ଲୋକସଭା ନିର୍ବାଚନର ପରିଣାମ ଆସିବା ପ୍ରାୟ ଏକମାସରୁ ଅଧିକ ହୋଇଗଲାଣି । ଏବେବି କଂଗ୍ରେସରେ ସଂକଟ ଟଳିନି । ପାର୍ଟିର ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଇସ୍ତଫା ଦେବା ପାଇଁ ଜିଦ୍ ଧରିଛନ୍ତି । ଏବଂ କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଦାବି କରୁଛନ୍ତି । ବୁଧବାର ଦିନ ରାହୁଲ୍ କହିଛନ୍ତି ଯେ, ସେ ପାର୍ଟିର ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ତେଣୁ ଦଳ ଯେତେଶୀଘ୍ର ସମ୍ଭବ ଦଳର ନୂତନ ଅଧ୍ୟକ୍ଷଙ୍କୁ ଚୟନ କରିବା ଉଚିତ୍ । କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର ବୋଲି ରାହୁଲ୍ କହିଛନ୍ତି । ଯେକୌଣସି ପରିସ୍ଥିତିରେ ବି ରାହୁଲ୍ ଆଉ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି । ଦଳର ଅଧ୍ୟକ୍ଷ ଚୟନ କରିବା ବହୁତ ବିଳମ୍ବ ହେଲାଣି । ତେଣୁ ଦଳ ଖୁବ ଶୀଘ୍ର ଓ୍ବାର୍କିଂ କମିଟି ଡକାଇ ଏନେଇ ନିଷ୍ପତ୍ତି ନେଇ ଦଳର ନୂତନ ଅଧ୍ୟକ୍ଷକୁ ନିଯୁକ୍ତି କରିବାର ଆବଶ୍ୟକ ବୋଲି ରାହୁଲ୍ କହିଛନ୍ତି । ପ୍ରାୟ ଏକମାସ ହେବ ରାହୁଲ୍ ଇସ୍ତଫା ଦେବାକୁ ନେଇ ଅଡି ବସିଥିବାବେଳେ ତାଙ୍କୁ ଦଳର ସମସ୍ତ ନେତା ବୁଝାଇଚାଲିଛନ୍ତି । କିନ୍ତୁ ରାହୁଲ୍ ନିଜ ଜିଦ୍ରେ ଅଟଳ ରହିଛନ୍ତି । ସେ ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ ଦଳର ଅଧ୍ୟକ୍ଷ କରିବା ନେଇ ଦାବି ରଖିଛନ୍ତି ।