ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ PMLA ଅଧୀନରେ ଗିରଫ କରାଯାଇଛି। ପ୍ରାୟ ୯ ଘଣ୍ଟାର ଜେରା ପରେ ଇଡି ତାଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଦିନ ବିଧାୟକ ଅମାନତୁଲ୍ଲା ଖାନ ଜେରା ପାଇଁ ଇଡିରେ ହାଜର ହୋଇଥିଲେ।
ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିବା ଆମ୍ ଆଦମୀ ପାର୍ଟି ନେତା ତଥା ବିଧାୟକ ଅମାନତୁଲ୍ଲା ଖାନଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହା ସହିତ ସେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସମ୍ପତ୍ତି ଭଡା ଉପରେ ଦେଇଛନ୍ତି। ଏହାସହ ସେ ଦିଲ୍ଲୀ ୱାକଫ ବୋର୍ଡର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ୱାକଫ ବୋର୍ଡର ତତ୍କାଳୀନ ସିଇଓ ଏଭଳି ବେଆଇନ ନିଯୁକ୍ତି ବିରୋଧରେ ଏକ ବିବୃତ୍ତି ଦେଇଥିଲେ।
ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ ଗିରଫ ହେବା ପରେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ ତାଙ୍କ ଘରକୁ ଯାଇଥିଲେ। ରାଜ୍ୟସଭା ସାଂସଦ ସଞ୍ଜୟ ସିଂ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୋଦୀ ସରକାର ଅପରେସନ୍ ଲୋଟସରେ ସମ୍ପୃକ୍ତ ଅଛନ୍ତି। ନକଲି ମାମଲା ରୁଜୁ କରି ମନ୍ତ୍ରୀ ତଥା ବିଧାୟକଙ୍କୁ ଗିରଫ କରାଯାଉଛି। ଅମାନତୁଲ୍ଲା ଖାନଙ୍କ ବିରୋଧରେ ଭିତ୍ତିହୀନ ମାମଲା ରୁଜୁ ହୋଇଛି।”
ଏହି ମାମଲାରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସେପ୍ଟେମ୍ବର ୨୦୨୨ ରେ ଅମାନତୁଲ୍ଲା ଖାନଙ୍କୁ ପଚରାଉଚରା କରିଥିଲା। ଏହାକୁ ଆଧାର କରି ଏସିବି ଚାରୋଟି ସ୍ଥାନରେ ଚଢାଉଉ କରିଥିଲା, ଯେଉଁଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ ଦୁଇଟି ବେଆଇନ ତଥା ଲାଇସେନ୍ସପ୍ରାପ୍ତ ପିସ୍ତଲ, କାର୍ଟ୍ରିଜ ଏବଂ ଗୁଳି ଜବତ କରାଯାଇଥିଲା।
ଏହା ପରେ ଅମାନତୁଲ୍ଲାଙ୍କ ବିରୋଧରେ ପ୍ରମାଣ ଏବଂ ଆପତ୍ତିଜନକ ଜିନିଷ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ୨୮ ଡିସେମ୍ବର ୨୦୨୨ରେ ଜାମିନରେ ମୁକ୍ତ କରାଯାଇଥିଲା।



