ଆବାସ ଦିବସ ୨୦୨୪ ପାଳନ: ପିଏମଏୱାଇ- ଜି ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

Published: Nov 20, 2024, 10:11 pm IST

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ- ଜି)ର ଅଷ୍ଟମ ବାର୍ଷିକୀ ଅବସରରେ ଆଜି ଆବାସ ଦିବସ ୨୦୨୪ ପାଳନ କରାଯାଉଛି। ୨୦୧୬ ନଭେମ୍ବର ୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଆଗ୍ରା ଠାରେ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ- ଜି)ର ଶୁଭାରମ୍ଭ କରିଥିଲେ। ସମସ୍ତଙ୍କ ପାଇଁ ଆବାସ ହାସଲ କରିବା ଦିଗରେ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଏହି  ପ୍ରମୁଖ ଯୋଜନା ଦର୍ଶାଉଛି।

ପିଏମଏୱାଇଜିର ପ୍ରମୁଖ ବୈଶିଷ୍ଟ୍ୟ ଏବଂ ଉପଲବ୍ଧି

ପିଏମଏୱାଇ- ଜି ମାର୍ଚ୍ଚ ୨୦୨୯ ସୁଦ୍ଧା ସମସ୍ତ ଯୋଗ୍ୟ ଗୃହହୀନ ପରିବାର ଏବଂ କଚ୍ଚା କିମ୍ବା ଜରାଜୀର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସୁବିଧା ସହିତ ପକ୍କା ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ୨୦୨୪- ୨୯ ଆର୍ଥିକ ବର୍ଷ ପାଇଁ ମୋଟ ୩,୦୬,୧୩୭ କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନାକୁ ସମ୍ପ୍ରସାରଣ କରାଯାଇଛି ଏବଂ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ୫୪,୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଏହି ପଦକ୍ଷେପ ଗ୍ରାମୀଣ ଗୃହ ନିର୍ମାଣରେ ପରିବର୍ତ୍ତନ ଆଣିବାରେ ଲାଗିଛି।

ପ୍ରଥମେ ୨୦୨୩- ୨୪ ସୁଦ୍ଧା ୨.୯୫ କୋଟି ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ଗ୍ରାମୀଣ ଆବାସ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ତର୍ଭୁକ୍ତିକରଣକୁ ବଢ଼ାଇବା ପାଇଁ ବାଦ୍ ଦିଆଯିବାର ମାନଦଣ୍ଡକୁ ୧୩ ରୁ ୧୦କୁ ହ୍ରାସ କରାଯାଇଛି, ଯେଉଁଥିରେ ମାଛଧରା ଡଙ୍ଗା କିମ୍ବା ମୋଟରଚାଳିତ ଦୁଇ ଚକିଆ ଯାନର ମାଲିକାନା ଭଳି ସର୍ତ୍ତକୁ ହଟାଇ ଦିଆଯାଇଛି ଏବଂ ଆୟ ସୀମାକୁ ମାସିକ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସ୍ୱଚ୍ଛ ରୋଷେଇ ସ୍ଥାନକୁ ମିଶାଇ ଗୃହର ସର୍ବନିମ୍ନ ଆକାର ୨୫ ବର୍ଗ ମିଟର ଧାର୍ଯ୍ୟ କରାଯାଇଥିବା ବେଳେ ସମତଳ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ଏବଂ ଉତ୍ତର-ପୂର୍ବ ଏବଂ ପାହାଡିଆ ରାଜ୍ୟରେ ୧.୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ଜରିଆରେ ଦକ୍ଷତାର ସହ ଦେୟ ପ୍ରଦାନ କରାଯାଉଥିବା ବେଳେ ଭୁବନେଶ୍ୱରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗୋଟିଏ କ୍ଲିକ୍ ଜରିଆରେ ଚଳିତ ବର୍ଷ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କର ପ୍ରଥମ କିସ୍ତି ପାଇଛନ୍ତି।

ଏହି ଯୋଜନା ଅଧୀନରେ ଏସଇସିସି ୨୦୧୧ ଏବଂ ଆବାସ+ (୨୦୧୮) ସର୍ଭେ ମାଧ୍ୟମରେ ହିତାଧିକାରୀ ଚିହ୍ନଟ କରାଯାଏ, ଯାହା ଗ୍ରାମସଭା ଦ୍ୱାରା ଯାଞ୍ଚ କରାଯାଏ । ଗତ ଏକ ଦଶନ୍ଧି ମଧ୍ୟରେ, ଏସଇସିସି ୨୦୧୧ର ସ୍ଥାୟୀ ପ୍ରତୀକ୍ଷା ତାଲିକା ସମ୍ପୂର୍ଣ୍ଣ ହୋଇଛି ଏବଂ ୨୦ରୁ ଅଧିକ ରାଜ୍ୟର ଆବାସ + ୨୦୧୮ ତାଲିକା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ୨୦୨୪ ନଭେମ୍ବର ୩୦ ସୁଦ୍ଧା ସର୍ଭେ ଶେଷ କରିବା ଏବଂ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ ପରିବାରମାନଙ୍କ ପାଇଁ ଘର ମଞ୍ଜୁର କରିବାକୁ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି।

