Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିକଶିତ ଓଡିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଅଭିମତ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପାଳନ କରି ଦେଶରେ ଏକ ଇତିହାସ ସୃଷ୍ଟି କରିଛନ୍ତି।

ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଂଟି। ସ୍ୱାଧୀନତାର ଅମୃତକାଳର ଅବଶିଷ୍ଟ ୨୫ ବର୍ଷରେ ଭାରତକୁ ବିଶ୍ୱଦରବାରରେ ଛିଡା କରାଇବା ଲକ୍ଷ୍ୟରେ ମୋଦିଜୀ ଅହରହ କାର୍ଯ୍ୟରତ।

ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟରୁ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ଅଧିନସ୍ତ ୧୪୭ଗୋଟି ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ/ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହି ସବୁ ଗାଡିରେ ମତାମତ ପେଟିକା ଓ ସଂକଳ୍ପପତ୍ର ବିଧାନସଭା କ୍ଷେତ୍ର ପର୍ଯ୍ୟନ୍ତ ପଠାଯାଇଛି । ଏହା ପ୍ରତ୍ୟେକ ବିଧାନସଭାରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ପ୍ରାୟ ୩୦ଗୋଟି ସଭା ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବ। ପ୍ରତ୍ୟେକ ପଂଚାୟତ ଓ ସହରାଚଂଳରୁ ମୋଦି ସରକାରଙ୍କଠାରୁ ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ୱପ୍ନର ସଂକଳ୍ପ ପତ୍ର ପାଇଁ ଅଭିମତ ଗ୍ରହଣ କରାଯାଇ ଦିଲ୍ଲୀକୁ ପଠାଯିବ।

ଏହି ମତାମତକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନୀ ସଂକଳ୍ପଭାବେ ବିଜେପି ଗ୍ରହଣ କରିବ । ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ଉକ୍ତ ପ୍ରଚାର ଗାଡି ନିକଟକୁ ଆସି ନିଜର ସୁଚିନ୍ତିତ ମତାମତ ସହିତ ନିଜର ନାମ, ଠିକଣା ଓ ଫୋନ ନମ୍ବର ପ୍ରଦାନ କରନ୍ତୁ ତାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହା ସହ ୯୦୯୦୯୦୨୦୨୪ନମ୍ବରକୁ ମିସ୍ କଲ୍ ଏବଂ ନରେନ୍ଦ୍ର ମୋଦି ଆପ୍‌ରେ ନିଜର ଅଭିମତ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପ୍ରେରଣ କରିପାରିବେ ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ସିଂହଦେଓ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

ରାଜ୍ୟ ସଂକଳ୍ପ ପତ୍ର କମିଟି ମୁଖ୍ୟ ତଥା ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ସଂଚାଳରେ ଆୟୋଜିତ ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ସଂକଳ୍ପ ପତ୍ର କମିଟିର ସଦସ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଭିଡିଓ ଭ୍ୟାନ କମିଟିର ସଂଯୋଜକ ତଥା ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମିରଞ୍ଜନ କାନୁନଗୋ, ସୁକାନ୍ତ ପାଣିଗ୍ରାହୀ, ଜୟନ୍ତ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, କିଶୋର ଜେନା, ଡ. ରାଜେଶ୍ୱରୀ ପାଇକରାୟ, ସିମନ୍ତୀନି ଜେନା, ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ‘ସ୍ୱଚ୍ଛତୀର୍ଥ ଅଭିଯାନ’ ରେ ସାମିଲ ହେଲେ ବିଜେପି ସହ ପ୍ରଭାରୀ ବିଜୟପାଲ୍ 

ଭୁବନେଶ୍ୱର/ଖୋର୍ଦ୍ଧା: ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଆଜି ଖୋର୍ଦ୍ଧା ସହରର ୱାର୍ଡ ନଂ ୧୧ ରେ ସଂକଳ୍ପ ରଥକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ଖୋର୍ଦ୍ଧା ପୌରପାଳିକା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ତଥା ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର୍ ଉଦ୍‌ଘାଟନ କରିଥିଲେ ।

