ଗତକାଲି ରଥଯାତ୍ରା ବେଳେ ଜଣେ ବାଳକର ମୃତ୍ୟୁକୁ ନେଇ ବାଣପୁର ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବାଣପୁର ବନ୍ଦ ଡାକରା ସହିତ ଧାରଣାରେ ବସି ରହିଥିଲେ । ଏହାପରେ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ୫ଲକ୍ଷ, ତହସିଲଦାରଙ୍କ ପକ୍ଷରୁ ୪ଲକ୍ଷ, ଚକାଦେବ ରଥଯାତ୍ରା ପୂଜା କମିଟି ପକ୍ଷରୁ ମଧ୍ୟ ସହାୟତା ଘୋଷଣାର ପ୍ରତିଶ୍ରୁତି ଦିଆଯାଇଛି । ଅସୁସ୍ଥ ଥିବା ସତ୍ତ୍ବେ ଘଟଣାସ୍ଥଳରେ ପହଞ୍ଚି ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ସମବେଦନା ପ୍ରଦାନ କରିବା ସହିତ ୩୦ ହଜାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ରାଜା ମାନବେନ୍ଦ୍ର ମହାରଥା ମୃତ ଶିଶୁର ଘରକୁ ଆସି ସମବେଦନା ଜ୍ଞାପନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବାଣପୁର ପଲଟନ ପଡିଆରେ ଆୟୋଜିତ ହୋଇଥିବା ରଥଯାତ୍ରାରେ ଦୁର୍ଘଟଣା ଘଟିଥିଲା। ରଥ ଗଡିବା ବେଳେ ଚକ ତଳେ ସୁନୀଲ ପାତ୍ର ନାମକ ଜଣେ ବାଳକ ଗୁରୁତର ହୋଇପଡିଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫଳରେ ବାଲୁଗାଁରେ ତାଙ୍କର ଚିକିତ୍ସା କରିବା ପାଇଁ ନିଆଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗତକାଲି ବାଣପୁରରେ ଉତ୍ତେଜନା ଦେଖାଯାଇଥିଲା। ଏହି ରଥଯାତ୍ରା ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଥିରେ ଢିଲା ଦେଖାଯାଇଥିଲା। ମାତ୍ର 4ରୁ 5 ଜଣ ପୋଲିସ୍ କର୍ମୀଙ୍କ ଉପସ୍ଥିତିରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ରଥ ଟଣାଯାଉଥିବା କାରଣରୁ ବାଳକର ମୃତ୍ୟୁ ଘଟିଥିବାର ଅଭିଯୋଗ ଆସିଥିଲା । ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି ପ୍ରତିଶୃତି ଦିଆଯାଇ ନ ଥିଲା। ଏହାକୁ ନେଇ ଆଜି ସକାଳୁ ପୁଣି ଥରେ ଲୋକମାନେ ଏକାଠି ହୋଇ କ୍ଷତିପୂରଣ ଦାବି କରିଥିଲେ।