ଦିଲ୍ଲୀ କଂଗ୍ରେସକୁ ପୁଣି ବଡ ଝଟକା, ଇସ୍ତଫା ଦେଲେ ନସିବ ସିଂ ଏବଂ ନୀରଜ ବସୋୟା

Published: May 1, 2024, 11:32 am IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ପୁଣି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦିଲ୍ଲୀର ଦୁଇଟି ଲୋକସଭା ଆସନର ପର୍ଯ୍ୟବେକ୍ଷକ ନୀରଜ ବସୋୟା ଏବଂ ନସିବ ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖାଯାଇଥିବା ପୃଥକ ଚିଠିରେ ଉଭୟ ନେତା ଦଳ ଛାଡିବା ପାଇଁ ମୁଖ୍ୟତଃ କଂଗ୍ରେସ-ଏଏପି ମେଣ୍ଟକୁ ଦାୟୀ କରିଛନ୍ତି।

ପଶ୍ଚିମ ଦିଲ୍ଲୀର ସଂସଦୀୟ ଆସନର ପୂର୍ବତନ ବିଧାୟକ ତଥା ଦଳର ପର୍ଯ୍ୟବେକ୍ଷକ ନୀରଜ ବସୋୟା କହିଛନ୍ତି ଯେ, “ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସହ ଦଳର ମେଣ୍ଟ ମୋତେ ବ୍ୟଥିତ କରିଛି।

ବସୋୟା ଏହି ଚିଠିରେ କହିଛନ୍ତି ଯେ, “ମୁଁ ଦଳର ସମସ୍ତ ପଦବୀରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଗତ ୩୦ ବର୍ଷ ମଧ୍ୟରେ ମୋତେ ସମସ୍ତ ସୁଯୋଗ ଦେଇଥିବାରୁ ମୁଁ ସୋନିଆ ଗାନ୍ଧୀ ଜୀଙ୍କୁ ଧନ୍ୟବାଦ ଦେଉଛି।” ଉତ୍ତର ପଶ୍ଚିମ ଦିଲ୍ଲୀର ପୂର୍ବତନ ବିଧାୟକ ତଥା ଦଳର ପର୍ଯ୍ୟବେକ୍ଷକ ନସିବ ସିଂ ଦେବେନ୍ଦ୍ର ଯାଦବଙ୍କୁ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦଳରୁ ଏହି ଦୁଇ ଇସ୍ତଫା ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ରୀୟ ନେତୃତ୍ୱରେ ମତଭେଦ ଥିବାରୁ କଂଗ୍ରେସର ବରିଷ୍ଠ ନେତା ଅରବିନ୍ଦ ସିଂ ଲଭଲି ଦିଲ୍ଲୀ ପ୍ରଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ୨୫ ତାରିଖ ଦିନ ଦିଲ୍ଲୀରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

Related posts