ଧାନମଣ୍ଡି ଖୋଲିବା ନେଇ ରାଜ୍ୟ ବିଜେପି ତରଫରୁ ସବଡିଭିଜନରେ ପ୍ରତିବାଦ

Published: Dec 21, 2022, 6:31 pm IST
Odisha BJP

ଭୁବନେଶ୍ୱର : ଧାନମଣ୍ଡି ଖୋଲିବା ଦାବିରେ ଆଜି ରାଜ୍ୟର ସବ୍‌ଡିଭିଜନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଏବଂ ଉପଜିଲ୍ଲାପାଳଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଧାନମଣ୍ଡି ଖୋଲିଛନ୍ତି ବୋଲି ମିଥ୍ୟା ଚିତ୍କାର କରୁଛନ୍ତି କିନ୍ତୁ ବାସ୍ତବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣାଂଚଳରେ ଧାନ ଅମଳ ପାଖାପାଖି ୮୦% ଶେଷ ହୋଇଯାଇଥିଲେ ବି ଧାନମଣ୍ଡି ଖୋଲା ଯାଇନାହିଁ ।

ଚାଷୀମାନଙ୍କ ଲାଗି ପଶ୍ଚିମଓଡ଼ିଶା ଅଂଚଳରେ ଖୋଲାଯାଇଥିବା ଧାନମଣ୍ଡି ଗୁଡିକର କୁପରିଚାଳନା ଓ ବିଶୃଙ୍ଖଳା କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ନଦାତାଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ହତାଦାର ଓ ଅନ୍ୟାୟ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉପଜିଲ୍ଲାପାଳମାନଙ୍କୁ ଦାବିପତ୍ର ଦିଆଯିବା ସହ ୨୨ରୁ ୨୮ ତାରିଖ ଆଗାମୀ ୭ଦିନ ଧରି ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମରେ ଧାନମଣ୍ଡିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବ ।

ମଣ୍ଡି ଖୋଲି ନଥିବା ସ୍ଥାନରେ ତୁରନ୍ତ ମଣ୍ଡି ଖୋଲିବା, ମଣ୍ଡିର ପରିଚାଳନାଗତ ତ୍ରୁଟି ସଜାଡିବା, କୃଷକ ରେଜିଷ୍ଟ୍ରେସନରେ ଅନିୟମତିତା ଓ ପାତର ଅନ୍ତର ନୀତି ବନ୍ଦ କରିବା, ସେଂଟ୍ରାଲ ଟୋକନ ନାଁରେ ଭ୍ରଷ୍ଟାଚାର ବନ୍ଦ କରିବା, କଟନୀ-ଛଟନୀ ବନ୍ଦ କରିବା, ଚାଷୀ ମୁଣ୍ଡ ପିଛା ସର୍ବାଧିକ ୬୦କ୍ୱିଂଟାଲ ଧାନବିକ୍ରି କରିବା ନିଷ୍ପତିକୁ ରଦ୍ଦ କରି ବିକ୍ରି ସୀମାକୁ ବୃୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏମ୍‌ଏସପି ଚାଷୀଙ୍କୁ ପ୍ରଦାନ ଏବଂ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୱିଂଟାଲ ପିଛା ୧୦୦ଟଙ୍କା ବୋନସ ତୁରନ୍ତ ପ୍ରଦାନ କରନ୍ତୁ ସମେତ ୧୦ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଘେରିଥିଲା ବିଜେପି ।

ଉପଜିଲ୍ଲାପାଳମାନଙ୍କ ମାଧ୍ୟମରେ ୭ଦିନର ମହଲତ ଦେଇ ସମସ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ କୃଷକଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବ ବିଜେପି ।

Related posts