
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି।
ବର୍ତ୍ତମାନ ୧୧ଟି ଜିଲ୍ଲା ତଥା ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ଝାରସୁଗୁଡା, ମାଲକାନଗିରି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଯାରି ରହିଛି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ ଦିଆଯାଇଛି।
ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଅଧିକାରୀ ମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଉଛି। ଏହି ୧୧ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୨୩ ଜଣ ସୁପରଭାଇଜର ଓ ୧୨୮୨ ଜଣ ନୋଡାଲ ଅଫିସର ନିଯୁକ୍ତ ଅଛନ୍ତି। ଏହି ଅଧିକାରୀ ମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ଚାଷୀ ମାନେ ସେମାନଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଜଣାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି।
ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି।