ଲାଂଚ ନେଇ ଥାନାରୁ ଖସି ପଳାଉଥିବା ବେଳେ ବନ୍ଧା ହେଲେ ସବ୍ ଇନ୍ସପେକ୍ଟର, ଭିଜିଲାନ୍ସ ସହ ଧସ୍ତାଧସ୍ତି

Published: Jul 5, 2024, 5:21 pm IST

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ବିବେକାନନ୍ଦ ସାହୁ ଜୈନିକ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଇ ଥାନାରୁ ଖସି ପଳାଉଥିବା ସମୟରେ କଟକ / ଜଗତସିଂହପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ ମାଡ଼ି ବସିଥିଲେ। ଏମିତି ଉକ୍ତ ପୋଲିସ ସବ୍ ଇନ୍ସପେକ୍ଟରକୁ ମାଡ଼ି ବସିବା ବେଳେ ଭିଜିଲାନ୍ସ ସହିତ କିଛି ସମୟ ଧସ୍ତାଧସ୍ତି ହୋଇଥିବା ପ୍ରତ୍ୟକ୍ଷ ଦର୍ଶି କହିଛନ୍ତି।

ପ୍ରକାଶ ଯେ, କୁଜଙ୍ଗ ଥାନା ବାଗୋଇ ଗ୍ରାମର ସରୋଜ କୁମାର ସ୍ୱାଇଁ ଜମିବାଡ଼ିକୁ ନେଇ ପଡୋଶୀ ସହ ପାରିବାରିକ ବିବାଦ ଘଟିଥିଲା। ଏନେଇ ସେ ଗତ ମେ ମାସ ୧୪ ତାରିଖରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାର ତଦନ୍ତକାରୀ ଅଧିକାରୀ ଖୋଦ୍ ଥାନାର ସବ୍ ଇନ୍ସପେକ୍ଟର ବିବେକାନନ୍ଦ ସାହୁ ଥିଲେ। ଶ୍ରୀ ସାହୁ ସରୋଜଙ୍କ ଅଭିଯୋଗକୁ ଗୁରୁତ୍ବ ନଦେଇ ବିପକ୍ଷ ପାଟି ର ଅଭିଯୋଗକୁ ଭିତ୍ତିକରି ସରୋଜ ଓ ତା ପୁଅ ନାମରେ ମାମଲା ରୁଜ୍ଜୁ କରିକଲେ। ମାତ୍ର ସରୋଜ କରିଥିବା ଅଭିଯୋଗ ପତ୍ରକୁ ଉକ୍ତ ଅଫିସର ଜଣକ କୁଆଡେ ଗାଏବ କରି ଦେଇଥିଲେ। ହତୋତ୍ସାହିତ ହୋଇ ସରୋଜ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ସେହି ମାସ ୨୯ ତାରିଖରେ ମାନ୍ୟବର ଅଦାଲତ ଅଭିଯୋଗକାରୀଙ୍କୁ ଜାମିନ ପ୍ରଦାନ ପାଇଁ ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମାତ୍ର ଶ୍ରୀ ସାହୁ ଜାମିନ କରାଇଦେବା ପାଇଁ ଲାଂଚ ମାଗିବା ସହ ବିଭିନ୍ନ ଆଳ ଦେଖାଇ ଗଡ଼ାଇ ଚାଲିଥିଲେ।

ଅନ୍ୟପଟେ ଶ୍ରୀ ସାହୁ ଯେତେବେଳେ ସରୋଜକୁ ବଜାରରେ ଦେଖୁଥିଲେ ତାକୁ ଅର୍ଥ ଦାବି କରିବା ସହ ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ବରାଦ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ସରୋଜ କଟକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ଏକ ଟାଟା ସୁମୋ ଓଡ଼ି- ୫- ଟି – ୨୩୮୮ ଗାଡ଼ିରେ ସକାଳ ଆଠ ଟାରୁ କୁଜଙ୍ଗ ଓ ଆଖ ପାଖ ଅଂଚଳ ସମେତ ବିଭିନ୍ନ ଜାଗାରେ ପଇଁତରା ମାରିଥିଲେ।

