ବିହାରରେ ମସ୍ତିଷ୍କ ଜ୍ବର ମୃତ୍ୟୁ ସଂଖ୍ୟା ୧୭୮କୁ ବୃଦ୍ଧି : ରାମବିଳାଶ ପାଶ୍ବାନ ନିଖୋଜ ଥିବା ନେଇ ପୋଷ୍ଟର

Published: Jun 22, 2019, 6:03 pm IST
poster against ram vilas paswan

ବିହାରରେ ଦିନକୁ ଦିନ ମସ୍ତିଷ୍କ ଜ୍ମର ଗମ୍ଭୀର ରୂପ ଧାରଣ କରିଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୧୭୮ ଶିଶୁଙ୍କର ମୃତ୍ୟୁ ଘଟିଛି । ବିହାରରେ ଶିଶୁ ମୃତ୍ୟୁ ଉତ୍କଟ ରୂପ ନେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କ ଦେଖା ନମିଳିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।  ପୀଡିତ ଶିଶୁଙ୍କୁ ଦେଖିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ ନେତା ଆସିଥିଲେ ମଧ୍ୟ ପାଶ୍ବାନଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ଏକାକୀ ମୁଜାଫରପୁରରେ ୧୨୮ ଶିଶୁଙ୍କ ପ୍ରାଣହାନି ଘଟିଛି । ଅନ୍ୟ ସ୍ଥାନ ମଧ୍ୟରେ ବୈଶାଳୀରେ ୧୯ , ମୋତିହାରୀରେ ୧୨ , ବେଗୁସରାଇ ଏବଂ ସମସ୍ତିପୁରରେ ୮ ଜଣ ଲେଖାଏଁ ଏବଂ ଆରା,ଶିବହର ଓ ପୂର୍ଣ୍ଣିଆରେ ଜଣେ ଲେଖାଏଁ ଶିଶୁଙ୍କର ପ୍ରାଣହାନି ଘଟିଛି । ଏହା ସହିତ ବିହାରର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପାଣି ସମସ୍ୟା ଦେଖା ଦେଇଥିବା ବେଳେ ପାଣି ପାଇଁ ଆନ୍ଦୋଳନ ସମୟରେ ଅଜବ ଘଟଣା ଦେଖିବାକୁ ମିଳିଛି । ମଇଁଷି ପିଠିରେ ପାଶ୍ବାନ ନିଖୋଜ ହୋଇଥିବା ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଛି । ନିର୍ବାଚନ ପରେ ପାଶ୍ବାନ ନିଖୋଜ ହୋଇଯାଇଛନ୍ତି ବୋଲି ଅନେକ ସ୍ଥାନରେ ମଧ୍ୟ ପୋଷ୍ଟର ଦେଖିବାକୁ ମିଳିଛି ।

Related posts