୨୦୪୭ ମସିହା ସୁଦ୍ଧା ଭାରତବର୍ଷକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ତୋମାର ସଂକଳ୍ପପାଠ କରାଇଥିଲେ। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁସବୁ ଜନହିତକର ଏବଂ ଗରିବ କଲ୍ୟାଣ ଯୋଜନାମାନ ସାଧାରଣ ଜନତାଙ୍କ ଏବଂ ଦେଶବାସୀଙ୍କ ପାଇଁ ପ୍ରଚଳନ କରିଛନ୍ତି ସେଗୁଡିକ ତଳସ୍ତରରେ କିପରି ପହଂଚିବ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଶବାସୀଙ୍କ ପାଇଁ ଏକମାତ୍ର ଗ୍ୟାରେଂଟି ବୋଲି ଶ୍ରୀ ତୋମାର ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ସାରା ବିଶ୍ୱରେ ଭାରତକୁ ବିଶ୍ୱଗୁରୁ ଓ ପରମବୈଭବ ରାଷ୍ଟ୍ର ଗଢ଼ି ତୋଳିବେ । ଏଥିଲାଗି ସବୁ ସ୍ତରରେ ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ। ମୋଦିଙ୍କ ଲକ୍ଷ୍ୟ ସବୁ ଯୋଜନାର ଲାଭ ସଠିକ୍ ଓ ଯୋଗ୍ୟ ହିତାଧିକାରୀ ପାଆନ୍ତୁ, ଯଦ୍ୱାରା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉଦାହରଣ ସ୍ୱରୂପ ଉଜ୍ଜ୍ୱଳା ସଂଯୋଗ, ପିଏମ୍ କିଷାନ ସମ୍ମାନ ନିଧି, ବ୍ୟାଙ୍କ ଖାତା ଖୋଲିବା, ମୁଦ୍ରା ଯୋଜନା ଭଳି ସମସ୍ତ ଯୋଜନା ସମ୍ପର୍କରେ ଜନସଚେତନତା ଏବଂ ପଞ୍ଜୀକରଣ କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ତୋମାର କହିଛନ୍ତି ।

ସେହିପରି ସ୍ୱଚ୍ଛତୀର୍ଥ ଅଭିଯାନରେ ଖୋର୍ଦ୍ଧା ବ୍ଲକ ପଲ୍ଲାତୋଟାପଡା ପଂଚାୟତର ବେରୁଁହାଠାରେ ପ୍ରତିଷ୍ଠିତ ମା” ଜାଗୁଳେଇ ଠାକୁରାଣୀଙ୍କ ପୀଠରେ ରାଜ୍ୟ ସଭା ସାଂସଦ ଶ୍ରୀ ବିଜୟପାଲ ସିଂ ତୋମାର୍ ସ୍ଥାନୀୟ ବାସିନ୍ଦା ଓ କାର୍ଯ୍ୟକର୍ତାଙ୍କୁ ନେଇ ସଫେଇ କରିଛନ୍ତି । ଏହାଛଡା ଜାନୁୟାରୀ ୨୨ତାରିଖ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ଏହି ସଫେଇ ଅଭିଯାନ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ (ସମ୍ପାଦକ) ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, ଖୋର୍ଦ୍ଧ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ଶ୍ରୀରଞ୍ଜନ ମଙ୍ଗରାଜ, ନିକୁଞ୍ଜ ପଟ୍ଟନାୟକ, ରାମ ନାରାୟଣ ଦାସ, ଦେବବ୍ରତ ଆଚାର୍ଯ୍ୟ, ଅଭିମନ୍ୟୁ ଘଟୁଆଳ, ଶୋଭନ ଘୋଷ, ସ୍ଥାନୀୟ କାଉନସିଲର ଶ୍ରିଷ୍ଟି ମାଝୀ, ବଦ୍ରି ନାରାୟଣ ଦାଶ, ବଦ୍ରିନାରାୟଣ ସାହୁ, ପ୍ରଦୀପ୍ତ ପାଣି, ରାଜୀବ ଷଡଙ୍ଗୀ, ତ୍ରିଲୋଚନ ଦାସ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ରତ୍ନ ଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର: ସମୀର ମହାନ୍ତି

