ଆଫଗାନିସ୍ତାନ ବିପକ୍ଷରେ ବିଜୟ ଲକ୍ଷ୍ୟରେ ଭାରତ : ବିଜୟ ଶଙ୍କରଙ୍କୁ ନେଇ ଆଶଙ୍କା

Published: Jun 22, 2019, 9:39 am IST

ଇଂଲଣ୍ଡରେ ଅନୁଷ୍ଠିତ କ୍ରିକେଟ ବିଶ୍ବକପ୍‌ର ୨୮ ତମ ମ୍ୟାଚ୍‌ରେ ଭାରତର ମୁକାବିଲା ଆଫଗାନିସ୍ତାନ ସହିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହେବାର ଆଶା ରଖିଛି। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଭାରତ ନିକଟରେ ମୋଟ୍‌ ୭ ପଏଣ୍ଟ ରହିଛି। ଦଳ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆକୁ ୩୬ ଓ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ ଓ ବୋଲର ବେଶ୍‌ ଭଲ ଫର୍ମରେ ଥିବାରୁ ଦୁର୍ବଳ ଆଫଗାନିସ୍ତାନକୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ଶିଖର ଧାୱନ୍‌ଙ୍କ ସ୍ଥାନରେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ଓପନ୍‌ କରିଥିବା କେଏଲ୍‌ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ କୋହଲି, ପାଣ୍ଡ୍ୟା ଓ ଧୋନି ମଧ୍ୟ ଭଲ ପ୍ରଦର୍ଶନ କରିବା ଆଶା ରହିଛି। ଅଭ୍ୟାସ ସମୟରେ ବିଜୟ ଶଙ୍କର ଆହତ ହୋଇଥିବାରୁ ଶଙ୍କରଙ୍କ ସ୍ଥାନରେ ପନ୍ତ କିମ୍ବା କାର୍ତ୍ତିକ ଖେଳିବାର ସମ୍ଭାବନା ରହିଛି।
ମ୍ୟାଚ୍‌ ସମୟ : ଅପରାହ୍ନ ୩:୦୦
ସ୍ଥାନ : ଏଜ୍‌ ବାଉଲ୍‌ସ, ସାଉଥାମ୍ପଟନ୍‌

Related posts