ଲୋକସଭା ନିର୍ବାଚନ ଲଢିବେ ଜେଲରେ ଥିବା କଟ୍ଟରପନ୍ଥୀ ଅମୃତପାଲ ସିଂ, ଓକିଲଙ୍କ ଦାବି

Published: Apr 25, 2024, 6:56 pm IST

ଚଣ୍ଡିଗଡ଼: ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଆସାମରେ ଜେଲରେ ଥିବା କଟ୍ଟରପନ୍ଥୀ ଶିଖ ଅମୃତପାଲ ସିଂଙ୍କ ଓକିଲ ବୁଧବାର ଦିନ ଦାବି କରିଛନ୍ତି ଯେ, ସେ (ସିଂ) ପଞ୍ଜାବର ଖଡୁର ସାହିବ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅମୃତପାଲଙ୍କ ପିତା ତରସେମ ସିଂ କହିଛନ୍ତି ଯେ, ତାଙ୍କ ପୁଅଙ୍କୁ ଭେଟିବା ପରେ ସେ ଏ ସମ୍ପର୍କରେ ମନ୍ତବ୍ୟ ଦେବେ। ତେବେ ଅମୃତପାଲ ସିଂ ରାଜନୀତିରେ ଯୋଗଦେବାକୁ ଆଗ୍ରହ ଦେଖାଇ ନ ଥିବା ସେ କହିଛନ୍ତି।

ଅମୃତପାଲ ସିଂଙ୍କ ଓକିଲ ରାଜଦେବ ସିଂ ଖାଲସା ଦାବି କରିଛନ୍ତି ଯେ, ସେ ବୁଧବାର ଦିନ ଦିବ୍ରୁଗଡ ଜେଲରେ ଅମୃତପାଲଙ୍କୁ ଭେଟି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରିଛନ୍ତି।

ଖାଲସା କହିଛନ୍ତି ଯେ, ମୁଁ ଆଜି ଭାଇ ସାହେବ (ଅମୃତପାଲ ସିଂ )ଙ୍କୁ ଦିବ୍ରୁଗଡ ସେଣ୍ଟ୍ରାଲ ଜେଲରେ ଭେଟିଥିଲି ଏବଂ ସାକ୍ଷାତ ସମୟରେ ମୁଁ ତାଙ୍କୁ ଅନୁରୋଧ କରିଥିଲି ଯେ ‘ଖାଲସା ପନ୍ଥ’କୁ ଦୃଷ୍ଟିରେ ରଖି ସେ ଏଥର ସଂସଦର ସଦସ୍ୟ ହେବା ପାଇଁ ଖଡୁର ସାହିବରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ।

ଖାଲସା ଦାବି କରିଛନ୍ତି ଯେ, “ଭାଇ ସାହେବ ପନ୍ଥଙ୍କ ସ୍ୱାର୍ଥରେ ମୋର ଅନୁରୋଧ ଗ୍ରହଣ କରିଛନ୍ତି… ସେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।”

‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କୁ ଗତ ବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରାଯାଇଥିଲା। ଅମୃତପାଲ ତାଙ୍କ ନଅ ସହଯୋଗୀଙ୍କ ସହ ବର୍ତ୍ତମାନ ଦିବ୍ରୁଗଡ ଜେଲରେ ଅଛନ୍ତି।

Related posts