ସନ୍ଦେଶଖାଲୀରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ: ବୋମା ନିଷ୍କ୍ରିୟ କରିବା ପାଇଁ ପହଞ୍ଚିଲା ଏନଏସଜି

Published: Apr 26, 2024, 8:41 pm IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଏବଂ ହିଂସା ପାଇଁ ସମ୍ବାଦରେ ଥିବା ସନ୍ଦେଶଖାଲୀ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶେଖ ଶାହାଜାହାନଙ୍କ ସହାୟକଙ୍କ ବାସଭବନରେ ଚଢାଉ କରି ସେଠାରୁ ବହୁ ପରିମାଣର ବନ୍ଧୁକ ଓ ଗୁଳି ଜବତ କରିଛି। ସେଠାରୁ ଜବତ ହୋଇଥିବା ବୋମାକୁ ନିଷ୍କ୍ରିୟ କରିବା ପାଇଁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ର ବୋମା ସ୍କ୍ବାଡ ଦଳ ନିୟୋଜିତ ହୋଇଛନ୍ତି।

ସନ୍ଦେଶଖାଲୀରେ ହୋଇଥିବା ଏହି ସଦ୍ୟତମ ଘଟଣା ସମ୍ପର୍କରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ କହିଛନ୍ତି ଯେ, ବଙ୍ଗଳା ସିଏମ୍ ମଧ୍ୟ ରାଜ୍ୟର ଗୃହମନ୍ତ୍ରୀ ଏବଂ ଯେଉଁଭଳି ଭାବରେ ଏତେ ପରିମାଣରେ ଅବୈଧ ଅସ୍ତ୍ରଶସ୍ତ୍ର ମିଳିଛି, ଏହା ଦେଶ ବିରୋଧରେ ଷଡଯନ୍ତ୍ର ଭଳି।

ସନ୍ଦେଶଖାଲୀର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ବେଳେ ସିବିଆଇ ବିଦେଶୀ ପିସ୍ତଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଅତିକମରେ ୧୨ ବନ୍ଧୁକ ଜବତ କରାଯାଇଛି। ଅଧିକାରୀ କହିଛନ୍ତି ଯେ, ଏହି ସର୍ଚ୍ଚ ଅପରେସନ ତୃଣମୁଲ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କ ସମର୍ଥକଙ୍କ ଦ୍ଵାରା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦଳ ଉପରେ ଆକ୍ରମଣ ଘଟଣା ସହ ଜଡିତ।

Related posts