ଦିନିକିଆ ଧର୍ମଘଟ ଡାକରା ଦେଲା ବ୍ୟାଙ୍କ କର୍ମଚାରୀ ସଂଘ, ବନ୍ଦ ରହିବ ଓଡିଶାର ସବୁ ବ୍ୟାଙ୍କ

Published: Aug 23, 2024, 1:46 pm IST

ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟର ଆହ୍ୱାନ ଦେଇଛି ଦେଶର ବୃହତ୍ ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏଆଇବିଇଏ। ଏହି ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ହେବ ବୋଲି ଏଆଇବିଇଏର ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ ଜଣାଇଛନ୍ତି। ଏହି ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଫିସର ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ସେହି ଅନୁସାରେ ଆସନ୍ତା ଅଗଷ୍ଟ ୨୮ ତାରିଖ ବୁଧବାରରେ ଏହି ବନ୍ଦ କରାଯିବ।

ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍‌ର ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ ହାନି କରି ଗଣମାଧ୍ୟମରେ ମିଛ ପ୍ରଚାର କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଛି।

ଏହି ଧର୍ମଘଟକୁ ସଫଳ କରିବା ପାଇଁ ଏଓବିଇଏର ସଭାପତି ସଞ୍ଜିବ ପତି ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓଡ଼ିଶାର ବ୍ୟାଙ୍କ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି । ବ୍ୟାଙ୍କ ଶିଳ୍ପର ଅନ୍ୟାନ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଙ୍ଗଠନମାନେ ଧର୍ମଘଟ ପ୍ରତି ସମର୍ଥନ ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Related posts