ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ବର୍ଷା କମିବ, ହେଲେ 6 ତାରିଖରୁ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା

Published: Jul 2, 2019, 7:41 pm IST

ସମୀକ୍ଷା ବ୍ୟୁରୋ

ଧିରେଧିରେ ଦୁର୍ବଳ ହେବାରେ ଲାଗିଛି ଉତ୍ତର ପଶ୍ଚିମ ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଫଳରେ ଆସନ୍ତାକାଲିଠାରୁ ବର୍ଷା କମିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବର୍ତ୍ତମାନ ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ପଶ୍ଚିମ ଓଡିଶା ସମେତ ଉପକୂଳ ବର୍ତ୍ତି ଜିଲ୍ଲା ବରଗଡ, ବଲାଙ୍ଗିର,ସୁନ୍ଦରଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କେଉଁଝର, ମୟୂରଭଂଜ, ଦେଓଗଡ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଥିବାରୁ ଆସନ୍ତା ୨୪ ଘଣ୍ଟା ଧରି ଧୀବର ମାନଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ମୟୂରଭଂଜ ବେତନଟୀରେ ସର୍ବାଧିକ ୧୫୮ ମିଲିମିଟର ହୋଇଛି। ସେହିପରି କେନ୍ଦ୍ରାପଡା ରାଜକନିକାରେ ୧୪୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ତାରିଖରୁ ରାଜ୍ୟରେ ପୁଣି ଥରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related posts