ଆଜି ସରୋଜ ଓ ତାର ପୁଅ ଥାନାକୁ ଜାମିନ ପାଇଁ ଯାଇଥିବା ବେଳେ ସବ୍ ଇନ୍ସପେକ୍ଟର ସାହୁ ଥାନାରେ ଦେଢ଼ ଘଣ୍ଟା ଅଟକ ରଖି ୧୦ ହଜାର ଟଙ୍କା ଦାବି କରି ଉଭୟଙ୍କୁ ନିର୍ଯାତନା ଦେଇଥିଲେ। ପରେ ସରୋଜଙ୍କୁ ଜାମିନରେ ଆଣିବାକୁ ଯାଇଥିବା ଜାମିନଦାର୍ ଦ୍ଵାରା ମଧ୍ୟସ୍ଥତା କରି ୮ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ଥାନା ଭିତରେ ସରୋଜଙ୍କ ସାନ ପୁଅ ଟଙ୍କା କାଢିବାରୁ ସବ୍ ଇନ୍ସପେକ୍ଟର ପୁଅ ହାତରୁ ପଇସା ନେବାକୁ ଅମଙ୍ଗ ହୋଇଥିଲେ। ପରେ ଜାମିନଦାର୍ ଙ୍କ ଦ୍ଵାରା ମଧ୍ୟସ୍ଥତା କରି ଶ୍ରୀ ସାହୁ ୮ ହଜାର ଟଙ୍କାକୁ ଧରି ଥିଲେ।

ପରେ ବୁଲେଟ ଗାଡ଼ିରେ ରାହାମା ଅଭିମୁଖେ ଖସି ପଳାଉଥିବା ସମୟରେ ଭିଜିଲାନ୍ସ ଟିମ ର ଦୁଇଜଣ ସଦସ୍ୟ ଅନ୍ୟ ଏକ ମୋଟର ସାଇକେଲରେ ପିଛାକରି କଟକ ପାରାଦୀପ ରାସ୍ତାର ଷଣ୍ଢପୁର ନିକଟରେ ଅଟକାଇ ମାଡ଼ି ବସିଥିଲେ। ସେହି ସମୟରେ ସେ ଭିଜିଲାନ୍ସ ଟିମ ର ଦୁଇଜଣ ସଦସ୍ୟଙ୍କ ସହ ଧସ୍ତା ଧସ୍ତି କରି ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲା। ପରେ ଲାଞ୍ଚ ନେଇଥିବା ୮ ହଜାର ଟଙ୍କା କୁ ଭିଜିଲାନ୍ସ ଜବତ କରିଥିବା ସହ ଘଟଣାରେ ବ୍ୟବହୃତ ବୁଲେଟ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ସେହିପରି ଉକ୍ତ ଅଧିକାରୀ ଶ୍ରୀ ସାହୁଙ୍କ ଲାପଟପ୍, ମୋବାଇଲ ଓ ରହୁଥିବା ବାସଗୃହ ଭିତର ମଧ୍ୟ ଭିଜିଲାନ୍ସ ଟିମ ତନଖି କରିଥିବା ଦେଖିବାକୁ ମିଳିଛି।

ତାଙ୍କ ନାମରେ କଟକ ଭିଜିଲାନ୍ସ ଥାନା କେସ ନମ୍ବର ୧୭/୨୪ ରେ ମାମଲା ରୁଜୁ କରି ଗିରଫ କରିଛନ୍ତି। ଏହି ଚଢ଼ାଉ ର ନେତୃତ୍ଵ ନେଇଥିଲେ ଭିଜିଲାନ୍ସ ଡିଏସପି ଗୀତାଞ୍ଜଳି ସାହୁ, ଅନୁପମା ସାହୁ, ଆଇଆଇସି ଜ୍ୟୋତି ରଞ୍ଜନ ସାହୁ।

ସୂଚନା ଯୋଗ୍ୟ, ଉକ୍ତ ସବ୍ ଇନ୍ସପେକ୍ଟର ଶ୍ରୀ ସାହୁ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ କାର୍ଯ୍ୟରତ ଥିବା ସମୟରେ ଜଣେ ମଦ ବ୍ୟବସାୟୀ ଙ୍କ ସହ ଥାନା ପରିସର ମଧ୍ୟରେ ମଦ୍ୟ ପାନ କରି ୨୦୨୦ ମସିହାରେ ଚାକିରୀରୁ ନିଲମ୍ବନ ହୋଇଥିଲେ। ନିଲମ୍ବନ ପ୍ରତ୍ୟାହାର ହେବା ପରେ ସେ ଜିଲ୍ଲା ମୁଖ୍ୟାଳୟ, ତିର୍ତ୍ତୋଲ ପରେ କୁଜଙ୍ଗ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେହି ଦିନ ଠାରୁ ବିବାଦ ତାଙ୍କ ପିଛା ଛାଡି ନଥିଲା।

Related posts