ନୂଆଦିଲ୍ଲୀ: ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ୧୦ ଅକ୍ଟୋବର ୨୦୨୪ରେ ଲାଓ ପିଡିଆରର ଭିଏଣ୍ଟିଆନେଠାରେ ଅନୁଷ୍ଠିତ ହୋଇଛି। ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଦଶନ୍ଧି ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍ ନେତାଙ୍କ ସହ ମିଶି ଆସିଆନ୍-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀର ଅଗ୍ରଗତି ସମୀକ୍ଷା କରିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିଥିଲେ। ଏହି ଶିଖର ସମ୍ମିଳନୀରେ ଏହା ପ୍ରଧାନମନ୍ତ୍ରୀଙ୍କ ୧୧ତମ ଅଂଶଗ୍ରହଣ ଥିଲା।
୨. ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆସିଆନ ଏକତା, ଆସିଆନ୍ କେନ୍ଦ୍ରୀୟତା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍ ଦୃଷ୍ଟିକୋଣ ପ୍ରତି ଭାରତର ସମର୍ଥନକୁ ଦୋହରାଇଥିଲେ। ଏକବିଂଶ ଶତାବ୍ଦୀକୁ ଏସୀୟ ଶତାବ୍ଦୀ ବୋଲି ଅଭିହିତ କରି ସେ ଉଲ୍ଲେଖ କରିଥିଲେ ଯେ ଏସିଆର ଭବିଷ୍ୟତକୁ ମାର୍ଗଦର୍ଶନ କରିବା ପାଇଁ ଭାରତ-ଆସିଆନ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଭାରତର ଆକ୍ଟ ଇଷ୍ଟ ନୀତିର ଜୀବନ୍ତତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ଭାରତ-ଆସିଆନ ବାଣିଜ୍ୟ ଦ୍ୱିଗୁଣିତ ହୋଇ ୧୩୦ ବିଲିୟନ ଡଲାରରୁ ଅଧିକ ହୋଇଛି। ଆସିଆନ୍ ଆଜି ଭାରତର ଅନ୍ୟତମ ବୃହତ୍ତମ ବାଣିଜ୍ୟ ଓ ନିବେଶ ସହଯୋଗୀ। ସାତଟି ଆସିଆନ୍ ଦେଶ ସହ ସିଧାସଳଖ ବିମାନ ଯୋଗାଯୋଗ ସ୍ଥାପନ; ଏହି ଅଞ୍ଚଳ ସହିତ ଫିନ୍-ଟେକ୍ ସହଯୋଗରେ ଆଶାଜନକ ଆରମ୍ଭ; ଏବଂ ପାଞ୍ଚଟି ଆସିଆନ ଦେଶରେ ଅଂଶୀଦାର ସାଂସ୍କୃତିକ ଐତିହ୍ୟ ପୁନରୁଦ୍ଧାର ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଆସିଆନ୍-ଭାରତ ସମୁଦାୟର ହିତ ପାଇଁ ଅଧିକ ଅର୍ଥନୈତିକ ସମ୍ଭାବନାର ଉପଯୋଗ ଦିଗରେ ଆସିଆନ୍-ଭାରତ ଏଫ୍ଟିଏ (ଏଆଇଟିଆଇଜିଏ)ର ସମୀକ୍ଷା କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆସିଆନ ଯୁବକମାନଙ୍କୁ ପ୍ରଦାନ କରାଯାଉଥିବା ବୃତ୍ତି ମାଧ୍ୟମରେ ଭାରତ-ଆସିଆନ୍ ଜ୍ଞାନ ଭାଗିଦାରୀର ଅଗ୍ରଗତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ।
୩. ଅଧ୍ୟକ୍ଷଙ୍କ “ଯୋଗାଯୋଗ ଏବଂ ସ୍ଥିରତା ବୃଦ୍ଧି” ବିଷୟବସ୍ତୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏକ ୧୦ -ସୂତ୍ରୀ ଯୋଜନା ଘୋଷଣା କରିଥିଲେ ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା:
୧) ୨୦୨୫ ମସିହାକୁ ଆସିଆନ-ଭାରତ ପର୍ଯ୍ୟଟନ ବର୍ଷ ଭାବରେ ପାଳନ କରିବା, ଯେଉଁଥିପାଇଁ ଭାରତ ମିଳିତ କାର୍ଯ୍ୟକଳାପ ପାଇଁ ୫ ନିୟୁତ ଆମେରିକୀୟ ଡଲାର ଉପଲବ୍ଧ କରାଇବ।
୨) ଯୁବ ସମ୍ମିଳନୀ, ଷ୍ଟାର୍ଟଅପ୍ ଫେଷ୍ଟିଭାଲ, ହ୍ୟାକାଥନ, ମ୍ୟୁଜିକ୍ ଫେଷ୍ଟିଭାଲ, ଆସିଆନ-ଇଣ୍ଡିଆ ନେଟୱାର୍କ ଅଫ୍ ଥିଙ୍କ ଟ୍ୟାଙ୍କଏବଂ ଦିଲ୍ଲୀ ଡାଏଲଗ ସମେତ ଅନେକ ଲୋକାଭିମୁଖୀ କାର୍ଯ୍ୟକଳାପ ମାଧ୍ୟମରେ ଆକ୍ଟ ଇଷ୍ଟ ପଲିସିର ଏକ ଦଶନ୍ଧି ପାଳନ କରିବା;
