
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦେଶୀ ମଦ ବିକ୍ରି ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛି ପୋଲିସ।
ଆଇଆଇସି ରମେଶ କୁମାର ଦେବତାଙ୍କ ସୂଚନା ମୁତାବକ ଗତକାଲି ସକାଳେ ଦାଶରଥିପୁର ଗ୍ରାମର ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ଏସଆଇ ସୁକାନ୍ତ ଦଳାଇ ଏବଂ ଟିମ ଉକ୍ତ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଧୂନିଆ ନାୟକଙ୍କୁ ୩୦ ଲିଟର ଦେଶୀ ମଦ ସହ ଗିରଫ କରିଥିଲେ। ତେବେ ଗିରଫ କରି ଥାନାକୁ ନେବା ସମୟରେ ଧୂନିଆଙ୍କ ପତ୍ନୀ ରଜନୀ ନାୟକ, ପୁଅ ଦୟାନିଧି ନାୟକ ଏବଂ ଅନ୍ୟ ଗ୍ରାମବାସୀ ମାନେ ଠେଙ୍ଗା, ଲାଠି ସହ ପୋଲିସକୁ ଅଟକାଇଥିଲେ ଏବଂ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ଦୟାନିଧି କନଷ୍ଟେବଳ ସତ୍ୟ ନାରାୟଣ ପ୍ରଧାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଫଳରେ ସତ୍ୟଙ୍କ ହାତରେ ଗଭୀର କ୍ଷତ ହୋଇଥିଲା।
ତେବେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଧୂନିଆ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ। ଏ ନେଇ ଏସଆଇ ଶ୍ରୀ ଦଳେଇ ବାଣପୁର ଆଇଆଇସିଙ୍କୁ ଉକ୍ତ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ବାଣପୁର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ଯାହାପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଆଜି ସକାଳେ ପୋଲିସ ଫୋର୍ସର ଉପସ୍ଥିତିରେ ଉକ୍ତ ଗ୍ରାମରେ ଚଢ଼ାଉ କରାଯାଇ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ।
ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଧୂନିଆ ନାୟକ ଏବଂ କିଛି ଆକ୍ରମଣକାରି ଅଦ୍ୟାବଧି ଫେରାର ଥିବା ଆଇଆଇସି ଶ୍ରୀ ଦେବତା କହିଛନ୍ତି।