ଚିଲିକା ଅଞ୍ଚଳ ଏଥର ଓଏଏସ ପାଇବାରେ କଲା ରେକର୍ଡ, ଏକାଥରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ସଫଳତା

Published: Oct 20, 2024, 10:25 pm IST

ଚିଲିକା( ସୀତାରାମ ଅଗ୍ରୱାଲ): ଏଥର ଚିଲିକା ନିର୍ବାଚନ ମଣ୍ଡଳି ଓଏସଏସ ପାଇବାରେ ରେକର୍ଡ ହାସଲ କରିଛି। କାରଣ ପୂର୍ବରୁ କାଁ ଭାଁ ଏହି ଅଞ୍ଚଳରୁ ସଫଳତା ହାସଲ କରୁଥିବା ବେଳେ ଏଥର ପାଞ୍ଚ ଜଣଙ୍କୁ ମିଳିଛି ଓଏଏସ, ଯାହା ସେହି ଅଞ୍ଚଳ ପାଇଁ ଖୁସିର ଖବର ହୋଇଯାଇଛି।

ଶିବାନୀ ରାଉତ: ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା ହେଉଛନ୍ତି ଶିବାନୀ। ସେ ଓଡିଶାରେ ୧୭୦ ତମ ସ୍ଥାନ ହାସଲ କରିଛନ୍ତି। ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି।

ରାକେଶ ଜେନା: ସାରା ଓଡ଼ିଶାରେ ୨୪୭ ର‍୍ୟାଙ୍କ ରଖିଛନ୍ତି ବାଣପୁରର ରାକେଶ ଜେନା।ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଭାପୁର ଗ୍ରାମର ପ୍ରକାଶ ଜେନାଙ୍କ ପୁଅ ହେଉଛନ୍ତି ରାକେଶ। ବାପା ପେଶାରେ ଜଣେ ଦିନମଜୁରିଆ ହୋଇଥିବାବେଳେ ମାତା ଗୃହିଣୀ ଅଟନ୍ତି। ଏକ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ରାକେଶ।

ମନମୋହନ ସାହୁ: ସାରା ଓଡ଼ିଶାରେ ୩୬୨ ର‍୍ୟାଙ୍କ ରଖି ସଫଳ ହୋଇଛନ୍ତି ବାଲୁଗାଁ ପାଟଣାସାହିର ଯୁବକ ମନମୋହନ ସାହୁ। ବୈଦ୍ୟନାଥ ସାହୁ ଓ କ୍ଷଣପ୍ରଭା ସାହୁଙ୍କ ସୁପୁତ୍ର ହେଉଛନ୍ତି ମନମୋହନ। ସେ ଅତି ସାଧାରଣ ପରିବାରରୁ ଆସିଥିବା ବେଳେ ପିତା ବୈଦ୍ୟନାଥ ବାଲୁଗାଁରେ ଏକ ଛୋଟ ଭେରାଇଟି ଷ୍ଟୋର କରିଛନ୍ତି। ମନମୋହନ ବର୍ତ୍ତମାନ ବାଣପୁର ତହସିଲରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି।

ରାକେଶ ନାୟକ: ଚିଲିକା ବ୍ଲକ ନିମିକ୍ଷେତା ଗ୍ରାମର ରାକେଶ କୁମାର ନାୟକ ସାରା ଓଡ଼ିଶାରେ ୫୯୦ ର‍୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି। ରାକେଶ ନିମିକ୍ଷେତା ଗ୍ରାମର ବିଦ୍ୟାଧର ନାୟକ ଏବଂ ବିନୋଦିନୀ ନାୟକ ଙ୍କ ପୁତ୍ର। ବିଦ୍ୟାଧର ବାଲୁଗାଁ ଚିଲିକା କୁଳ ନିକଟରେ ଏକ କଂସାବାସନ ଦୋକାନ ଦେଇଛନ୍ତି। ସାଧାରଣ ପରିବାରରୁ ଆସିଥିବା ରାକେଶ ନିଜର ଦଶମ ଶ୍ରେଣୀ ପଦନପୁର ସତ୍ୟ ସାଇ ବିଦ୍ୟା ମନ୍ଦିରରୁ ପାସ କରିଥିବା ବେଳେ ଭୁବନେଶ୍ୱର ଜୁପିଟର ସାଇନ୍ସ କଲେଜରୁ ଯୁକ୍ତ ଦୁଇ ଏବଂ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବି ଟେକ ଡିଗ୍ରୀ ହାସଲ କରିଛନ୍ତି।

ଦେବାଶିଷ ସ୍ବାଇଁ: ନାଚୁଣୀର ଦେବାଶିଷ ସ୍ୱାଇଁ ସାରା ଓଡ଼ିଶାରେ ୨୨୮ ର‍୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି।  ଦେବାଶିଷ ବଉଳାବନ୍ଧ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ସ୍ୱାଇଁ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ହରିଚନ୍ଦନଙ୍କ ପୁତ୍ର। ଦେବାଶିଷ ଭୁବନେଶ୍ୱର ଡ଼ିଏଭି ସ୍କୁଲ ପୋଖରୀପୁଟରୁ ଦଶମ ଏବଂ ଯୁକ୍ତ ଦୁଇ ସମାପ୍ତ କରିଛନ୍ତି। ସେ ରାଜଧାନୀ ମହାବିଦ୍ୟାଳୟରୁ ଯୁକ୍ତ ତିନି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ପିଜି ପାସ କରିବା ସହ ୨୦୨୩ ରେ ବିଇଡ଼ି ପାସ କରିଛନ୍ତି।

Related posts