ରୋମାଞ୍ଚକର ମ୍ୟାଚରେ ପାକିସ୍ଥାନକୁ ଧୁଳି ଚଟାଇଲା ଭାରତ: ବିଶ୍ଵକପରେ କ୍ରମାଗତ ଦ୍ଵିତୀୟ ବିଜୟ

Published: Jun 10, 2024, 1:30 am IST

ଭୁବନେଶ୍ଵର: ୨୦୨୪ ଟି-୨୦ ବିଶ୍ଵକପରେ ଆଜି ପାକିସ୍ଥାନକୁ ଭାରତ ଧୁଳି ଚଟାଇ କ୍ରମାଗତ ଦ୍ଵିତୀୟ ମ୍ୟାଚ ଜିତିଛି। ରୋମାଞ୍ଚକର ମ୍ୟାଚରେ ଭାରତ ୬ ରନରେ ବିଜୟ ପଞ୍ଜୀକରଣ କରିଛି।

ପାକିସ୍ଥାନ ଟସ ଜିତି ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। କିନ୍ତୁ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। କେବଳ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ସର୍ବାଧିକ ୪୨ ରନ ସଂଗ୍ରହ କରିଥିଲେ। ଅକ୍ସର ପଟେଲ ୨୦ ରନ ସହାୟତାରେ ରୋହିତ ବାହିନୀ ୧୯ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୧୯ କରିପାରିଥିଲା।

ସହଜ ଟାର୍ଗେଟକୁ ପିଛା କରି ପାକିସ୍ଥାନ ଟିମ ଭଲ ଆରମ୍ଭ କରିଥିଲା। ହେଲେ ଦଳୀୟ ସ୍କୋର ୨୬ ରନ ଥିବା ବେଳେ ଅଧିନାୟକ ବାବର ଆଜମ ବ୍ୟକ୍ତିଗତ ୧୩ ରନ ସ୍କୋର କରି ଜସପ୍ରିତ ବୁମ୍ରାଙ୍କ ବଲରେ କ୍ୟାଚ ଆଉଟ ହୋଇ ଫେରିଥିଲେ। ଏହାପରେ ୫୭ ରନରେ ଦ୍ଵିତୀୟ ୱିକେଟ, ୭୩ ରନ ରେ ତୃତୀୟ ୱିକେଟ, ୮୦ ରନରେ ଚତୁର୍ଥ, ୮୮ ରନରେ ପାଞ୍ଚ ୱିକେଟ, ୧୦୨ ରନରେ ଷଷ୍ଠ ଏବଂ ସପ୍ତମ ୱିକେଟର ପତନ ଘଟିଥିଲା। ଅନ୍ତିମ ଓଭରରେ ପାକିସ୍ଥାନକୁ ଜିତିବା ପାଇଁ ୨୧ ରନ ଆବଶ୍ୟକ ଥିବା ବେଳେ ୧୯ ତମ ଓଭରରେ ବୁମ୍ରା ମାତ୍ର ୩ ରନ ଦେଇଥିଲେ। ଅନ୍ତିମ ଓଭରରେ ଆଉ ପାକିସ୍ଥାନ ପାଇଁ ୧୮ ରନ ଆବଶ୍ୟକ ଥିଲା। ହେଲେ ନସିମ ସାହା ଅର୍ଶଦୀପ ସିଂଙ୍କୁ ଦୁଇଟି ଚୌକା ମାରିଥିଲେ ସୁଦ୍ଧା ଦଳ ୧୧୩ ରନରେ ସୀମିତ ରହିଥିଲା।

ଏହିପରି ଭାରତୀୟ ଦଳ ୬ ରନ ବ୍ୟବଧାନରେ ଜିତି ଏହି ମହାମୁକାବିଲାକୁ ନିଜ ନାମରେ କରିଥିଲା।

Related posts