ଚାମ୍ପିଅନ୍ କେକେଆର୍ କୁ ୨୦ କୋଟି, ଫାଇନାଲ୍ ହାରିଥିବା SRH ଉପରେ ମଧ୍ୟ ହେଲା ଟଙ୍କା ବର୍ଷା

Published: May 27, 2024, 8:07 am IST

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ 2024 ଟାଇଟଲ୍ ଜିତିଛି। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କେକେଆର୍ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ କୋଲକାତା ଆଇପିଏଲ ଟ୍ରଫି ଜିତିଛି। ଶ୍ରେୟସ୍ ଆୟରଙ୍କ ନେତୃତ୍ଵାଧୀନ କେକେଆର୍ ଟ୍ରଫି ସହିତ ୨୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛି। କିନ୍ତୁ କେବଳ କେକେଆରକୁ କୋଟି କୋଟି ଟଙ୍କା ମିଳିନାହିଁ, ବରଂ ଟାଇଟଲ ମ୍ୟାଚରେ ହାରିଥିବା ହାଇଦ୍ରାବାଦ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ପାଇଛି।

ଟାଇଟଲ ମ୍ୟାଚ୍‌ରେ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳ ଉପରେ ମଧ୍ୟ କୋଟି କୋଟି ଟଙ୍କା ବର୍ଷା ହୋଇଛି। ପ୍ୟାଟ୍ କମିନ୍ସଙ୍କ ଦଳ ହାଇଦ୍ରାବାଦକୁ ରନର୍ ଅପ୍ ହେବା ପାଇଁ ପୁରସ୍କାର ରାଶି ଭାବରେ ୧୨.୫ କୋଟି ଟଙ୍କା ମିଳିଛି।

ଏହି ପୁରଷ୍କାର କେବଳ ଟାଇଟଲ୍ ବିଜେତା କେକେଆର୍ ଏବଂ ଉପ-ବିଜେତା ସନରାଇଜର୍ସ ହାଇଦ୍ରାବାଦରେ ସୀମିତ ନଥିଲା, ଟୁର୍ଣ୍ଣାମେଣ୍ଟର ତିନି ଏବଂ ଚାରି ନମ୍ବର ଦଳକୁ ମଧ୍ୟ କୋଟି କୋଟି ଟଙ୍କା ମିଳିଛି। ରାଜସ୍ଥାନ ରୟାଲ୍ସ ଦଳ ତୃତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥ ସ୍ଥାନରେ ରହିଛି। ତିନି ଏବଂ ଚାରି ନମ୍ବର ଦଳକୁ ୭ କୋଟି ଟଙ୍କା ଲେଖାଏଁ ମିଳିଛି।

Related posts