ବୈଷୟିକ ଉଦ୍ଭାବନ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆବାସ+ ୨୦୨୪ ମୋବାଇଲ ୍ ଆପ୍ କେନ୍ଦ୍ରୀୟ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ) ସହଯୋଗରେ ଆଧାର ଭିତ୍ତିକ ଚେହେରା ପ୍ରମାଣୀକରଣ  ଏବଂ ୩ଡି ହାଉସ୍ ଡିଜାଇନ୍ ସହିତ ସ୍ୱଚ୍ଛ ହିତାଧିକାରୀ ଚିହ୍ନଟ ସୁନିଶ୍ଚିତ କରେ, ଯାହା ଦ୍ୱାରା ହିତାଧିକାରୀମାନେ ଉପଯୁକ୍ତ ଡିଜାଇନ୍ ଚୟନ କରିପାରିବେ।

ଏହି ଯୋଜନାରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ମଞ୍ଜୁରୀପ୍ରାପ୍ତ ଘରର ୭୪% କେବଳ କିମ୍ବା ମିଳିତ ଭାବେ ମହିଳାଙ୍କ ମାଲିକାନାରେ ରହିଛି। ଏହି ଯୋଜନାରେ ଏବେ ମହିଳାଙ୍କୁ ଶତ ପ୍ରତିଶତ ମାଲିକାନା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କୁଶଳୀ ନିଯୁକ୍ତିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି, ପ୍ରାୟ ୩ ଲକ୍ଷ ଗ୍ରାମୀଣ ରାଜମିସ୍ତ୍ରୀଙ୍କୁ ବିପର୍ଯ୍ୟୟ ମୁକାବିଲା ନିର୍ମାଣରେ ତାଲିମ ଦିଆଯାଇଛି, ଯାହା ସେମାନଙ୍କ ନିଯୁକ୍ତି କ୍ଷମତାକୁ ବୃଦ୍ଧି କରୁଛି।

ପିଏମଏୱାଇ- ଜି ମନରେଗା, ଏସବିଏମ୍ – ଜି, ଜଳ ଜୀବନ ମିଶନ ଏବଂ ସୂର୍ଯ୍ୟ ଘର ପରି ଯୋଜନା ସହିତ ସମନ୍ଵିତ ହୋଇଛି, ଯାହା ହିତାଧିକାରୀଙ୍କୁ ଜଳ, ଶୌଚାଳୟ, ଏଲପିଜି, ବିଜୁଳି ଏବଂ ସୌର ଶକ୍ତି ଉପଲବ୍ଧ କରାଇବା ସୁନିଶ୍ଚିତ କରେ । ଗତ ଦଶନ୍ଧି ମଧ୍ୟରେ ୨.୮୮ ଲକ୍ଷ ଘର ଓ ଜମି ଯୋଗାଇ ଦିଆଯାଇଥିବା ବେଳେ ଭୂମିହୀନ ହିତାଧିକାରୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଏହି ଯୋଜନାରେ ଏସସି/ଏସଟି ପରିବାର ପାଇଁ ସର୍ବନିମ୍ନ ୬୦% ଲକ୍ଷ୍ୟ ସଂରକ୍ଷିତ ରଖାଯାଇଛି, ଯେଉଁଥିରେ ୫୯.୫୮ ଲକ୍ଷ ଏସସି ଘର ଏବଂ ୫୮.୫୭ ଲକ୍ଷ ଏସଟି ଘର ସମ୍ପୂର୍ଣ୍ଣ ହୋଇଛି। ଲକ୍ଷ୍ୟର ୫% ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଆଉ ୫% ଓଡ଼ିଶାରେ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର ପାଇଁ ଘର ନିର୍ମାଣକୁ ପ୍ରାଥମିକତା ଦିଆଯାଉଛି।

“ସମସ୍ତଙ୍କ ପାଇଁ ବାସଗୃହ”ର ଉଦ୍ଦେଶ୍ୟ ପୂରଣ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଧରତୀ ଆବା ଆଦିବାସୀ ଗ୍ରାମ ଉତ୍କର୍ଷ ଅଭିଯାନ ଯାହା ୬୩,୮୪୩ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରି ଆଦିବାସୀ ବିକାଶ ଉପରେ ଗୁରୁତ୍ୱ ଦେଇଥାଏ, ଯାହା ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫ କୋଟିରୁ ଅଧିକ ଆଦିବାସୀ ଲୋକ ଉପକୃତ ହୋଇଥିଲେ । ଏହି ପଦକ୍ଷେପ ସାମାଜିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକାରେ ଆବାସ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ଦୂର କରିଛି ଏବଂ ୭୨.୩୧ ଲକ୍ଷ ଆଦିବାସୀ ପରିବାର ଉପକୃତ ହୋଇ ସାରିଛନ୍ତି।

ପିଏମଏୱାଇ- ଜି କେବଳ ଏକ ଆବାସ ଯୋଜନା ନୁହେଁ, ଏହା ଗ୍ରାମୀଣ ଭାରତକୁ ସଶକ୍ତ କରିବା, ସାମାଜିକ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଅବହେଳିତ ସମ୍ପ୍ରଦାୟର ଉନ୍ନତି ପାଇଁ ଏକ ଆନ୍ଦୋଳନ । କେବଳ ଘର ନୁହେଁ ବରଂ ଅଧିକ ସୁଦୃଢ଼, ନମନୀୟ ଜୀବନଯାପନ ପ୍ରଦାନ କରି ଏହି ଯୋଜନା ଏକ ସମୃଦ୍ଧ ଓ ସାମଗ୍ରିକ ଭବିଷ୍ୟତର ମୂଳଦୁଆ ପକାଇ ଚାଲିଛି।

Related posts