ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୨୩ ଏକଦିବସୀୟ ବିଶ୍ଵକପର ପ୍ରତିଶୋଧ ନେଇଛି। ୨୦୨୪ ଟି-୨୦ ବିଶ୍ଵକପର ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ୨୪ ରନରେ ପରାସ୍ତ କରିଛି। ଏହି ପରାଜୟ ଅଷ୍ଟ୍ରେଲିଆ ଦଳର ସେମିଫାଇନାଲ ଆଶାକୁ ଏକ ବଡ ଝଟକା ଦେଇଛି।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ମାତ୍ର ୧୮୧ ରନ୍ ସ୍କୋର କରିପାରିଥିଲା। ଭାରତ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଥିଲେ। ହିଟମ୍ୟାନ ମାତ୍ର ୪୧ ବଲରେ ୯୨ ରନର ପାଳି ଖେଳିଥିଲେ। ବୋଲିଂରେ ଅର୍ଶଦୀପ ସିଂ ୩ ଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ କୁଲଦୀପ ଯାଦବ ଚାରି ଓଭରରେ ୨୪ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।
ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ସର୍ବାଧିକ ୭୬ ରନ୍ ସ୍କୋର କରିଥିଲେ। କ୍ୟାପଟେନ ମିଚେଲ ମାର୍ଶ ୩୭ ରନର ଇନିଂସ ଖେଳିଥିଲେ।