ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରରୁ ସିଙ୍ଘାପଡ଼ା ଅଞ୍ଚଳକୁ ସୋମବାର ଅପରାହ୍ନରେ ଯାତ୍ରା କରୁଥିବା ଏକ ମୁଖ୍ୟମନ୍ତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସରେ ଥିବା ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଚାଳକ ଆହତ ହୋଇଛନ୍ତି। ବେପରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏହି ଅପ୍ରୀତିକର ଘଟଣା ଘଟିଥିବା ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବସଟି ଖଳିସାହିରୁ ସିଙ୍ଘାପଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟ ନିକଟରେ ଆଗରେ ଯାଉଥିବା ଏକ ଘରୋଇ ପରିବହନର ମିନି ବସକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ବସରେ ଯାତ୍ରା କରୁଥିବା ବହୁ ଛାତ୍ରଛାତ୍ରୀ ଓ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବସ ଭିତରୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆଶୁ ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆହତ ସମସ୍ତ ଯାତ୍ରୀ ସିଙ୍ଘାପଡ଼ା ପଞ୍ଚାୟତ ଅଧୀନ ଖୁଣ୍ଟୁବନ୍ଧ, ସାରଣ୍ଡା, ବୁଢ଼ୀଝରି ଓ ଟିକିରିବାରି ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ସିଙ୍ଘାପଡ଼ା ସରପଞ୍ଚ ସୁନୀଲ ପ୍ରଧାନ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତମାନଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ କାର୍ଯ୍ୟରତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଖଣ୍ଡପଡ଼ା ଥାନାରେ ଉଭୟ ବସର କର୍ମଚାରୀ ପରସ୍ପରକୁ ଦୋଷାରୋପ କରି ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।


