Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାନମଣ୍ଡି ଖୋଲିବା ନେଇ ରାଜ୍ୟ ବିଜେପି ତରଫରୁ ସବଡିଭିଜନରେ ପ୍ରତିବାଦ

ଭୁବନେଶ୍ୱର : ଧାନମଣ୍ଡି ଖୋଲିବା ଦାବିରେ ଆଜି ରାଜ୍ୟର ସବ୍‌ଡିଭିଜନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଏବଂ ଉପଜିଲ୍ଲାପାଳଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଧାନମଣ୍ଡି ଖୋଲିଛନ୍ତି ବୋଲି ମିଥ୍ୟା ଚିତ୍କାର କରୁଛନ୍ତି କିନ୍ତୁ ବାସ୍ତବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣାଂଚଳରେ ଧାନ ଅମଳ ପାଖାପାଖି ୮୦% ଶେଷ ହୋଇଯାଇଥିଲେ ବି ଧାନମଣ୍ଡି ଖୋଲା ଯାଇନାହିଁ ।

ଚାଷୀମାନଙ୍କ ଲାଗି ପଶ୍ଚିମଓଡ଼ିଶା ଅଂଚଳରେ ଖୋଲାଯାଇଥିବା ଧାନମଣ୍ଡି ଗୁଡିକର କୁପରିଚାଳନା ଓ ବିଶୃଙ୍ଖଳା କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ନଦାତାଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ହତାଦାର ଓ ଅନ୍ୟାୟ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉପଜିଲ୍ଲାପାଳମାନଙ୍କୁ ଦାବିପତ୍ର ଦିଆଯିବା ସହ ୨୨ରୁ ୨୮ ତାରିଖ ଆଗାମୀ ୭ଦିନ ଧରି ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମରେ ଧାନମଣ୍ଡିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବ ।

ମଣ୍ଡି ଖୋଲି ନଥିବା ସ୍ଥାନରେ ତୁରନ୍ତ ମଣ୍ଡି ଖୋଲିବା, ମଣ୍ଡିର ପରିଚାଳନାଗତ ତ୍ରୁଟି ସଜାଡିବା, କୃଷକ ରେଜିଷ୍ଟ୍ରେସନରେ ଅନିୟମତିତା ଓ ପାତର ଅନ୍ତର ନୀତି ବନ୍ଦ କରିବା, ସେଂଟ୍ରାଲ ଟୋକନ ନାଁରେ ଭ୍ରଷ୍ଟାଚାର ବନ୍ଦ କରିବା, କଟନୀ-ଛଟନୀ ବନ୍ଦ କରିବା, ଚାଷୀ ମୁଣ୍ଡ ପିଛା ସର୍ବାଧିକ ୬୦କ୍ୱିଂଟାଲ ଧାନବିକ୍ରି କରିବା ନିଷ୍ପତିକୁ ରଦ୍ଦ କରି ବିକ୍ରି ସୀମାକୁ ବୃୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏମ୍‌ଏସପି ଚାଷୀଙ୍କୁ ପ୍ରଦାନ ଏବଂ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୱିଂଟାଲ ପିଛା ୧୦୦ଟଙ୍କା ବୋନସ ତୁରନ୍ତ ପ୍ରଦାନ କରନ୍ତୁ ସମେତ ୧୦ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଘେରିଥିଲା ବିଜେପି ।

ଉପଜିଲ୍ଲାପାଳମାନଙ୍କ ମାଧ୍ୟମରେ ୭ଦିନର ମହଲତ ଦେଇ ସମସ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ କୃଷକଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବ ବିଜେପି ।

Categories
ଆଜିର ଖବର ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ ସନତ କୁମାର ମହାନ୍ତି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ଅଧିନସ୍ଥ ବଡପୋଖରୀଆ ସେବା ସମବାୟ ସମିତି ଲିଃ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଯାଇଛି।

ଜିଲ୍ଲାରେ ଆଜି ପ୍ରତି ବ୍ଲକ ଅଧିନରେ ସେବାସମବାୟ ସମିତିର ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ୧୪ ଲକ୍ଷ କ୍ୟୁଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟ କରାଯାଇଛି। ପ୍ରତି ମଣ୍ଡିରେ କିଭଳି ସୁଚାରୁରୂପେ ଧାନ ସଂଗ୍ରହ କରାଯାଇ ପାରିବ ଏବଂ ଚାଷୀ ମାନେ ଟୋକେନ ପାଇ ଠିକରେ ଧାନ ଦେଇ ପାରିବେ ସେଥିପାଇଁ ପ୍ରତି ବ୍ଲକରେ ଚାଷୀ କମିଟି କରି ଧାନ କିଣିବା ପାଇଁ ସୁଚାରୁରୂପେ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲା ଯୋଗାଣ ଅଧିକାରୀ। ଟାଙ୍ଗୀ ବ୍ଲକରେ ମୋଟ ୧୪ ଟି ସେବା ସମବାୟ ସମିତି ମାଧ୍ୟ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଞ୍ଚଳିକ

ଭେଟେଶ୍ବର ପ୍ରାଥମିକ କୃଷି ସମିତି ତରଫରୁ ଧାନ ମଣ୍ଡି ଉଦ୍‌ଘାଟିତ

ସମୀକ୍ଷା ବ୍ୟୁରୋ

ବାଣପୁର, 26/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଶାଖା ଅଧୀନସ୍ଥ ଭେଟେଶ୍ବର ପ୍ରାଥମିକ କୃଷି ସେବା ସମବାୟ ସମିତି  ତରଫରୁ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି। ପ୍ରସନ୍ନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭାକୁ ଉଦ୍‌ଘାଟନ କରିଥିଲେ ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭେଟେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ, ସହ ନିବନ୍ଧକ ଖୋର୍ଦ୍ଧା ସମବାୟ ସମିତି ସମୂହ କାର୍ଯ୍ୟାଳୟର ସମବାୟ ସମିତି ନିରୀକ୍ଷକ ପ୍ରଦୀପ କୁମାର ମହାପାତ୍ର ଓ ଅପର୍ତ୍ତି ମଲ୍ଲିକ ଏବଂ ଚଣ୍ଡୀହର ଦେବ ରାଇସ୍‌ ଓ ଫ୍ଲୋର୍‌ ମିଲ୍‌ର ମାଲିକ ପ୍ରିୟରଂଜନ ପାତ୍ର ଓ କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ପି-ପାସ୍‌ ଅନ୍‌ଲାଇନ ମାଧ୍ୟମରେ ଆସିଥିବା 15ଜଣ ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିଥିଲେ। ଏହି ସଭାକୁ ସମିତିର ସମ୍ପାଦକ ଜ୍ୟୋତିରଞ୍ଜନ ରାଉତରାୟ ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ଓ ଚାଷୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟର : ସୁନୀଲ କୁମାର ଭୋଳ