୩) ଆସିଆନ-ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ପାଣ୍ଠି ଅଧୀନରେ ଆସିଆନ-ଭାରତ ମହିଳା ବୈଜ୍ଞାନିକ ସମ୍ମିଳନୀ ଆୟୋଜନ କରିବା;
୪) ନାଳନ୍ଦା ବିଶ୍ୱବିଦ୍ୟାଳୟରେ ବୃତ୍ତି ସଂଖ୍ୟା ଦ୍ୱିଗୁଣିତ କରିବା ଏବଂ ଭାରତର କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସିଆନ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ବୃତ୍ତି ର ବ୍ୟବସ୍ଥା;
୫) ୨୦୨୫ ସୁଦ୍ଧା ଆସିଆନ-ଭାରତ ବାଣିଜ୍ୟ ବାଣିଜ୍ୟ ଚୁକ୍ତିର ସମୀକ୍ଷା;
୬) ବିପର୍ଯ୍ୟୟ ମୁକାବିଲା ବୃଦ୍ଧି, ଯେଉଁଥିପାଇଁ ଭାରତ ୫ ନିୟୁତ ଆମେରିକୀୟ ଡଲାର ଉପଲବ୍ଧ କରାଇବ।
୭) ସ୍ୱାସ୍ଥ୍ୟ ସ୍ଥିରତା ଗଠନ ଦିଗରେ ଏକ ନୂତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଟ୍ରାକ୍ ଆରମ୍ଭ କରିବା;
୮) ଡିଜିଟାଲ ଏବଂ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଆସିଆନ-ଭାରତ ସାଇବର ନୀତି ଆଲୋଚନାର ଏକ ନିୟମିତ ବ୍ୟବସ୍ଥା ଆରମ୍ଭ କରିବା;
୯) ସବୁଜ ହାଇଡ୍ରୋଜେନ ଉପରେ କର୍ମଶାଳା; ଏବଂ
୧୦) ଜଳବାୟୁ ସ୍ଥିରତା ସୃଷ୍ଟି ଦିଗରେ ‘ମା’ଙ୍କ ପାଇଁ ଗଛଟିଏ ଲଗାଇବା’ ଅଭିଯାନରେ ଯୋଗ ଦେବା ପାଇଁ ଆସିଆନ୍ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି।
୪. ବୈଠକରେ ନେତାମାନେ ଏକ ନୂତନ ଆସିଆନ-ଭାରତ କାର୍ଯ୍ୟ ଯୋଜନା (୨୦୨୬-୨୦୩୦) ପ୍ରସ୍ତୁତ କରିବାକୁ ରାଜି ହୋଇଥିଲେ ଯାହା ଆସିଆନ-ଭାରତ ଭାଗିଦାରୀର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବାରେ ଉଭୟ ପକ୍ଷଙ୍କୁ ମାର୍ଗଦର୍ଶନ କରିବ ଏବଂ ଦୁଇଟି ମିଳିତ ବିବୃତି ଗ୍ରହଣ କରିଛି:
କ) ଭାରତର ଆକ୍ଟ ଇଷ୍ଟ ପଲିସି (ଏଇପି)ର ସମର୍ଥନରେ ଭାରତ-ପ୍ରଶାନ୍ତ ମହାସାଗରରେ ଆସିଆନ୍ ଦୃଷ୍ଟିକୋଣ (ଏଓଆଇପି) ପରିପ୍ରେକ୍ଷୀରେ ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆସିଆନ୍-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ମିଳିତ ବିବୃତି – ନେତାମାନେ ଆସିଆନ୍ ଏବଂ ଭାରତ ମଧ୍ୟରେ ଭାଗିଦାରୀକୁ ଆଗକୁ ବଢ଼ାଇବାରେ ଭାରତର ଆକ୍ଟ ଇଷ୍ଟ ନୀତିର ଅବଦାନକୁ ସ୍ୱୀକାର କରିଥିଲେ। ମିଳିତ ବିବୃତିର ସମ୍ପୂର୍ଣ୍ଣ ଲେଖା ଏଠାରେ ଆକସେସ୍ କରାଯାଇପାରିବ।
ଖ) ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେବା ଉପରେ ଆସିଆନ-ଭାରତ ମିଳିତ ବିବୃତି ନେତାମାନେ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ଭାରତ ସହିତ ଭାଗିଦାରୀକୁ ସ୍ୱାଗତ କରିଥିଲେ। ମିଳିତ ବିବୃତିର ସମ୍ପୂର୍ଣ୍ଣ ଲେଖା ଏଠାରେ ଆକସେସ୍ କରାଯାଇପାରିବ।
୫. ୨୧ ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀର ସଫଳତାର ସହ ଆୟୋଜନ କରିଥିବାରୁ ଏବଂ ତାଙ୍କ ଉଷ୍ମତା ଏବଂ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଲାଓସ୍ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ବିଗତ ତିନି ବର୍ଷ ମଧ୍ୟରେ ଦେଶ ସଂଯୋଜକ ଭାବରେ ସିଙ୍ଗାପୁରର ଗଠନମୂଳକ ଭୂମିକା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ନୂତନ ଦେଶ ସଂଯୋଜକ ଫିଲିପାଇନ୍ସ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ଥିଲେ।