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଗହଣା କେତେ ଅଛି ତାହା ଓଡ଼ିଶାବାସୀ ଜାଣିବା ଉଚିତ। କିନ୍ତୁ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବା କଥା କହିବା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡଯନ୍ତ୍ର।ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି।

ସେ କହିଛନ୍ତି ଯେ, ୧୯୫୨ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ରାଜ୍ୟ ସରକାର। ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ସମ୍ପୂର୍ଣ୍ଣରୂପେ ରାଜ୍ୟ ସରକାରଙ୍କର। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି ଅବିଯୋଗ କରିଛନ୍ତି।

ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କଥା ଗଜପତି ମହାରାଜଙ୍କ ମୁହଁରୁ କୁହାଇ ରତ୍ନ ଭଣ୍ଡାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ରାଜ୍ୟ ସରକାରଙ୍କର ଏକ ଷଡଯନ୍ତ୍ର। ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବା ଓ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କରିବା କହିବାର ଅର୍ଥ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଅଣଦେଖା କରି ହାଇକୋର୍ଟଙ୍କ ନିଦ୍ଦେଶକୁ ଉପେକ୍ଷା କରୁଛନ୍ତି।

ସେ କହିଛନ୍ତି ଯେ, ଦୀର୍ଘ ୪୫ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଳାଯାଇନାହିଁ। ୨୦୧୮ ମସିହାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଭେଳିକି କରି ରତ୍ନ ଭଣ୍ଡାର ଖୋଲି ନାହାନ୍ତି, ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି। ଜଗନ୍ନାଥ ଭକ୍ତ ଓ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନଭଣ୍ଡାର ତୁରନ୍ତ ଖୋଲନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଡ୍ଡାଙ୍କୁ ଭେଟିଲେ ମନମୋହନ ସାମଲ, ଘୋଷଣା ହେବ ବିଜେପିର ନୂଆ ଟିମ୍

ନୂଆଦିଲ୍ଲୀ: ଆଜି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ। ଝାରସୁଗୁଡା ଉପନିର୍ବାଚନର ପରାଜୟ ପରେ ମନମୋହନ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ସେ ଏହି ନିର୍ବାଚନରେ ପରାଜୟ କାରଣ ସଂପର୍କରେ ନଡ୍ଡାଙ୍କୁ ଅବଗତ କରାଇଥିବାର ଜଣାପଡିଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରୀ ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ କରିବେ। ସେ ନେଇ ସେ ଆଲୋଚନା କରିଥିବାର ଜଣାପଡିଛି। ସେହିପରି ଆସନ୍ତା କୋଡିଏ ତାରିଖରେ ଓଡିଶା ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ବୈଠକ ହେବାର ଅଛି। ସେ ନେଇ ନଡ୍ଡାଙ୍କ ସହିତ ମନମୋହନ ଆଲୋଚନା କରିଛନ୍ତି।

ଏଥିସହିତ ସେ ଓଡିଶା ବିଜେପିର ନୂଆ ଟିମ ତାଲିକା ସଂପର୍କରେ ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହ ମନମୋହନ ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ବି. ଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେଲେ ମନମୋହନ ସାମଲ, କରାଗଲା ସ୍ବାଗତ

ଭୁବନେଶ୍ୱର : ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଏକ ସ୍ବାଗତ ସମ୍ବର୍ଦ୍ଧନାର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କର ଅଭିଭାଷଣ ରଖି ଉଭୟ ବିଜେଡି ଓ କଂଗ୍ରେସକୁ କରିଛନ୍ତି ସମାଲୋଚନା।

ଶ୍ରୀ ସାମଲ କହିଛନ୍ତି ଯେ, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା। ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ପୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି। ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି। ଓଡିଶାରେ ସବୁକିଛି ଥାଇ ସୁଦ୍ଧା ଓଡିଆ ଆଜି ଗରୀବ। ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି। ଗଣତନ୍ତ୍ର ବିପଦରେ। ବର୍ତମାନ ବିଜେଡି ସରକାରକୁ ତଡିବାର ସମୟ ଆସିଯାଇଛି। ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନବନିଯୁକ୍ତ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟକର୍ତାଙ୍କ ସହଯୋଗରେ ଦଳର ସଂଗଠନକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି।

ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକାଠି ହୋଇ ବିଜେଡି ସରକାରକୁ ଓପାଡି ଫୋପାଡିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟବାସୀଙ୍କ ପାଖରେ କୈାଣସି ଉତର ରଖିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦକ୍ଷତା କି ସାହସ ନାହିଁ। ଯେତେ ଶୀଘ୍ର ବିଜେଡି ସରକାରର ପତନ ହେବ, ଓଡିଶାବାସୀଙ୍କ ମଙ୍ଗଳ ହେବ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି।

ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡିଶା ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ସାଂସଦ ପ୍ରତାପ ଷଡଙ୍ଗୀ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରମୁଖ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କାର୍ଯ୍ୟକର୍ତା, ରାଜ୍ୟ ପଦାଧିକାରୀ, ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?

ଭୁବନେଶ୍ବର: ଓଡିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ହେବାକୁ ଆହୁରି ବର୍ଷେ ପାଖାପାଖି ବାକି ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଓଡିଶାରେ ନିର୍ବାଚନ ପ୍ରଚାର ମାହୋଲ ତିଆରି ହୋଇ ସାରିଲାଣି। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ। ଏବେ ନଡ୍ଡାଙ୍କ ଆଗମନରୁ ସ୍ପଷ୍ଟ ହୋଇଛି ଯେ, ସେ ମଧ୍ୟ ଓଡିଶାରେ ନିର୍ବାଚନ ବିଗୁଲ ବଜାଇବେ।

ନଡ୍ଡାଙ୍କ ଏହି ଆଗମନକୁ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଭାବି ନେଇଛନ୍ତି ଯେ ଏଥର ବିଜେଡିକୁ ମାତ ମାରି ବିଜେପି ଓଡିଶା ଦଖଲ କରିବ। କିଏ କଣ ସ୍ବପ୍ନ ଦେଖିବ ତାହା ଭିନ୍ନ କଥା। ହେଲେ, ପୁରୀରେ ନବୀନ କହିଥିବା ଆଉ ଶହେ ବର୍ଷ ବିଜେଡି ଓଡିଶାରେ ଜନସେବା ବା ସିଧା କହିଲେ କ୍ଷମତାରେ ରହିବ, ତାହାକୁ ନେଇ ନଡ୍ଡା କଣ କହିବେ।

ନବୀନଙ୍କ ଏହି ଭବିଷ୍ୟବାଣୀ ଓଡିଶା ରାଜନୀତିକୁ ବେଶ ସରଗରମ କରିଦେଇଛି। ପୁରୀ ପ୍ରତିଷ୍ଠା ଦିବସରେ ସେ କହିଥିଲେ ଯେ ବର୍ତ୍ତମାନ ବିଜେଡିକୁ ୨୫ ବର୍ଷ ପୁରିଲା, ଏହାପରେ ବିଜେଡି ପୁଣି ୫୦ ବର୍ଷ ପାଳନ କରିବ। ଯଦି ଓଡିଶାର ମା’ମାନେ ଆର୍ଶିବାଦ କରିବେ ତେବେ ବିଜେଡି ଓଡିଶାରେ ଆହୁରି ୧୦୦ ବର୍ଷ ଜନସେବା କରିବ। ସିଧା ଭାଷାରେ କହିଲେ ଓଡିଶାରେ ବିଜେଡି ଆଉ ୧୦୦ ବର୍ଷ ଶାସନ କରିବ।

ଏପରି ଭବିଷ୍ୟବାଣୀ ନେଇ ବିଜେପି ଶିବିରରେ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି। ସମସ୍ତେ ଆଶା କରିଛନ୍ତି ନଡ୍ଡା ନିଶ୍ଚିତ ନବୀନଙ୍କ ଏହି ୧୦୦ ବର୍ଷର ଶାସନ କରିବାର ଘୋଷଣାକୁ ନିଶ୍ଚିତ ପ୍ରତିକ୍ରିୟା ରଖିବେ। ନଡ୍ଡା ନ କହିଲେ ମଧ୍ୟ ତାଙ୍କ ପାଖେପାଖେ ଘୁରି ବୁଲୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ଉତ୍ତର ଦେବେ ବୋଲି କର୍ମିମାନେ ଆଶା ବାନ୍ଧି ବସିଛନ୍ତି।

