ସଂସଦୀୟ ଦଳ ବୈଠକରେ ନାଇଡୁ ଏବଂ ନୀତୀଶଙ୍କୁ ନେଇ କ’ଣ କହିଲେ ନରେନ୍ଦ୍ର ମୋଦୀ?: ଜାଣନ୍ତୁ

Published: Jun 7, 2024, 2:17 pm IST

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ସଂସଦୀୟ ଦଳ ବୈଠକ ଆଜି ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ନରେନ୍ଦ୍ର ମୋଦୀ ଲୋକସଭାର ନେତା, ବିଜେପି ନେତା ତଥା ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି।

ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ ହେବା ପରେ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କୁ ପ୍ରଶଂସା କରିଥିଲେ।

ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ବିଷୟରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ‘ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ହେଉ କିମ୍ବା ବିହାରର ନୀତୀଶ କୁମାର। ଗରିବଙ୍କ କଲ୍ୟାଣ ଆମ ସମସ୍ତଙ୍କ କେନ୍ଦ୍ରରେ ରହିଆସିଛି। ବିହାର ପାଇଁ ନୀତୀଶ କୁମାର ବହୁତ ସେବା କରିଛନ୍ତି।

ସେ କହିଛନ୍ତି ଯେ, “ଆମ ସମସ୍ତଙ୍କ ମଧ୍ୟରେ ବିଶ୍ୱାସର ସେତୁ ମଜବୁତ, ଏହି ଅବିସ୍ମରଣୀୟ ସମ୍ପର୍କ ବିଶ୍ଵାସର ଶକ୍ତିଶାଳୀ ମୂଳଦୁଆ ଉପରେ ଆଧାରିତ ଏବଂ ଏହା ହେଉଛି ସବୁଠାରୁ ବଡ ସମ୍ପତ୍ତି। ଏହି ମୂହୁର୍ତ୍ତଗୁଡିକ ମଧ୍ୟ ମୋ ପାଇଁ ଭାବପ୍ରବଣ ଅଟେ। ମୁଁ ସମସ୍ତଙ୍କୁ ଯେତେ ଧନ୍ୟବାଦ ଦେବି, ସେତେ କମ ହେବ।”

ସମସ୍ତଙ୍କୁ କୃତଜ୍ଞତା ଜଣାଇ ସେ କହିଛନ୍ତି ଯେ, “ମୁଁ ଆପଣ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ବିଜୟୀ ହୋଇଥିବା ସମସ୍ତ ବନ୍ଧୁଙ୍କୁ ଅଭିନନ୍ଦନ। ସୌଭାଗ୍ୟବଶତଃ ଆପଣ ସମସ୍ତେ ସର୍ବସମ୍ମତି କ୍ରମେ ମୋତେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ କରିଛନ୍ତି। ମୋତେ ଏକ ନୂତନ ଦାୟିତ୍ଵ ଦେଇଥିବାରୁ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି।

Related posts