ଦୀର୍ଘ ୪ ମାସ ପରେ ମଧ୍ୟ ନିର୍ବାଚନ ଦାୟିତ୍ଵରେ ଥିବା ଶିକ୍ଷକମାନଙ୍କୁ ଟିଏ ଡିଏ ମିଳିନଥିବା ଅଭିଯୋଗ

Published: Jul 31, 2024, 7:32 pm IST

ଭୁବନେଶ୍ଵର: ଗତ ସାଧାରଣ ନିର୍ବାଚନ-୨୦୨୪ ମଇ ଆଉ ଜୁନ ମାସରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବହୁତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା। ମତଦାନ ଦାୟିତ୍ଵ ପୂର୍ବରୁ ୨ କିମ୍ୱା ୩ ଦିନ ନିର୍ବାଚନ ପ୍ରଶିକ୍ଷଣ ପାଇଁ ଶିକ୍ଷକ ମାନେ ନିଜ ବିଦ୍ୟାଳୟ ଠାରୁ ସ୍ଥିରୀକୃତ ସ୍ଥାନକୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯାଇ ପ୍ରଶିକ୍ଷଣ ନେଇଥିଲେ।

ଏହିସବୁ ଦାୟିତ୍ଵ ବେଳେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ନିର୍ବାଚନ ସମାପ୍ତିରେ ଅର୍ଥ ବିଭାଗ ଓ ଗୃହ (ନିର୍ବାଚନ ବିଭାଗର) ଚିଠି ଓ ନିର୍ଦ୍ଦେଶ ଅନୁଯାଇ ନିର୍ବାଚନ ଦାୟିତ୍ଵ କରିଥିବା କର୍ମଚାରୀ ମାନଙ୍କୁ ନିର୍ଦ୍ଧାରିତ TA/DA ପ୍ରଦାନ କରିବା ନିମନ୍ତେ DDO ମାନଙ୍କୁ ଜଣାଯାଇଥିଲା।

ଓଡିଶା ସରକାରଙ୍କ ଅଧୀନରେ ଥିବା ପ୍ରାୟ ସବୁ ବିଭାଗର କର୍ମଚାରୀ ମାନେ ଏହି ପାଉଣା ପାଇସାରି ଥିବା ବେଳେ, ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ କିନ୍ତୁ ଏଥିରୁ ବଞ୍ଚିତ ହେଉଛନ୍ତି। ସେମାନେ ବାରମ୍ବାର ଜିଲ୍ଲାଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଯୋଗାଯୋଗ କରି ମଧ୍ୟ ବିଫଳ ହୋଇ ନିରାଶ ହେଉଛନ୍ତି। କିନ୍ତୁ ସମ ବିଭାଗରେ ଚାକିରି କରି କିଛି DDO ସ୍କୁଲ ଏବଂ କିଛି ଜିଲ୍ଲା ଶିକ୍ଷା ଅଧିକାରୀନଙ୍କ ଅଧିନରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି TA/DA ପାଇ ସାରିଲେଣି।

ତେଣୁ ନିର୍ବାଚନ ଡିଉଟି କରିଥିବା ସମସ୍ତ ଶିକ୍ଷକ ଶିକ୍ଷକୟାତ୍ରୀମାନେ କିପରି ତାଙ୍କର ପାଉଣା ଯଥାଶୀଘ୍ର ପାଇବା ପାଇଁ ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘର ନେତା ପ୍ରଦୀପ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ସ୍ୱାଇଁ, ବିଶ୍ୱଜିତ ବିଶ୍ୱାଳ, ପଞ୍ଚାନନ ଜେନା, ଚନ୍ଦକାନ୍ତ ପଣ୍ଡା, ନିରୋଦ ରଥ, ଗିରିଜା ଶଙ୍କର କୁଣ୍ଡ, ପ୍ରବୀର ମୋହନ ପଣ୍ଡା ଆଦି ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରିଛନ୍ତି।

Related posts