ନଡ୍ଡାଙ୍କ ଉତ୍ତର ଅପେକ୍ଷାରେ ଓଡିଶାବାସୀ ଥିବା ବେଳେ ସେ ପୁଣି ବହୁବାର ଓଡିଶା ଆସିବେ ବୋଲି ଦିଲ୍ଲୀ ସୁତ୍ରରୁ ଜଣାପଡିଛି। ମୁଖ୍ୟତଃ ତାଙ୍କର ଫୋକସରେ ବିଧାନସଭା ନୁହେଁ, ରହିଛି ଲୋକସଭା ଆସନ। ଯେଉଁ ଯେଉଁ ଲୋକସଭା ଆସନରେ ବିଜେପି ହାରିଛି ସେହି ନିର୍ବାଚନ ମଣ୍ଡଳୀରେ ନଡ୍ଡା ସମାବେଶ କରିବେ ବୋଲି ଜଣାପଡିଛି। ସେଥିପାଇଁ ପ୍ରଥମ ପର୍ଯ୍ୟାରେ ସେ କନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ରଖିଛନ୍ତି। ଏହାର ଦୁଇମାସ ପରେ ପୁଣି ଓଡିଶାରେ ବିଜେପି ହାରିଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାନମଣ୍ଡି ଖୋଲିବା ନେଇ ରାଜ୍ୟ ବିଜେପି ତରଫରୁ ସବଡିଭିଜନରେ ପ୍ରତିବାଦ

ଭୁବନେଶ୍ୱର : ଧାନମଣ୍ଡି ଖୋଲିବା ଦାବିରେ ଆଜି ରାଜ୍ୟର ସବ୍‌ଡିଭିଜନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଏବଂ ଉପଜିଲ୍ଲାପାଳଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଧାନମଣ୍ଡି ଖୋଲିଛନ୍ତି ବୋଲି ମିଥ୍ୟା ଚିତ୍କାର କରୁଛନ୍ତି କିନ୍ତୁ ବାସ୍ତବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣାଂଚଳରେ ଧାନ ଅମଳ ପାଖାପାଖି ୮୦% ଶେଷ ହୋଇଯାଇଥିଲେ ବି ଧାନମଣ୍ଡି ଖୋଲା ଯାଇନାହିଁ ।

ଚାଷୀମାନଙ୍କ ଲାଗି ପଶ୍ଚିମଓଡ଼ିଶା ଅଂଚଳରେ ଖୋଲାଯାଇଥିବା ଧାନମଣ୍ଡି ଗୁଡିକର କୁପରିଚାଳନା ଓ ବିଶୃଙ୍ଖଳା କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ନଦାତାଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ହତାଦାର ଓ ଅନ୍ୟାୟ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉପଜିଲ୍ଲାପାଳମାନଙ୍କୁ ଦାବିପତ୍ର ଦିଆଯିବା ସହ ୨୨ରୁ ୨୮ ତାରିଖ ଆଗାମୀ ୭ଦିନ ଧରି ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମରେ ଧାନମଣ୍ଡିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବ ।

ମଣ୍ଡି ଖୋଲି ନଥିବା ସ୍ଥାନରେ ତୁରନ୍ତ ମଣ୍ଡି ଖୋଲିବା, ମଣ୍ଡିର ପରିଚାଳନାଗତ ତ୍ରୁଟି ସଜାଡିବା, କୃଷକ ରେଜିଷ୍ଟ୍ରେସନରେ ଅନିୟମତିତା ଓ ପାତର ଅନ୍ତର ନୀତି ବନ୍ଦ କରିବା, ସେଂଟ୍ରାଲ ଟୋକନ ନାଁରେ ଭ୍ରଷ୍ଟାଚାର ବନ୍ଦ କରିବା, କଟନୀ-ଛଟନୀ ବନ୍ଦ କରିବା, ଚାଷୀ ମୁଣ୍ଡ ପିଛା ସର୍ବାଧିକ ୬୦କ୍ୱିଂଟାଲ ଧାନବିକ୍ରି କରିବା ନିଷ୍ପତିକୁ ରଦ୍ଦ କରି ବିକ୍ରି ସୀମାକୁ ବୃୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏମ୍‌ଏସପି ଚାଷୀଙ୍କୁ ପ୍ରଦାନ ଏବଂ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୱିଂଟାଲ ପିଛା ୧୦୦ଟଙ୍କା ବୋନସ ତୁରନ୍ତ ପ୍ରଦାନ କରନ୍ତୁ ସମେତ ୧୦ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଘେରିଥିଲା ବିଜେପି ।

