୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଦ୍ଵନ୍ଦ୍ଵ: ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯାଇପାରିବ ଟିମ୍ ଇଣ୍ଡିଆ?

Published: May 29, 2024, 4:19 pm IST

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି କୁ ନେଇ ଏବେ ବି ଦ୍ଵନ୍ଦ୍ଵ ଜାରି ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି, କିନ୍ତୁ ଯଦି ମିଡିଆ ରିପୋର୍ଟରେ ବିଶ୍ୱାସ କରାଯାଏ ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ନାହିଁ। ସେପଟେ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଟିମ୍ ଇଣ୍ଡିଆ ଆସିବ ବୋଲି ବିଶ୍ଵାସ କରି ପାକିସ୍ତାନ କ୍ରିକେଟ୍ ବୋର୍ଡ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛି।

ଚଳିତ ମାସ ଆରମ୍ଭରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଥିଲେ ଯେ, ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ତେବେ ଏହା ସତ୍ତ୍ୱେ ପାକିସ୍ତାନ କୌଣସି ପ୍ରକାର ଯୋଜନା ‘ବି’ ଆଡକୁ ଚାହିଁ ନାହିଁ।

୨୦୨୩ ରେ ଖେଳାଯାଇଥିବା ଏସିଆ କପ୍ ଯେପରି ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହୋଇଥିଲା, ପାକିସ୍ତାନ ସେପରି କୌଣସି ଯୋଜନା କରୁନାହିଁ। ପ୍ରକାଶ ଯେ, ପାକିସ୍ତାନ ମଧ୍ୟ ୨୦୨୩ ଏସିଆ କପ୍ ଆୟୋଜନ କରୁଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିନଥିଲା। ଟିମ୍ ଇଣ୍ଡିଆର ପ୍ରତ୍ୟାଖ୍ୟାନ ପରେ ହାଇବ୍ରିଡ୍ ମଡେଲ୍ ଅଧୀନରେ ଏସିଆ କପ୍ ଆୟୋଜିତ ହୋଇଥିଲା। ଭାରତୀୟ ଦଳ ଶ୍ରୀଲଙ୍କା ଆୟୋଜିତ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳିଥିଲା। ଏହା ବ୍ୟତୀତ ଏସିଆ କପ୍‌ର ନକ୍ଆଉଟ୍ ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯାଇଥିଲା।

କିନ୍ତୁ ନିକଟରେ ପାକିସ୍ତାନ କ୍ରିକେଟ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନ ବୋର୍ଡ କୌଣସି ପ୍ରକାର ଯୋଜନା ‘ବି’ ପ୍ରସ୍ତୁତ କରୁନାହିଁ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ବୋଲି ପାକିସ୍ତାନ ବୋର୍ଡ ଆଶାବାଦୀ। ହାଇବ୍ରିଡ୍ ମଡେଲ୍ ଗ୍ରହଣ କରିବାକୁ ପାକ୍ ବୋର୍ଡ ମନା କରିଦେଇଛି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ହାଇବ୍ରିଡ ମଡେଲ ବିଷୟରେ ପାକିସ୍ତାନ ବୋର୍ଡ ଅନ୍ୟ କୌଣସି ଦେଶ ସହ କଥାବାର୍ତ୍ତା କରୁନାହିଁ, ଯାହାଫଳରେ ଏସିଆ କପ୍ ରେ ଘଟିବା ପରି ଭାରତୀୟ ଦଳ ଅନ୍ୟତ୍ର ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଖେଳିପାରିବ। ପାକିସ୍ତାନର ପ୍ରସ୍ତୁତି ଅନୁଯାୟୀ ଟିମ୍ ଇଣ୍ଡିଆକୁ ଲାହୋରରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳିବାକୁ ପଡିବ।

ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନା ହାଇବ୍ରିଡ୍ ମଡେଲ୍ ଗ୍ରହଣ କରାଯିବ ତାହା ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

Related posts