
ଭୁବନେଶ୍ଵର: ନୂତନ ଶିକ୍ଷାନୀତି-୨୦୨୦ ଏବଂ ଗୋଟିଏ ଦେଶ-ଗୋଟିଏ ଷ୍ଟୁଡେଣ୍ଟ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଲାଙ୍କ ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରିଛନ୍ତି ଆପାର କାର୍ଯ୍ୟକ୍ରମ। ଏଥିରେ ପ୍ରି-ପ୍ରାଇମେରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଆପାର ମାଧ୍ୟମରେ ପଞ୍ଜିକରଣ କରାଯାଉଛି। ଏହି କ୍ରମରେ ନୟାଗଡ଼ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆପାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ସ୍ୱତନ୍ତ୍ର ଆପାର ଶିବିର ଆୟୋଜନ କରାଯାଇ ପିଲାଙ୍କ ସମସ୍ତ ତଥ୍ୟ ପଞ୍ଜିକରଣ କରାଯାଉଛି। ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ପ୍ରୋଗ୍ରାମର,ସିଆରସିସି ଏବଂ ଶିକ୍ଷକ ମାନେ ସହଯୋଗ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮ ପ୍ରତିଶତ ପିଲାଙ୍କ ଆପାର ପଞ୍ଜିକରଣ କରାଯାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମାପନ ହେବ ବୋଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ଅପାର ଆଇଡି଼ରେ ଛାତ୍ରଛାତ୍ରୀଙ୍କ ସମସ୍ତ ଶିକ୍ଷାଗତ ତଥ୍ୟ, କ୍ରୀଡ଼ା ଦକ୍ଷତା, ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତାର ସମସ୍ତ ତଥ୍ୟ ସାମିଲ ରହିବ। ଯାହା ଖୁବ ସହଜରେ କମ୍ ସମୟରେ ମିଳିପାରିବ। ତେବେ ପିଲାଙ୍କ ସ୍କୁଲ ପରିବର୍ତ୍ତନ ବେଳେ ଏହି କାର୍ଡକୁ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। କାରଣ ଏହା ଆଧାର ନମ୍ବର ସହ ଲିଙ୍କ ହୋଇଥିବା ୟୁନିକ ଷ୍ଟୁଡେଣ୍ଟ ଆଇଡି କାର୍ଡ଼। ଦେଶର ପ୍ରତ୍ୟେକ ରାଜ୍ୟର ସ୍କୁଲରେ ପିଲାଙ୍କ ୟୁଆଇଡି଼ ସମାନ ରହିବ।