ଉପଜିଲ୍ଲାପାଳମାନଙ୍କ ମାଧ୍ୟମରେ ୭ଦିନର ମହଲତ ଦେଇ ସମସ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ କୃଷକଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରିବ ବିଜେପି ।

Categories
ଆଜିର ଖବର ରାଜ୍ୟ ଖବର

ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସିି ମୋର୍ଚ୍ଚା ରାଜ୍ୟ ସଭାପତିଶ୍ରୀ ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଓବିସି ମୋର୍ଚ୍ଚାରରାଜ୍ୟ ଉପସଭାପତି ଭାବେସୁବାଷ ଜେନା, ରାମଚନ୍ଦ୍ର ବେହେରା, ଦିଲୀପ କାର୍ସେଲ, ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ନାୟକ ଓ ଉମାଶଂକର ପଟେଲ; ରାଜ୍ୟ ସାଧାରଣ ସଂପାଦକ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ; ରାଜ୍ୟ ସଂପାଦକ ଭାବେ ସୈାଭାଗ୍ୟ ସାହୁ, ବଳରାମ ସୁବୁଦ୍ଧି, ସିଦ୍ଧାର୍ଥ ଶଙ୍କର ପତି, ଦୁର୍ଗାପ୍ରସନ୍ନ ନାୟକ, ମମତା ପଟେଲ ଓ ସୁକୁମାର ସାହୁ; କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ନାୟକ; କାର୍ଯ୍ୟାଳୟ ସଂପାଦକ ଭାବେ ସୁଶାନ୍ତ କୁମାର ଜେନା; ସୋସିଆଲ ମିଡିଆ ସଂଯୋଜକ ଭାବେ ଜି.ତ୍ରିଦେବ ରେଡ୍ଡୀ; ମିଡିଆ ସଂଯୋଜକ ଭାବେ ବିଷ୍ନୁଚରଣ ବଳିୟାରସିଂହ ଏବଂ ରାଜ୍ୟ ଆଇଟି ସଂଯୋଜକ ଭାବେ ପ୍ରଦୀପ କୁମାର ବେହେରାଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ଓବିସିି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ କୃପାସିନ୍ଧୁ ମହନ୍ତ, ନୃସିଂହ ସାହୁ, ସାବିତ୍ରୀ ବିଶ୍ୱାଳ, ରଘୁନାଥ ପାତ୍ର, ଜଗନ୍ନାଥ ସ୍ୱାଇଁ, ଗୋପାଳ ଗୈାଡ, ଶଶାଙ୍କ ଶେଖର ମାହାଲା, ବଂଶିଧର ମେହେର, ଡମ୍ବରୁଧର ରେଡ୍ଡୀ, ସୁବାଷ ପ୍ରଧାନ, ମୃତ୍ୟୁଞ୍ଜୟ ମହାରଣା, ବନିନ୍ଦ୍ର ସାହୁ, ବିରଭଦ୍ର ଆଚାରୀ, ସିଦ୍ଧେଶ୍ୱର ନାଥ, ସୁଜିତ କୁମାର ଦେବ, ସଂଯୁକ୍ତା ପ୍ରଧାନ, ମେଲୋରୀ ବାରିକ, ବିଶ୍ୱଜିତ ମୁଦୁଲି, ଉମାକାନ୍ତ ଦାସ, ଚନ୍ଦ୍ରଗୁପ୍ତ ପ୍ରସାଦଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ରଞ୍ଜନ କୁମାର ପଟେଲ, ହିମାଂଶୁ ମେହେର, କୃଷ୍ନଚନ୍ଦ୍ର ପାତ୍ର, ସୁକାନ୍ତ କୁମାର ନାୟକ, କେ.ନାରାୟଣ ରାଓ, ହିତେଶ ବଗର୍ତୀ, ଭୂବନ ମୋହନ ଜେନା, ନମିତାରାଣୀ ସାହୁ, ସୁଧାମୟୀ ପଟେଲ, ରାଧେଶ୍ୟାମ ବାରିକ, ମୁକ୍ତା ସାହୁ, ପାଣ୍ଡବ ସାହୁ, ରୁଦ୍ରକିଶୋର ମାହାଲା, ନରେନ୍ଦ୍ର ସାହୁ ଏବଂ ଦୁଶ୍ମନ୍ତ ଦାସଙ୍କୁ ମନୋନୀତ କରାଯାଇଛି ।

ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେଲକ୍ଷ୍ମୀଧର ପ୍ରଧାନ, ଚିତରଂଜନ କଂସ, ଆଶୁତୋଷ ପରିଡା, ଚର୍ଚ୍ଚିଲ ମହାକୁଡ, ଶେଷଦେବ ବଗର୍ତୀ, ବ୍ରଜକିଶୋର ଭୂୟାଁ, ତେଜରାମ ଭଇଁସା, କ୍ୟାପଟେନ ମାନସ ଦାସ, ଶିବପ୍ରସାଦ ବେହେରା ଏବଂ ପ୍ରଶାନ୍ତ କୁମାର ନାୟକଙ୍କୁ ମନୋନୀତ କରାଯାଇଛି । ଏଥି ସହ ୨୯ ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ପ୍ରେସ ବାର୍ତାରେ ଜଣାଇଛନ୍ତି ।

ଓଡିଶାରେ ୫୨ ପ୍ରତିଶତରୁ ଉର୍ଦ୍ଧ୍ୱ ପଛୁଆବର୍ଗଙ୍କୁ ବିଜେଡି ସରକାର ଯୋଜନାବଦ୍ଧ ଭାବରେ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ଶିକ୍ଷା, ନିଯୁକ୍ତି ଏବଂ ରାଜନୈତିକ ସଂରକ୍ଷଣ ପାଇଁ ଥିବା ସାମ୍ବିଧାନିକ ବ୍ୟବସ୍ଥାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଉନାହିଁ । ରାଜ୍ୟ ସରକାରଙ୍କ ପଛୁଆବର୍ଗଙ୍କୁ ଅଣଦେଖା ବିରୁଦ୍ଧରେ ଆଗାମୀ ଦିନରେ ଲଢେଇକୁ ଆହୁରି ଶାଣିତ କରିବ ବୋଲି ବିଜେପି ଓବିସି ମୋର୍ଚ୍ଚାରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ କଲେ ରାଜ୍ୟ ବିଜେପିକୁ ମିଳିବ ଲୋକପ୍ରିୟତା ନା ଲୋକହସା !

ଭୁବନେଶ୍ବର, ରାଜ୍ୟରେ ବିଜୁଳି ଦଳ ବୃଦ୍ଧି ଘଟିଛି। ଏହା ଯେ ଖାଉଟିଙ୍କ ଉପରେ ବୋଝ ତାହା ଯେକେହି ସାଧାରଣ ଲୋକ କହିବ। କାରଣ ଏହାଦ୍ବାରା ବିଶେଷ କରି ମଧ୍ୟବିତ ପରିବାର ହଇରାଣ ହେବେ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ବିକ୍ଷୋଭ କରୁଛି। ଆସନ୍ତା 16 ତାରିଖରେ ସାତଦିନ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟାଳୟର ବିକ୍ଷୋଭ କରିବ। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେପିର ଦର ବୃଦ୍ଧି ପ୍ରତିବାଦକୁ ଲୋକେ ଗ୍ରହଣ କରିବେ କି ?

