
ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଆସନ୍ତା ବର୍ଷରେ ଦେଶରେ ଅନେକ ଟନେଲ ନିର୍ମାଣ କରିବାକୁ ଯାଉଛି। ରାସ୍ତା ଦେଇ ଲୋକଙ୍କ ଯାତ୍ରାକୁ ସହଜ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତ୍ରଣାଳୟ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଛି। ଏହା ଅଧୀନରେ ଗଡକରୀ ମନ୍ତ୍ରଣାଳୟ ଦେଶରେ ଟନେଲ ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ନିଜେ ତାଙ୍କ ମନ୍ତ୍ରଣାଳୟର ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ଶିଳ୍ପ ସଂଗଠନ FICCI ଦ୍ୱାରା ଆୟୋଜିତ ଟନେଲିଂ ଇଣ୍ଡିଆ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ସେ କହିଥିଲେ ଯେ, ଦେଶରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ୭୪ ଟି ନୂଆ ଟନେଲ ନିର୍ମାଣ କରିବାର ଯୋଜନା ଅଛି, ଯାହାର ମୋଟ ଲମ୍ବ ୨୭୩ କିଲୋମିଟର ହେବ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସରକାର ଦେଶରେ ୩୫ ଟି ଟନେଲର କାର୍ଯ୍ୟ ଶେଷ କରିସାରିଛନ୍ତି, ଯାହାର ଦୈର୍ଘ୍ୟ ୪୯ କିଲୋମିଟର। ସେହି ଟନେଲ ନିର୍ମାଣରେ ସରକାର ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ବ୍ୟତୀତ ପ୍ରାୟ ୪୦ ହଜାର କୋଟି ଟଙ୍କା ବ୍ୟୟରେ ୬୯ ଟି ଅତିରିକ୍ତ ଟନେଲର ନିର୍ମାଣ କାର୍ଯ୍ୟ ଚାଲିଛି, ଯାହାର ମୋଟ ଲମ୍ବ ୧୩୫ କିଲୋମିଟର।