ମଧ୍ୟପ୍ରାଚ୍ୟରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୋଆ ପୁରାତନ ଛାତ୍ରୀ ଉତ୍କର୍ଷ ନେତୃତ୍ୱ ନିମନ୍ତେ ମନୋନୀତ

Published: May 31, 2024, 8:59 am IST

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି। ସୋନମ୍ ବର୍ତମାନ ଦୁବାଇ ସ୍ଥିତ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ ହାଉସ୍ କିପିଂ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି।

ସୋଆ ଏସ୍‌ଏଚ୍‌ଏମ୍‌ର ୨୦୧୨ ବ୍ୟାଚର ଏହି ଛାତ୍ରୀ ମଧ୍ୟପ୍ରାଚ୍ୟରେ ୨୦୨୪ ନିମନ୍ତେ ମନୋନୀତ ହୋଇଥିବା ଶ୍ରେଷ୍ଠ ୩୦ ଜଣ ହାଉସ୍ କିପିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ହସ୍ପିଟାଲିଟି ଡଟ୍ କମ୍ ପକ୍ଷରୁ ୩୦ ଜଣ ଅଗ୍ରଣୀ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

ଦୀର୍ଘ ୧୧ ବର୍ଷର ଅଭିଜ୍ଞତା ଥିବା ସୋନମ୍ ୨୦୧୨ ମସିହାରେ ଏସ୍‌ଏଚ୍‌ଏମ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ୟାମ୍ପସ ପ୍ଲେସ୍‌୍‌ମେଂଟରେ ହାୟାତ ହୋଟେଲ୍ସ ଗ୍ରୁପରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ୨୦୧୭ ମସିହାରେ ଦୁବାଇର ମାରିଅଟ୍ ହୋଟେଲ୍ସରେ ସୁପରଭାଇଜର ଭାବେ କାର୍ଯ୍ୟ କରିଥିବା ବେଳେ ପରବର୍ତୀ ସମୟରେ ହାୟାତ ହୋଟେଲ୍ସରେ ମ୍ୟାନେଜର ପଦବୀ ରେ କାର୍ଯ୍ୟ କରିଥିଲେ। ଏହା ପରେ ସେ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।

ସୋନମ୍ ଅବିରତ ଶିକ୍ଷା ଗ୍ରହଣ ଓ ଦଳଗତ କାର୍ଯ୍ୟରେ ବିଶ୍ୱାସ କରନ୍ତି। କଲେଜ ସମୟରେ କ୍ୟାମ୍ପସ୍‌ରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ।

ଏହି ସମ୍ମାନ ଗ୍ରହଣ କରିବା ପରେ ସୋନମ୍ ସୋଆକୁ ପ୍ରଶଂସା କରିବା ସହ ତାଙ୍କ କ୍ୟାରିୟର ର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରୋତ୍ସାହନ ନିମନ୍ତେ କୃତଜ୍ଞତା ଜଣାଇଥିଲେ।

Related posts