ଆଜି ଜାତୀୟ କ୍ରୀଡା ଦିବସରେ କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡିଆ କାହିଁକି କହିଲେ ଏପରି କଥା

Published: Aug 29, 2024, 11:52 am IST

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ଆଜି ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକ। ତାଙ୍କର କ୍ରୀଡା ପ୍ରତି ଥିବା ସମର୍ପଣକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯ ରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଏ।

ଆଜି ସକାଳେ ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ମେଜର ଧାନ ଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏ ନେଇ ଡକ୍ଟର ମାଣ୍ଡଭିଆ କହିଛନ୍ତି, ଦେଶର ନାଗରିକମାନେ ସୁସ୍ଥ ରହିବା ଉଚିତ୍। କାରଣ ଜଣେ ସୁସ୍ଥ ନାଗରିକ ଏକ ସୁସ୍ଥ ସମାଜ ଗଠନ କରେ ଏବଂ ଏକ ସୁସ୍ଥ ସମାଜ ଏକ ସମୃଦ୍ଧ ଦେଶ ଗଠନ କରେ। ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ନାଗରିକ ନିଜ ବ୍ୟସ୍ତବହୁଳ କାର୍ଯ୍ୟରୁ ଏକ ଘଣ୍ଟା ବାହାର କରି ସେମାନଙ୍କ ଆଗ୍ରହର ଗୋଟିଏ ଖେଳ ଖେଳିବା ଏବଂ ଫିଟ୍ ରହିବା ଉଚିତ୍।

ଏହାପୂର୍ବରୁ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଅନ୍ତତଃ ପକ୍ଷେ ଏକ ଘଣ୍ଟା ବାହ୍ୟ କ୍ରୀଡ଼ାରେ ଭାଗ ନେବାକୁ ଡକ୍ଟର ମାଣ୍ଡଭିଆ ସମସ୍ତ ନାଗରିକଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଏକ ଫିଟ୍ ରାଷ୍ଟ୍ର କରିବା ପାଇଁ ବଡ ସ୍ୱପ୍ନ ଦେଖିଛନ୍ତି ଏବଂ ସ୍ଲୋଗାନ ଦେଇଛନ୍ତି- “ଖେଲେଗା ଇଣ୍ଡିଆ, ଖିଲାଇଗା ଇଣ୍ଡିଆ”। ଆଜି ଦେଶବ୍ୟାପୀ ଉତ୍ସବରେ ଭାଗ ନେବାକୁ ନାଗରିକମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜାତୀୟ କ୍ରୀଡା ଦିବସରେ ସେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts