Categories
ବିଶେଷ ଖବର

‘ଆମ ଓଡିଶା ନବୀନ ଓଡିଶା’ ଯୋଜନା: ପୁରୀ ଓ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି। ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି  ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର  ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ସମୀର ରଞ୍ଜନ ଦାଶ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ। ନୟାଗଡ ଜିଲ୍ଲା କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରମେଶଚନ୍ଦ୍ର ବେହେରା ଓ ଡଃ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ଯୋଗ ଦେଇ ମତାମତ ରଖିଥିଲେ। ୫-ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।

ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ଶ୍ରୀ ଲିଙ୍ଗରାଜ  ମନ୍ଦିର  ଏକାମ୍ର  ପ୍ରକଳ୍ପ, ତାଳଦଣ୍ଡା କେନାଲ ଆଦି ପ୍ରମୁଖ ରୂପାନ୍ତର କାର୍ଯ୍ୟକ୍ରମର  ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି ୫-ଟି ସଚିବ ମତ ଦେଇଥିଲେ। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେରୀ ମାଟି ମେରା ଦେଶ ଅଭିଯାନ: ପୁରୀ, ନୟାଗଡ଼, ଜଗତସିଂହପୁର ଓ ମୟୂରଭଞ୍ଜରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ଵର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକ୍‌ ବଡ଼ାଲିଗାଁ ମୁଷାଗଡ଼ିଆ ଠାରେ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଅନ୍ୟପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ନେହରୁ ଯୁବା କେନ୍ଦ୍ର ପକ୍ଷରୁ ଅମୃତ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ଭାରତୀୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡକ୍ଟର ସମ୍ବିତ ପାତ୍ର, ଉପାସନା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ବାଣିକିଲୋ ଠାରେ ବାବା କମଳେଶ୍ୱର ଯୁବକ ସଂଘ ପକ୍ଷରୁ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେହିପରି ଜିଲ୍ଲାର ଗଣିଆ ବ୍ଲକ ରସଙ୍ଗା ପଞ୍ଚାୟତର ମା’ ବଡ଼ରାଉରା ଯୁବ କ୍ଲକ୍ ଆନୁକୂଲ୍ୟରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସେହିପରି ଜଗତସିଂହପୁର ଜିଲ୍ଲା ନୂଆଗାଁ ବ୍ଲକ ଶିଖର ଗ୍ରାମପଞ୍ଚାୟତରେ ଅମୃତ କଳସ ଯାତ୍ରା ଓ ସହୀଦଙ୍କ ଜନ୍ମମାଟିରୁ ମୃତ୍ତିକା ଓ ଶସ୍ୟ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଗ୍ରାମରେ ମଧ୍ୟ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍‌ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ବିଶେଷ ଖବର

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ ୫-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ  ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ପୁରୀ ପୌରପାଳିକା ବହୁ ବର୍ଷ ଧରି  ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ  ପ୍ରାୟ  ୫୦୪ ଏକର ଜମି ଦେଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର‌୍ୟ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ନୟାଗଡ ଜିଲ୍ଲାର ମଂଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ: ଏସିଡ୍‌ମାଡ଼ ଘଟଣାରେ ଜଣେ ଗିରଫ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରେ ଘଟିଥିବା ଏସିଡ୍‌ମାଡ ଘଟଣାରେ ପୋଲିସ ଶନିବାର ଦିନ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଣିଆସାହିର ବିଜୟ ପୃଷ୍ଟି।

ପ୍ରକାଶ ଯେ, ଇଟାମାଟି ଥାନା ଚମ୍ପତିପୁର ଗ୍ରାମର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସଦରଥାନା ବାଲୁଗାଁର ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ଅନେକ ସମୟରେ ଲକ୍ଷ୍ମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ସମାଧାନ ହୋଇଥିଲା।

ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀକୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହ ଘରକୁ ପଳାଇ ଯାଇଥିଲେ। ଗତକାଲି ମାନସ ବାଲୁଗାଁକୁ ସାର ନେବାକୁ ଆସି ଗାଁକୁ ଫେରୁଥିବା ବେଳେ ବିଜୟ ଏବଂ ଅନ୍ୟ ଦୁଇଜଣ ପୂର୍ବରୁ ପ୍ରସ୍ତୁତ ହୋଇ ଶିବମନ୍ଦର ପଛପଟେ ଲୁଚିଥିଲେ। ସେ ଆସିବା ଦେଖି ହଠାତ୍ ତାଙ୍କ ପଛପଟକୁ ଏସିଡ୍ ଫୋପାଡିଥିଲେ।

ସ୍ଥାନୀୟ ଲୋକେ ମାନସଙ୍କୁ ଡାକ୍ତରଖାନା ପଠାଇଥିଲେ ହେଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ସଦରଥାନା କେସ୍ ନଂ ୧୧୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଆଇଆଇସି ଅନିତା ସାହୁ ସୂଚନା ଦେଇଛନ୍ତି। ସଦରଥାନାରେ ମାମଲା ରୁଜୁ କରିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କଟକ ଏବଂ ନୟାଗଡ ଏସପିଙ୍କ ଏହି କ୍ରମରେ ବଦଳି ହୋଇଛି। ଆଇପିଏସ ଅଧିକାରୀ ସପିନ ଅହମ୍ମଦ କେ. କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସାର୍ଥକ ଷଡଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡିଆଇଜି ଭାବେ ଦାୟିତ୍ଵ ମିଳିଛି। ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ହୋଇଛନ୍ତି।

ତେବେ ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେର୍ଡକ୍ଵାର୍ଟର ଦାୟିତ୍ଵ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ନୟାଗଡ ଏସପି ଏବଂ ମିହିର କୁମାର ପଣ୍ଡାକୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତି ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୟାଗଡ଼: ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ପରେ ନୟାଗଡ଼ ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ କରିଛି।

ନୟାଗଡ଼ ଷ୍ଟେସନ ନିକଟ ବେବର୍ତ୍ତାପାଲି ରାସ୍ତା ଠାରୁ ଆରମ୍ଭ କରି ସିନ୍ଦୁରିଆ ପର୍ଯ୍ୟନ୍ତ ରାସ୍ତାରେ ଦିନ ରାତି ୨୪ଘଣ୍ଟା ବ୍ରାଉନ ସୁଗାର ବେପାର ଚାଲିଥିବା ବେଳେ ଆଜି ଅଚାନକ ଟାଉନ ଥାନା ହାବୁଡରେ ପଡିଛନ୍ତି।

ସୁଚନାନୁସାରେ ଷ୍ଟେସନ ଛକ ଠାରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ମାଡି ଆସୁଥୁଲେ। ପୁଲିସ ଅଟକାଇବାରୁ ସେମାନେ ଦ୍ରୁତ ଗତିରେ ପଳେଇବାକୁ ଚେଷ୍ଟା କରୁଥିଲେ। ପୁଲିସର ସନ୍ଦେହ ହେବାରୁ ରତନପୁର ଛକଠାରେ ସେମାନଙ୍କୁ ଅଟକାଇଥିଲେ। ତାଙ୍କ ଠାରୁ ୫.୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ବାଇକ ଜବତ କରିଛି।

ନୟାଗଡ଼ ଟାଉନ ଥାନା ପକ୍ଷରୁ ୧୦୯/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସିନ୍ଦୁରିଆ ଗ୍ରାମର ମଲ୍ଲିକ ସମିମ ଆଖତର ଓ ସୁନୀଲ କୁମାର ପାତ୍ର।

Categories
ଆଞ୍ଚଳିକ

ନୟାଗଡରେ ବିଜେପି ର ମହା ଜନସମ୍ପର୍କ ଅଭିଯାନ

ନୟାଗଡ: ନୟାଗଡ ଜିଲ୍ଲା ଇଟାମାଟି ମଣ୍ଡଳ ବଡ଼ପଣ୍ଡୁସର ପଞ୍ଚାୟତର ଗେଡିପାଟଣା ଗ୍ରାମବାସୀ ଆଜି ଏକ ବିଶେଷ ମଞ୍ଚରେ ବିଜେପି ଦଳରେ ସାମିଲ ହୋଇଛନ୍ତି। ଗ୍ରାମରେ ଚାଲିଥିବା ଇନ୍ଦ୍ରାଣୀ ଦେବୀଙ୍କ ସପ୍ତମ ବାର୍ଷିକ ଜଜ୍ଞ ଏବଂ ସାଂସ୍କୃତିକ ମଞ୍ଚରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଶପଥ ନେଇ ଗ୍ରାମ ସଭାପତି ବିରେନ୍ଦ୍ର ମଲ୍ଲଙ୍କ ନେତୃତ୍ବରେ ବିଜେପି ଦଳରେ ସାମିଲ ହୋଇଛନ୍ତି।

ଦିର୍ଘଦିନର ବିଜେଡି ଶାସନରେ ଗ୍ରାମର କୌଣସି ବିକାଶ ହୋଇପାରିନଥିବାରୁ ବହୁଦିନ ଅବହେଳିତ ହୋଇ ରହିବା ପରେ ଆଜି ଏକ ସାମୁହିକ ନିଷ୍ପତ୍ତି ନେଇ ସ୍ଥାନୀୟ ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ବିଜେପିର ମହା ଜନ ସମ୍ପର୍କ ଅଭିଯାନ ଅବସରରେ ଦଳରେ ଯୋଗଦାନ କରିଛନ୍ତି। ଗୋଟିଏ ଗ୍ରାମର ଆବାଳ ବୃଦ୍ଧ ବନିତା ସମ୍ପୂର୍ଣ୍ଣ ବିଜେପି ଦଳରେ ଯୋଗଦେବା ନୟାଗଡ ତଥା ରାଜ୍ୟ ରୈ ପ୍ରଥମ ଘଟଣା ବୋଲି ଜିଲ୍ଲା ସଭାପତି ଶ୍ରୀ ଲାଲା ମନୋଜ ରାୟ ପ୍ରକାଶ କରିଛନ୍ତି।

ଏହି ଆୟୋଜିତ ମିଶ୍ରଣ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀରନ୍ଞନ ମଙ୍ଗରାଜ ଯୋଗଦେଇ ନରେନ୍ଦ୍ର ମୋଦୀଙ୍କ ବିକାଶ ରଥରେ ଗେଡିପାଟଣା ସାମିଲ ହୋଇଥିବାରୁ ଗ୍ରାମବାସୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଜିଲ୍ଲା ପୁର୍ବତନ ସଭାପତି ସନ୍ୟାସୀ ନାୟକ , ଜିଲ୍ଲା ସଭାପତି ଲାଲା ମନୋଜ କୁମାର ରାୟ, ବିଧାନ ସଭା କ୍ଷେତ୍ରର ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ, ଜିଲ୍ଲା ଉପ ସଭାପତି ବିରେନ୍ଦ୍ର ନାୟକ, ମଣ୍ଡଳ ସଭାପତି ରାଜ କିଶୋର ପୃଷ୍ଟି , ଯୁବନେତା ପ୍ରଭାତ କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେବା ସହିିତ ସାଧୁବାଦ ଜଣାଇ ଥିଲେ।

ଉକ୍ତ ସଭାକୁ ଗ୍ରାମବାସୀଙ୍କ ତରଫରୁ ଜିତୁ ମଲ୍ଲ, ସମିର ଭଟ୍ଟ, ସୁଶାନ୍ତ ମଲ୍ଲ, ଯୋଗେନ୍ଦ୍ର ମଲ୍ଲ, ମୀନା ଦେବତା, ରମାକାନ୍ତ ବାଘ, ସୁସମା ବାଘ, ମଞ୍ଜୁଲତା ଦାସ, ଗୌରୀ ମଲ୍ଲ ପ୍ରମୁଖ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ମିଳିତ ଶିକ୍ଷକ ସଂଘ ଆନୁକୂଲ୍ୟରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ରଣପୁର: ଆଜି ନୟାଗଡ ରଣପୁର ଶିକ୍ଷା ବ୍ଲକର ଗୌରାଙ୍ଗପୁର କ୍ଲଷ୍ଟରରେ ବିଦାୟ ସମ୍ବର୍ଦ୍ଧନା ସହିତ ସ୍ୱାଗତ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗୌରାଙ୍ଗପୁର କ୍ଲଷ୍ଟରର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ନୂତନ ଭାବେ ଗଠିତ ହୋଇଥିବା ମିଳିତ ଶିକ୍ଷକ ସଂଘ ପ୍ରୟାସରେ ଆୟୋଜିତ ହୋଇଥିଲା।

ଏଥିରେ ମୂଖ୍ୟ ଅତିଥି ଭାବେ ବଜ୍ରକୋଟ ଗ୍ରାମପଚାଂୟତ ସରପଚଂ ବନିତା ବଳିଆରସିଂହ, ମୂଖ୍ୟ ବକ୍ତା ଭାବେ ସମିତି ସଭ୍ୟ ସୁଦର୍ଶନ ବଳିଆରସିଂହ, ସମ୍ମାନୀତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ଗୌରାଙ୍ଗପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ ପ୍ରମୂଖ ଯୋଗ ଦେଇଥିଲେ।

ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଂଚ ପରିଚାଳନା କରିଥିଲେ। ଶିକ୍ଷକ ନରସିଂହ ମାଝୀ ବିଦାୟ ସଙ୍ଗୀତ ଗାନ କରିଥିଲା ବେଳେ ଶିକ୍ଷକ ପ୍ରତାପ କିଶୋର ପ୍ରଧାନ ଓ ବ୍ରଜ କିଶୋର ପ୍ରଧାନ ବାଦ୍ୟ ବାଦନରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୋସ୍ନାମୟୀ ପ୍ରଧାନ, ସହକାରୀ ଶିକ୍ଷୟତ୍ରୀ ରୁକୁଣା ଦେଇ, ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲିଧର ମହାରଣା, କଙ୍କିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଏବଂ ଗୌରାଙ୍ଗପୁର କ୍ଲଷ୍ଟରର ପୂର୍ବତନ ସି.ଆର.ସି.ସି. ସନ୍ତୋଷ କୁମାର ମିଶ୍ରଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ବିଦାୟ ସମ୍ଭର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ସି.ଆର.ସି.ସି. ଭାବେ ଯୋଗ ଦେଇଥିବା ସୁଧାକର ମିଶ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଉପସ୍ଥିତ ଥିବା ଅତିଥି, ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁଣଗାନ କରିବା ସହିତ ଅବସର ଜୀବନ ସୁଖମୟ ହେଉ ବୋଲି ପ୍ରଭୁ ଗଜାନନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କିଶୋର ଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ସୁବାଷ ଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ଶତପଥି, ପାର୍ବତୀ ସାହୁ, ଅଜୟ କୁମାର ପ୍ରଧାନ, ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଏବଂ ଗୌରାଙ୍ଗପୁର କ୍ଲଷ୍ଟରର ମିଳିତ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଲ ରୂପାୟନ ହୋଇପାରିଛି।

ବଜ୍ରକୋଟ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ, ମୋ ସକୁଲ ସବାପତି ଗଣେଶ୍ୱର ପ୍ରଧାନ, ପରିଚାଳନା କମିଟି ସଦସ୍ୟ ଚନ୍ଦ୍ରକାନ୍ତ ମଙ୍ଗରାଜ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଚାଲାଣ ହେଉଥିଲା ଗଞ୍ଜେଇ, ନୟାଗଡରୁ ଜବତ କଲା ଏସଟିଏଫ: ଦୁଇ ଗିରଫ

ଭୁବନେଶ୍ଵର: କନ୍ଧମାଳରୁ ନୟାଗଡ଼ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ମାଡି ବସିଛି। ଦୁଇ ଜଣ ଗିରଫ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।  ପୁର୍ବରୁ ଖବର ପାଇ ଇଟାମାଟି ପୋଲିସ ସହାୟତାରେ ଏସଟିଏଫ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ତେବେ ପରିଶେଷରେ ଏକ ନିର୍ଦ୍ଦିଷ୍ଟ ଇନୋଭା କାରକୁ ଠାବ କରି ତାଲାସି ନେଇଥିଲା ଏସଟିଏଫ। ତାଲାସି ବେଳେ ଉକ୍ତ କାରରୁ ୧୦୬ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ଦ୍ବୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଯୁଗଳ ନାୟକ (୨୯) ଏବଂ ଫୁଲବାଣୀ ଥାନା ଅଞ୍ଚଳର ରଞ୍ଜିତ ଭୋଇ (୨୪)। ଏ ସଂକ୍ରାନ୍ତରେ ଇଟାମାଟି ଥାନାରେ କେସ ନମ୍ବର ୧୨୯/୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

Breaking News: ବିଜେଡି ଘୋଷଣା କଲା ନୟାଗଡ ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୟାଗଡ ଜିଲ୍ଲା ପାଇଁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହି ଘୋଷଣା କରାଯାଇଛି।

ଏଥିରେ ନୟାଗଡ ଜିଲ୍ଲା ସଭାପତି ଭାବେ ରମେଶ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୧୨ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନୂଆ ତାଲିକାରେ ୨୦ ଜଣ ସାଧାରଣ ସଂପାଦକ ଏବଂ ୬୦ ଜଣଙ୍କୁ ସଂପାଦକ ଭାବେ ମଧ୍ୟ ବିଜେଡି ନିଯୁକ୍ତି ଦେଇଛି।

ଜିଲ୍ଲାର ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ମଧ୍ୟ ଦଳ ୧୨ ଜଣଙ୍କୁ ଏବଂ ବିଭିନ୍ନ ଏନଏସିର, ମୁନ୍ୟୁସିପାଲଟି ଏବଂ ବ୍ଲକ ସଭାପତି ଭାବେ ୧୩ ଜଣଙ୍କୁ ନିଯୁକ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଗ୍ରାମପଞ୍ଚାୟତରେ ତାଲା ପକାଇ ଧାରଣା ବସିଲେ ଯୋଗ୍ୟ ହିତାଧିକାରୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବାରୁ ଅସନ୍ତୋଷର ବାତାବରଣ ଖେଳି ଯାଇଛି। କିଛି ଦିନ ତଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ତାଲିକାରେ ନଥିବାରୁ ବ୍ଲକ ପରିସରରେ ଧାରଣାରେ ବସିଥିଲେ।

ଆଜି ରଣପୁର ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନେ ମେଳି ହୋଇ ଗୋପାଳପୁର ଗ୍ରାମ ପଞ୍ଚାୟତରେ ତାଲା ପକାଇବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଗୋପାଳପୁର ସରପଞ୍ଚଙ୍କୁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଗୋପାଳପୁର ଗ୍ରାମପଞ୍ଚାୟତ ପୁରୁଷ ମହିଳାମାନେ ଧାରଣା ବସିଥିଲେ। ପ୍ରାୟ ୪୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ସ୍ଥଳେ ୧୫୮ ଜଣଙ୍କ ନାମ ତାଲିକାରେ ଆସିଛି ଏବଂ ଯେଉଁ ମାନଙ୍କର ନାମ ତାଲିକାରେ ନାହିଁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯେଉଁ ମାନଙ୍କ ନାମ ତାଲିକାରେ ନାହିଁ, ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ନାମକୁ ସରକାରୀ ସ୍ତରରେ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ରଣପୁର: ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ, ଜାଣନ୍ତୁ ତୃତୀୟ ଓ ପଞ୍ଚମ ଶ୍ରେଣୀରେ କିଏ ପାଇଲେ ସଫଳତା

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ୨୦୨୨ ଶିକ୍ଷା ବର୍ଷର ତୃତୀୟ ଓ ପଞ୍ଚମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତୃତୀୟ ଶ୍ରେଣୀରେ ସାନଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ, ମାଳିସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅନିଶା ସାହୁ ଦ୍ଵିତୀୟ ସ୍ଥାନ ଓ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସ୍ୱସ୍ତିକ ବିଶ୍ୱମ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ପଞ୍ଚମ ଶ୍ରେଣୀରେ ରାଜନଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓମ ସାଇ ଶୁଭମ ଲେଙ୍କା ପ୍ରଥମ ସ୍ଥାନ, ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦିବ୍ୟଜ୍ୟୋତି ଦଳବେହେରା ଦ୍ଵିତୀୟ ସ୍ଥାନ ଓ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୟସରାଜ ଚୌଧୁରୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ମେରିଟରେ ସାତ ଜଣ ଲେଖାଏଁ ଏବଂ ମେରିଟ୍-କମ-ପ୍ରଭର୍ଟରେ ସାତ ଜଣ ଲେଖାଏଁ ପାଇଥିବା ଜଣା ପଡିଛି।

Categories
ଆଞ୍ଚଳିକ

ରଣପୁର ଅବକାରୀ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ ସହ ୨ ଗିରଫ

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ମଦ ମାଫିଆଙ୍କ ଠାରୁ ବିଭାଗୀୟ କିଛି କର୍ମଚାରୀ ମାସିକ ଚାନ୍ଦା ନେଇ ଦେଶି ମଦକୁ ଏ ଅଞ୍ଚଳରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ସେପଟେ ଛୋଟ କାଟିଆ ଗରିବ ମଦ ବେପାରୀଙ୍କୁ ଧରି ଅବକାରୀ ବିଭାଗ ବାହା ବାହା ନେଉଥିବା ଲୋକ କହୁଛନ୍ତି।

ତେବେ ଆଜି ମଧ୍ୟାହ୍ନରେ ରଣପୁର ବ୍ଲକର ରାଜସୁନାଖଳା ଅଞ୍ଚଳରେ ଅଚାନକ ଚଢ଼ାଉ କରି ୫୦ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସୁନାଖଳାର ନାରାୟଣ ଡାକୁଆଙ୍କ ଠାରୁ ୧୦ ଲିଟର ଓ ମନୋରଞ୍ଜନ ସାହୁଙ୍କ ଜଳଖିଆ ଦୋକାନରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁହିଁଙ୍କୁ ଗିରଫ କରାଯାଇଛି।

ଏମାନେ ପୂର୍ବରୁ ଦେଶୀ ମଦ କାରବାର କରୁଥିବାର ଅବକାରୀ ବିଭାଗ ପାଖରେ ଖବର ଥିଲା। ବିଭାଗ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ତେବେ ଏହି ଚଢ଼ାଉରେ ଓ.ଆଇ.ସି ସୁଶାନ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ତାଣ୍ଡି, ନୟାଗଡ଼ ମୋବାଇଲ ଟିମ, ସୁବାଷ ସେଠି, ଲକ୍ଷ୍ମୀଧର ବେହେରା ପ୍ରମୁଖ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ନୟାଗଡ଼ରେ ଖୋଲିଲା ଟ୍ରେଣ୍ଡ୍‌ସ ମ୍ୟାନ୍‌

ନୟାଗଡ଼: ଟ୍ରେଣ୍ଡ୍‌ସ ମ୍ୟାନ୍ ପକ୍ଷରୁ ଓଡ଼ିଶାର ନୟାଗଡ଼ ସହରରେ ନୂଆ ମ୍ୟାନ୍ ଷ୍ଟୋର୍ ଖୋଲାଯାଇଛି। ଏଠାରେ କେବଳ ପୁରୁଷ ଫେସନ୍ ସାମଗ୍ରୀ ଉପଲବ୍ଧ କରାଯାଇଛି।
ଭାରତରେ ଟ୍ରେଣ୍ଡ୍‌ସ ପ୍ରକୃତରେ ଫେସନକୁ ସବୁ ଲୋକଙ୍କ ନିକଟରେ ପହଂଚାଇଛି।

ଭାରତରେ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର୧, ୨ ସହର ଏବଂ ତାଠାରୁ ଆଗକୁ ଯାଇ ନିଜର ଶାଖାକୁ ବିସ୍ତାର କରିବା ସହିତ ଗ୍ରାହକଙ୍କ ସହିତ ଯୋଡ଼ି ହୋଇଛି। ଟ୍ରେଣ୍ଡ୍‌ସ ମ୍ୟାନ୍ ପୁରୁଷ ଲୋକଙ୍କ ପ୍ରିୟ ଫେସନ୍ ସପିଂ ସ୍ଥାନରେ ପରିଣତ ହୋଇଛି।
ନୟାଗଡ଼ରେ ଟ୍ରେଣ୍ଡ୍‌ସ ମ୍ୟାନ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ନୟାଗଡ଼ ସହରର ଗ୍ରାହକମାନେ ଏଠାରୁ ଟ୍ରେଣ୍ଡି ମେନ୍ସ ୱିୟର ଅତି ସ୍ୱତନ୍ତ୍ର ମୂଲ୍ୟରେ କିଣିବା ସହିତ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ।

୧୭୪୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି ସ୍ୱତନ୍ତ୍ର ମ୍ୟାନ ଷ୍ଟୋର ନୟାଗଡ଼ରେ ପ୍ରଥମ ଷ୍ଟୋର। ଗ୍ରାହକଙ୍କୁ ଉଚ୍ଚମାନର ଫେସନ ଚମତ୍କାର ମୂଲ୍ୟରେ ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ଲଂଚ୍ ଅଫର ମଧ୍ୟ ରହିଛି। କେତେକ ବଛାବଛା ସାମଗ୍ରୀ ୨୯୯୯ ଟଙ୍କାର ସପିଂ କରିଲେ ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସଂପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି କରିଲେ ଗ୍ରାହକ ୧୫୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଫେସନ ସାମଗ୍ରୀ କିଣାକିଣିର ମଜାଦାର ଅଭିଜ୍ଞତା ନୟାଗଡ଼ରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ମ୍ୟାନ ଷ୍ଟୋରକୁ ଆସି ଗ୍ରାହକମାନେ ନେଇପାରିବ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ଼ଧରଣର ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ: ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଅଳଙ୍କାର ଜବତ

ନୟାଗଡ଼: ନୟାଗଡ଼ରେ ବଡ଼ଧରଣର ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ। ଲୁଟେରାଙ୍କ ଠାରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଜବତ କରିବା ସହ ଏହି ଘଟଣାରେ ମୋଟ ୮ ଜଣଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି।

ନୟାଗଡ଼ ଅଂଚଳର ଏହି ଲୁଟେରା ଗ୍ୟାଙ୍ଗ ଜିଲ୍ଲା ବାହାରେ ବିଭିନ୍ନ ସମୟରେ ସୁନା ଓ ରୁପା ଅଳଙ୍କାର ଲୁଟ କରିଥିବା ବେଳେ ବିଭିନ୍ନ ଥାନାରେ ପ୍ରାୟ ୧୦ ରୁ ଅଧିକ ମାମଲାରେ ଏମାନଙ୍କର ସମ୍ପୃକ୍ତି ରହିଥିବା ନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେପଟେ ପ୍ରାୟ କୋଡିଏ ଜଣ ଲୁଟେରା ଗ୍ୟାଙ୍ଗ ମଧ୍ୟରୁ ୬ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ସାମଗ୍ରୀ କିଣିଥିବା ୨ ଜଣ ସୁନା ବ୍ୟବସାୟୀଙ୍କୁ ମଧ୍ୟ ନୟାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କର ପଲେଇ, ମନୋରଞ୍ଜନ ମହାରଣା, ଶରତ ଚନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା, ରମେଶ ଲେଙ୍କା, ମିଟୁ ସ୍ୱାଇଁ।  ଅନ୍ୟମାନଙ୍କ ମଧ୍ୟରେ ଚୋରି ସାମଗ୍ରୀ କିଣୁଥିବା ୨ ସୁନା ବ୍ୟବସାୟୀ ହେଲେ କାଳନ୍ଦୀ ସୁବୁଦ୍ଧି ଓ ସଞ୍ଜୟ ସିରକେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରୁ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ସହ ଗାଡ଼ି ଜବତ କଲା ଏସଟିଏଫ, ଜଣେ ଗିରଫ

ଭୁବନେଶ୍ଵର: ଏସଟିଏଫକୁ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା କୋଇଲା ବୋଝେଇ ଗାଡିଗୁଡ଼ିକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି। ସୂଚନା ମୁତାବକ ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମରେ ବହୁ ପରିମାଣରେ ଚୋରା କୋଇଲା ଗଚ୍ଛିତ ଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ସମ୍ପୃକ୍ତ ସ୍ଥାନରେ ଫତେଗଡ଼ ପୋଲିସର ସହଯୋଗରେ ଏସଟିଏଫ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ସମୁଦାୟ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ଏବଂ ଦୁଇ ଗୋଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ ନାମକ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି।

ଏହି ପରିପ୍ରେକ୍ଷୀରେ ଫତେଗଡ଼ ଥାନାରେ କେସ ନମ୍ବର ୧୭୩/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଟିଏଫ ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୂଆ ସିଲେଇ ମେସିନ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦପୁର ପୋଲିସ: ତିନି ଗିରଫ

ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଚୋରିର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରୀରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ଗୋଟେ ସିଲେଇ ମେସିନ ଦୋକାନରୁ ସାତ ଗୋଟି ନୂଆ ସିଲେଇ ମେସିନ ଏବଂ ଉକ୍ତ ଅଞ୍ଚଳରୁ ଏକ ଟିଭିଏସ ଏକ୍ସଲ ମଟରସାଇକେଲ ଗତକାଲୀ ରାତିରେ ଦୁର୍ବୁତ୍ତ ମାନେ ଚୋରି କରି ନେଇଯାଇଥିଲେ।

ଅଭିଯୋଗ ପାଇବା ପରେ ଚାନ୍ଦପୁର ପୋଲିସ କେଶ ନମ୍ବର ୫୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ଉକ୍ତ ଚୋରିରେ ସାମିଲ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ଥାନା ଅଞ୍ଚଳର ରବୀନ୍ଦ୍ର ସାହୁ, ବୋଲଗଡ଼ ଥାନା ଅଞ୍ଚଳର ଧରିମ ଖାନ ଏବଂ ଟାଙ୍ଗୀ ଥାନା ଅଞ୍ଚଳର ଅଜୁ ମହାପାତ୍ର।

ଦୁର୍ବୁତ୍ତମାନେ ସମସ୍ତ ଚୋରି ଜିନିଷ ମାଣିକଗଡ଼, ବୋଲଗଡ ଏବଂ ଟାଙ୍ଗୀ ଅଞ୍ଚଳରେ ବିକ୍ରି କରିଥିବାର ପୋଲିସ ଆଗରେ ସ୍ୱୀକାର କରିଥିଲେ।

ତେବେ ଚୋରି ଜିନିଷ ମଧ୍ୟରୁ ପୋଲିସ ଚାରି ଗୋଟି ସିଲେଇ ମେସିନ ଏବଂ ଟିଭିଏସ ବାଇକ ଉଦ୍ଧାର କରିଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।  ଉଦ୍ଧାର ଜିନିଷ ଗୁଡିକୁ ସେମାନଙ୍କ ମାଲିକଙ୍କୁ ଫେରାଇଦିଆଯାଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଦାସ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁମୁହିଁ ଧକ୍କା: ମହିଳା ମୃତ, ତିନି ଆହତ

ନୟାଗଡ/ରଣପୁର: ନୟାଗଡ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଲୋଧାଚୁଆ ନିକଟସ୍ଥ ବଜ୍ରକୋଟ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଓଡ଼ଗାଁରୁ ଅଟୋ ରିକ୍ସା ଯୋଗେ ଗୋଟିଏ ପରିଵାରର ଲୋକ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଟାଙ୍ଗୀ ଥାନା କୁହୁଡ଼ି ଯାଉଥିଲେ। କିନ୍ତୁ ରଣପୁର ବ୍ଲକ୍ ଅନ୍ତର୍ଗତ ବାଜ୍ରକୋଟ ଗାଁ ନିକଟରେ ସେମାନଙ୍କ ଅଟୋଟି ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସାମ୍ନାରୁ ଧକ୍କାଦେବା ଫଳରେ ଅଟୋରୁ ଜଣେ ମହିଳା  ଛିଟିକି ଯାଇ ଟ୍ରକ୍ ଚକା ତଳେ ପଡିଯାଇଥିଲେ। ଫଳରେ ମହିଳାଙ୍କ ଦେହରୁ ହାତ ଅଲଗା ହେବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଯାହା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତିନିଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଓଡିଆ ଭାରୋତଳନକାରୀ ଝିଲ୍ଲୀ ଦଳବେହେରା

ଭୁବନେଶ୍ୱର: ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶାର ନୟାଗଡର ୨୨ ବର୍ଷ ବୟସ୍କା ଭାରୋତଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି। ଡିସେମ୍ବର ମାସରେ ଝିଲ୍ଲୀ ତାସକେଂଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତଳନ ଚମ୍ପିଆନସିପ୍ ରେ ମୋଟ ୧୬୭ କିଲୋଗ୍ରାମ ଭାର ଉତୋଳନ କରିବା ସହିତ ଏକ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ। ପଦକ ହାସଲ ସତ୍ୱେ ଝିଲ୍ଲୀ ନିଜର ପ୍ରୟାସକୁ ନେଇ ସନ୍ତୁଷ୍ଟ ହୋଇନଥିଲେ, କାରଣ ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୭୬ କିଲୋଗ୍ରାମରୁ କମ୍ ରହିଥିଲା।

ନିଜ ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଝିଲ୍ଲୀ କହିଛନ୍ତି, “ପ୍ରତିଯୋଗିତାର ପ୍ରାରମ୍ଭରେ ମୋର ପ୍ରଦର୍ଶନ ଖରାପ ରହିଥିଲା, କାରଣ ପ୍ରଥମ ଦୁଇଟି ୭୩ କିଲୋଗ୍ରାମ ସ୍ନାଚ୍ ବର୍ଗରେ ମୁଁ ବିଫଳ ହୋଇଥିଲି। ତେବେ ଚୂଡାନ୍ତ ପ୍ରୟାସରେ ମୁଁ ଏକ ଭାର ଉତୋଳନ କରିବାରେ ସଫଳ ହୋଇଥିଲି। ତେବେ ଏହାଦ୍ୱାରା ସ୍ନାଚ୍ ରେ ସ୍କୋର କମିଗଲା, ଯେଉଁଠି ମୁଁ ୭୮ କିଲୋଗ୍ରାମ ଅଥବା ତାହାଠାରୁ ଅଧିକ ଭାର ଉତୋଳନ କରିପାରିଥାନ୍ତି। ପ୍ରଥମ ଲିଫ୍ଟରେ ବିଫଳ ହେବା ଏକ ବଡ ଧକ୍କା, କାରଣ ଏହା ଜଣକର ଆତ୍ମବିଶ୍ୱାସକୁ ଚୂରମାର କରିଦେଇଥାଏ ଏବଂ ପ୍ରତିଯୋଗିତାରେ ମାନସିକ ସ୍ତରରେ ଶୂନ୍ୟ କରିଦିଏ। ତେଣୁ ଭାରୋତଳନକାରୀମାନେ ଏଭଳି ପ୍ରତିକୂଳ ପରିସ୍ଥିତି ସହିତ କିଭଳି ଖାପଖୁଆଇ ପୁଣି ମଜଭୁତ ଭାବରେ ପ୍ରତ୍ୟାବର୍ତନ କରିବେ, ତାହା ଶିକ୍ଷାଲାଭ କରିବା ଗୁରୁତ୍ୱପୂର୍ଣ୍ଣ।”

ଏକ ସ୍ୱଳ୍ପ ଆୟ ରହିଥିବା ପରିବାରରୁ ଆସିଥିବା ଝିଲ୍ଲୀ ଆଦ୍ୟାବସ୍ଥାରୁ ଜଣେ ଆଥଲେଟ ହେବାର ସମସ୍ତ ସମ୍ଭାବନା ବହନ କରୁଥିଲେ ଏବଂ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ କ୍ରୀଡା ଛାତ୍ରାବାସରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ୨୦୧୯ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ (ଆରଏଫୱାଇଏସ)ର ଏଲିଟ ଆଥଲେଟ ବୃତି ଯୋଜନାରେ ସାମିଲ ହେବା ପରେ ତାଙ୍କ କ୍ୟାରିୟରକୁ ମଜଭୁତ ସମର୍ଥନ ମିଳିଥିଲା।

ପ୍ରତିଯୋଗିତା ସମ୍ପର୍କିତ ଗସ୍ତ ଓ ଗମନାଗମନ ପାଇଁ ଆର୍ଥିକ ସହାୟତା ସହିତ ଝିଲ୍ଲୀଙ୍କୁ ମୁମ୍ବଇସ୍ଥିତ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରର ସର୍ବାଧୁନିକ କ୍ରୀଡା ବିଜ୍ଞାନ ଓ ଭେଷଜ ବିଶେଷଜ୍ଞ ଦଳ ନିକଟରୁ ସ୍ୱତନ୍ତ୍ର ଯତ୍ନ ମିଳିବା ସୁନିଶ୍ଚିତ ହୋଇଥିଲା। ଝିଲ୍ଲୀ ସଂପ୍ରତି ସ୍ୱତନ୍ତ୍ର ଭାବରେ ରହିଥିବା ଜଣେ ଫିଜିଓଥେରାପିଷ୍ଟ, ସାମର୍ଥ୍ୟ ଓ କଣ୍ଡିସନିଂ କୋଚ୍ ଏବଂ ପୁନର୍ବାସ, ପୁଷ୍ଟିସାଧନ, ମନସ୍ତତ୍ୱ ଏବଂ ଡାଟା ପରିଚାଳନା ଓ ବିଶ୍ଳେଷଣ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱତନ୍ତ୍ର ତଥ୍ୟ ଓ ଜ୍ଞାନର ସୁଯୋଗ ନେଇପାରୁଛନ୍ତି।

