ନୟାଗଡ଼: ପ୍ରାଥମିକ ଶିକ୍ଷାରେ ଇଂରାଜୀ ଭାଷା ଶିକ୍ଷଣକୁ ଅଧିକ ସରଳ, ସକ୍ରିୟ ଓ ଆନନ୍ଦଦାୟକ କରିବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାରେ ଏକ ପାଞ୍ଚ ଦିନିଆ ଇଂରାଜୀ ଭାଷା ଦକ୍ଷତା ବିକାଶ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ୨୧ ସେପ୍ଟେମ୍ବରରୁ ୨୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାର ୮ଟି ବ୍ଲକ୍ରୁ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ପ୍ରଶିକ୍ଷଣରେ ଯୋଗଦେଇ ଇଂରାଜୀ ଭାଷା ଦକ୍ଷତା, ଶ୍ରେଣୀକକ୍ଷ ଯୋଗାଯୋଗ ଏବଂ ପ୍ରଭାବଶାଳୀ ଶିକ୍ଷଣ ପଦ୍ଧତି ସମ୍ପର୍କରେ ବିଭିନ୍ନ ଅନୁଭୂତିମୂଳକ ଓ ବ୍ୟବହାରିକ ଶିକ୍ଷଣ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ।
ପ୍ରଶିକ୍ଷକ ଭାବେ ଅଭିମନ୍ୟୁ ଦାସ, ରାମକାନ୍ତ ପଣ୍ଡା, ମାନସ ରଞ୍ଜନ ନାୟକ, ଦୁର୍ଗାକାନ୍ତ ଆଚାର୍ଯ୍ୟ, ପ୍ରଣତି ମହାପାତ୍ର ଓ ଭାରତୀ ମିଶ୍ର ଯୋଗଦେଇ ବିଭିନ୍ନ ଶିକ୍ଷଣ ପଦ୍ଧତି, ଭାଷା ଅଭ୍ୟାସ, କ୍ଲାସ୍ରୁମ୍ କମ୍ୟୁନିକେସନ୍ ଓ ଶିକ୍ଷାଦାନରେ ଇଂରାଜୀର ସକ୍ରିୟ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଏଡିଇଓ ବନଲତା ବେହେରା ଓ ପେଡାଗୋଜି କୋଅର୍ଡିନେଟର କୃଷ୍ଣIରାଣୀ ମାଝୀ ପ୍ରଶିକ୍ଷଣାର୍ଥୀ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ଶିକ୍ଷକମାନଙ୍କ ଅନୁଭୂତି, ଶ୍ରେଣୀକକ୍ଷରେ ଇଂରାଜୀ ଶିକ୍ଷାଦାନର ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ମତବିନିମୟ କରିଥିଲେ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଭେନ୍ୟୁ ଇନ୍ଚାର୍ଜ ସରୋଜ କୁମାର ସାହୁଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ପାଞ୍ଚ ଦିନିଆ ଏହି ପ୍ରଶିକ୍ଷଣ ଶିକ୍ଷକମାନଙ୍କୁ ଇଂରାଜୀ ଭାଷାରେ ଆତ୍ମବିଶ୍ୱାସ ବଢ଼ାଇବା ସହିତ ପରସ୍ପର ଅନୁଭୂତି ବିନିମୟ ଓ ନୂତନ ଶିକ୍ଷଣ କୌଶଳ ଆହରଣର ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା। ପ୍ରଶିକ୍ଷଣ ଶେଷରେ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଅଧିକ ସକ୍ରିୟ, ସୃଜନଶୀଳ ଓ ଆନନ୍ଦଦାୟକ ଇଂରାଜୀ ଶିକ୍ଷଣ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।


