ଲୀ: ସୱାଇ ମାନ୍ ସିଂ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଗୁଜୁରାଟ ଟାଇଟାନ୍ସ ୩ ୱିକେଟରେ ପରାସ୍ତ କରିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୯୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୁଜୁରାଟର ଭଲ ଆରମ୍ଭ ହୋଇଥିଲା, ଯେଉଁଠାରେ ଶୁଭମାନ ଗିଲ ଏବଂ ସାଇ ସୁଦର୍ଶନଙ୍କ ମଧ୍ୟରେ ୬୪ ରନର ଭାଗିଦାରୀ ହୋଇଥିଲା। କିନ୍ତୁ ଏହା ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଲାଗିଲା। ଶେଷରେ ମ୍ୟାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା। ଅନ୍ତିମ ଓଭରରେ ୧୧ ଟି ବଲରେ ୨୪ ରନର ବିସ୍ଫୋରକ ଇନିଂସ ଖେଳି ଗୁଜୁରାଟର ବିଜୟରେ ରସିଦ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଗୁଜୁରାଟ ପାଇଁ ସୁଦର୍ଶନ ୩୫ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ କୁଲଦୀପ ସେନଙ୍କ ଘାତକ ବୋଲିଂ ଗୁଜୁରାଟର ମଧ୍ୟମ କ୍ରମକୁ ଦୋହଲାଇ ଦେଇଥିଲା। ସେ ୩ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଗୁଜୁରାଟକୁ ବ୍ୟାକ ଫୁଟକୁ ଦେଇଥିଲେ। ଗିଲ ୪୪ ବଲରେ ୭୨ ରନର ଇନିଂସ ଖେଳିଥିଲେ, କିନ୍ତୁ ଅନ୍ୟ ପ୍ରାନ୍ତରୁ ସହଯୋଗ ଅଭାବରୁ ମ୍ୟାଚ୍ ଫସିଯାଇଥିଲା।

୧୫ ଓଭର ପରେ ଗୁଜୁରାଟର ସ୍କୋର ୪ ୱିକେଟ୍ ହରାଇ ୧୨୪ ରନ୍ ଥିଲା ଏବଂ ଜିତିବା ପାଇଁ ୩୦ ଟି ବଲରେ ସେମାନଙ୍କୁ ୭୩ ରନ୍ ଆବଶ୍ୟକ ଥିଲା। ଗୁଜୁରାଟ ଅଧିନାୟକ ଶୁଭମାନ ଗିଲ ୧୬ ତମ ଓଭରରେ ୟୁଜବେନ୍ଦ୍ର ଚହଲଙ୍କ ଦ୍ଵାରା ଷ୍ଟମ୍ପ ଆଉଟ ହୋଇଥିଲେ। ୭୨ ରନ୍ ସ୍କୋର କରିବା ପରେ ଗିଲ ପାଭିଲିୟନକୁ ଫେରିଥିଲେ। ଗୁଜୁରାଟକୁ ଅନ୍ତିମ ୩ ଓଭରରେ ୪୨ ରନ ଆବଶ୍ୟକ କରୁଥିବାରୁ ରାହୁଲ ତେୱାତିଆ ଏବଂ ଶାହାରୁଖ ଖାନଙ୍କ ଭଳି ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିଜରେ ଥିଲେ। ୮ ଟି ବଲରେ ୧୪ ରନର ଶାହାରୁଖଙ୍କ ଇନିଂସ ଗୁଜୁରାଟର ବିଜୟର ଆଶାକୁ ବଢାଇ ଦେଇଥିଲା, କିନ୍ତୁ ସେ ଆବେଶ ଖାନଙ୍କ ଦ୍ଵାରା ଆଉଟ ହୋଇଯାଇଥିଲେ। ଶେଷ ଓଭରରେ ଜିତିବା ପାଇଁ ଗୁଜୁରାଟର ୧୫ ରନ୍ ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ରସିଦ ଖାନ ଶେଷ ଓଭରର ଶେଷ ବଲରେ ଚୌକା ମାରି ଆଇପିଏଲ ୨୦୨୪ ରେ ରାଜସ୍ଥାନର ବିଜୟରଥକୁ ରୋକିବାରେ ସଫଳ ହୋଇଥିଲେ।

Related posts