ସାର୍ ଏନ ଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରରେ ଥିବା ପ୍ରମୁଖ କ୍ରୀଡା ଓ ବ୍ୟାୟାମ ମନସ୍ତତ୍ୱବିଦ୍ ମୈଥିଳୀ ଭୁପତାନି ଝିଲ୍ଲୀଙ୍କ ସହିତ ନିୟୋଜିତ ହୋଇଥିବା ପ୍ରଥମ ବିଶେଷଜ୍ଞମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଦୃଶ୍ୟମାନ କୌଶଳ ଏବଂ ନିଜ ଭାବପ୍ରବଣତାକୁ ନେଇ ଆତ୍ମ ସଚେତନତାରେ ବୃଦ୍ଧି ଜରିଆରେ ଭୂପତାନି ଝିଲ୍ଲୀଙ୍କ ପାଇଁ ଏକ ବିସ୍ତୃତ, ବ୍ୟକ୍ତିଗତ ଆଧାରିତ ଯୋଜନା ପ୍ରସ୍ତୁତ କରିବା ସହିତ ତାଙ୍କପାଇଁ ଯୋଜନାବଦ୍ଧ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଭୂପତାନିଙ୍କ ବ୍ୟତୀତ ଝିଲ୍ଲୀ ପୋଷଣ ବିଶେଷଜ୍ଞ ମିହିରା ଖୋପ୍‌କରଙ୍କ ନିକଟରୁ ମଧ୍ୟ ଅନେକ ଉପାଦେୟ ପରାମର୍ଶ ଲାଭ କରିଥିଲେ, ଯିଏ ଝିଲ୍ଲୀଙ୍କୁ ତାଙ୍କର ଭାରୋତଳନକାରୀ ବର୍ଗ ୪୫ କିଲୋଗ୍ରାମରୁ ୪୯ କିଲୋଗ୍ରାମକୁ ପରିବର୍ତନ ସମୟରେ ନିଜର ସାମର୍ଥ୍ୟ ଓ ଶକ୍ତି ପୁନଃ ନିର୍ମାଣ ନିମନ୍ତେ ଶରୀରର ମାଂସପେଶୀକୁ ସୁସଂଗଠିତ ଓ ସୁଦୃଢ କରି ଗଢିତୋଳିବା ଦିଗରେ ସହାୟତା କରିଥିଲେ।

ଫିଜିଓଥେରାପିଷ୍ଟ ହରିୟାଲି ବାରୋଟ ଆଉଜଣେ ଦୃଢ ସମର୍ଥନକାରୀ ହୋଇଛନ୍ତି, ଯିଏ କାନ୍ଧ ଏବଂ ନିତମ୍ବର ଚଳନଶୀଳତା, ଶରୀରର ଉପରିଭାଗର ସାମର୍ଥ୍ୟ, ମୁଖ୍ୟ ମାଂସପେଶୀଗୁଡିକର ଦୃଢତା ଆଦି ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକ ଚିହ୍ନଟ କରି ଉଚିତ୍ ପରାମର୍ଶ ଯୋଗାଇଥିଲେ।

ଏହି ସମସ୍ତ ସହଯୋଗ ଓ ସହାୟତା ସହିତ ସମାନ ସମୟରେ ଝିଲ୍ଲୀଙ୍କର କ୍ୟାରିୟର ମଧ୍ୟ ଆଗକୁ ବଢିବାରେ ଲାଗିଛି। ୨୦୧୯ରେ ସେ ସମାଓଠାରେ ରାଜ୍ୟଗୋଷ୍ଠୀ ସିନିୟର ଚମ୍ପିଆନସିପ୍ ଏବଂ ନେପାଳରେ ଦକ୍ଷିଣ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଏସୀୟ ଚମ୍ପିଆନସିପ୍ ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ। ୨୦୨୦ରେ ସେ କୋଲକାତାରେ ଅନୁଷ୍ଠିତ ସିନିୟର ଜାତୀୟ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବା ସହିତ ୨୦୨୧ରେ ତାସକେଂଟ୍ ଠାରେ ଏସୀୟ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ରିଲାଏନ୍ସ ଫାଉଣ୍ଡେସନ୍ ଯୁବ କ୍ରୀଡା (ଆରଏଫୱାଇଏସ୍‌) ର ମଜଭୁତ ସମର୍ଥନ ବଳରେ ଝିଲ୍ଲୀ ସଂପ୍ରତି ତାଙ୍କ କ୍ୟାରିୟରର ପରବର୍ତ୍ତୀ ସୋପାନ ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି। ତାଙ୍କ ପାଇଁ ଅଲିମ୍ପିକ୍ସରେ ଏକ ପଦକ ହାସଲ ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଥିବା ଝିଲ୍ଲୀ କହିଛନ୍ତି।

Categories
ବିଶେଷ ଖବର

ନୟାଗଡ ଓ ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ୧୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ନୟାଗଡ ମାଟିର ଗୌରବ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତ ତଥା ସଂଗ୍ରାମୀ, ଶହୀଦ ରଘୁ ଦିବାକରଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରା ରାଜ୍ୟରେ ପିଇବା ପାଣି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ଏହାଦ୍ବାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ। ନୟାଗଡର ମିଶନ ଶକ୍ତିର ମା ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସ୍‌ରେ ସୁବିଧା ପାଇଁ ୧୬୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଜିଲ୍ଲାରେ ଭଲ କାମ ହେଉଛି ବୋଲି କହିଥିଲେ।

ସେହିପରି ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଂଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ। ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ନୟାଗଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦର୍ଶୀ କାର୍ଯ୍ୟକ୍ରମ ଯୋଗୁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ। ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।