ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପୌରହିତ୍ୟରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୱାନ୍ ଷ୍ଟପ୍ ସେଣ୍ଟର (ସକ୍ଷୀ) ଓ ଜାଗୃତି ଅନୁଷ୍ଠାନର ସମୀକ୍ଷା କରାଯାଇଛି।
ଏହି ସମୀକ୍ଷା ଅବସରରେ ଜିଲ୍ଲାର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ପୋଲିସ ଥାନା କାନ୍ଥରେ ଅନୁଷ୍ଠାନ ପକ୍ଷରୁ ସଚେତନତା ବାର୍ତ୍ତା ଲେଖି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ସୁଚନା ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ସକ୍ଷୀ କେନ୍ଦ୍ରରେ ୧୧୯୪ ଅଭିଯୋଗ ପଞ୍ଜିକରଣ ହୋଇଛି ଓ ବିଶେଷ କରି ଗତ ଆର୍ଥିକ ବର୍ଷରେ ୪୩୦ ଅଭିଯୋଗ ପଞ୍ଜିକରଣ ହୋଇଛି। ସେଥିରୁ ୭ ଅଭିଯୋଗର ନିଷ୍ପତ୍ତି ହୋଇନାହିଁ। ଏହି “ସକ୍ଷୀ” କେନ୍ଦ୍ର ଯୋଗୁଁ ବହୁ ମହିଳା ନିଜ ଜୀବନରେ ପରିବର୍ତ୍ତନ ଓ ଶୃଙ୍ଖଳିତ ଜୀବନ ବିତାଉଥିବା ପ୍ରମାଣ ଉଲ୍ଲେଖ କରାଯାଇଛି।
ବିଶେଷ କରି ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲାଲ କିଲ୍ଲାରେ ଆୟୋଜିତ ସ୍ବାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ୱାନ୍ ଷ୍ଟପ୍ ସେଣ୍ଟର ବା “ସକ୍ଷୀ” କେନ୍ଦ୍ର ନିମନ୍ତ୍ରିତ ହୋଇଥିବାରୁ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଲ ପ୍ରଶଂସା କରିଛନ୍ତି।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କ ପ୍ରତିନିଧି ଡଃ ଭାବା ମୋହନ ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଗଞ୍ଜାମ ଏସ୍ ପି ଙ୍କ ପ୍ରତିନିଧି, ବ୍ରହ୍ମପୁର ଏସ୍ ପି ଙ୍କ ପ୍ରତିନିଧି ଅନୀତା ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବାଗତ ଭାଷଣ ଦେଇଥିବାବେଳେ ଆଇ ଏସ୍ ଆର ଡି ନିର୍ଦ୍ଦେଶକ ସୁଧୀର ସାବତ କାର୍ଯ୍ୟକ୍ରମ ବିଷୟରେ ସୁଚନା ପ୍ରଦାନ କରିଥିଲେ।