ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

Published: Oct 2, 2024, 8:02 pm IST

ଖୋର୍ଦ୍ଧା: ସ୍ଥାନୀୟ ବି.ଜେ.ବି ଉଚ୍ଚ ବିଦ୍ୟାଳୟସ୍ଥିତ ଅଡିଟୋରିଅମରେ‌ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଚଂଚଳ ରାଣା, ମୁଖ୍ୟବକ୍ତା ପ୍ରଫେସର ଡଃ ନାରାୟଣ ରାଓ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଯୋଗଦେଇଥିଲେ।

ଜିଲ୍ଲାପାଳ ସତ୍ୟ ଓ ଅହିଂସା ପଥରେ ଚାଲିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଗାନ୍ଧୀଜୀଙ୍କ ଆଦର୍ଶ ଜୀବନୀ ଉପରେ କିଛି ପ୍ରଶ୍ନ ପଚାରି ପିଲାମାନଙ୍କୁ ପୁରସ୍କୃତ କରିଥିଲେ। ବୈଠକ ପ୍ରାରମ୍ଭରେ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଗବତ ଗୀତା ପି. ଏନ. କଲେଜ ଅଧ୍ୟାପକ ସୁଶାନ୍ତ ମିଶ୍ର, ମାନୁଏଲ କରାଡୋ ବାଇବେଲ ଓ ମୌଲବୀ ଫତିବୁଦ୍ଧାନ ଖାଁ କୋରାନ ପାଠ କରିଥିଲେ। ଓଡିଆ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ, ଡିବେଟ୍ ରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ କପ ଏବଂ ମାନପତ୍ର ଦେଇ ଅତିଥି ପୁରସ୍କୃତ କରିଥିଲେ।

ଏହି ଅବସରରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନ କୁ ନେଇ ଏକ ଆଲୋଚନା କରାଯାଇଥିଲା। ଏଥିରେ ପ୍ରଫେସର ରାଓ, ଉମାଶଙ୍କର ପ୍ରସାଦ, ପ୍ରାକ୍ତନ ଅଧ୍ୟାପକ ଗୋପାଳ କୃଷ୍ଣ ଦାସ, ସତ୍ୟବାଦୀ ବଳିଆରସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପ୍ରଚାର କରାଯାଇଥିଲା। ପୂର୍ବାହ୍ନରେ ମହାତ୍ମା ଗାନ୍ଧୀଙ୍କ ସଚେତନତା ବାଣୀକୁ ନେଇ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା।

ତେବେ ପଦଯାତ୍ରା ସମୟରେ ବ୍ୟାଙ୍କଛକ ନିକଟରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ତଥା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପଦଯାତ୍ରା ରେ ଜିଲ୍ଲାପାଳ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଏନ. ସି. ସି., ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।

Related posts