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେପିର ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତିକୁ ବିରୋଧ କରିବାର ଅଧିକାର ରହିଛି। ଏହି ଅଧିକାର ସାମ୍ବିଧାନିକ। ସେଥିରେ କାହାରି କିଛି କହିବାର ନାହିଁ। ହେଲେ ବର୍ଷ ବର୍ଷ ଧରି ସାରା ଦେଶବାସୀ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧିରେ ତ୍ରାହିତ୍ରାହି ଡାକୁଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟର ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦରେ ଦଳ ବିକ୍ଷୋଭ କରୁଛି। ଏହା ବିଜେପି ପାଇଁ କେତେ ସଫଳତା ବା ଲୋକପ୍ରିୟତା ଆଣିବ ତାହା ସନ୍ଦେହଜନକ।

ଦେଶରେ ପଟ୍ରୋଲ ଡିଜେଲ କେତେ ବଢିଲା ସେ ବିଷୟରେ ଅଯଥା ଆଲୋଚନା କରିବାର ଆବଶ୍ୟକତା ନାହିଁ। କାରଣ ଦେଶର ପ୍ରତିଟି ସଚେତନ ନାଗରିକ ଏହି ହିସାବ ରଖି ସାରିଲେଣି। ମୋଦି ସରକାର ଆସିବା ବେଳରୁ ଏହି ତେଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଆଚ୍ଛେ ଦିନର ନାରା ଦେଉଥିବା ବିଜେପି ସରକାର ଅମଳରେ ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ଛୁଇଁଲାଣି। ସେମାନଙ୍କର ଭାଗ୍ୟ ଭଲ ଦେଶରେ ବିରୋଧୀ ଦଳ ସକ୍ରିୟ ନ ଥିବାରୁ ଏହାର ପ୍ରତିବାଦ ଜୋରଦାର ହୋଇପାରୁ ନାହିଁ। ନଚେତ କେନ୍ଦ୍ର ସରକାରଙ୍କ ଅବସ୍ଥା କେବେଠାରୁ ଘାଇଲା ହୋଇସାରନ୍ତାଣି।

ତେବେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରିବାର କ୍ଷମତା ବିଜେପି କେବେଠାରୁ ହରାଇ ସାରିଛି। ନିଜ ସରକାର ଦର ନିୟନ୍ତ୍ରଣ କରିପାରୁ ନ ଥିବା ବେଳେ ଅନ୍ୟ ଦଳକୁ ଦୋଷ ଦେବା ଅଧିକାର ଆଉ ବିଜେପିର ନାହିଁ। ଜିଲ୍ଲା ସ୍ତରରେ ଦଳ ବିକ୍ଷୋଭ କରି କେବଳ କର୍ମିଙ୍କ ମନୋବଳ ବଢାଇବ ସିନା ଲୋକଙ୍କ ସମର୍ଥନ ହାସଲ କରିପାରିବ ନାହିଁ। ବରଂ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ନେଇ ଦଳ ପରୋକ୍ଷରେ ଲୋକଙ୍କ ଶିକାର ହେବ। ଏପରି ବିକ୍ଷୋଭରେ ବିଜେଡିକୁ ଘାଇଲା କରିବା ପାଇଁ ଦଳ କରିଥିବା ଯୋଜନାରେ ବିଫଳ ହେବା ସାର ହେବ।

ବିଜେଡି ସରକାରଙ୍କୁ ଘେରିବାରେ ବିଜେପି ପାଇଁ ଅନେକ କିଛି ପ୍ରସଂଗ ରହିଛି। ବିଜେପି ଚିନ୍ତା ନାୟକମାନେ ସେହିପରି ଉପଦେଶ ଦେବାର ଆବଶ୍ୟକ ରହିଛି। କିନ୍ତୁ ଦଳର ଉପଦେଷ୍ଠାଙ୍କ ଉପଦେଶ ଠିକ ହୋଇପାରୁ ନାହିଁ। ଯୋଜନା ବଦ୍ଧ ଭାବେ ବିଜେଡିକୁ ଆକ୍ରମଣ କରିବାରେ ବିଜେପି ଫେଲ ମାରୁଛି। ପୂର୍ବରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ଯାଇ ଲୋକହସା ହୋଇଥିଲେ। ଠିକ ସେହିପରି ବିଜୁଳି ଦର ବୃଦ୍ଧି ପ୍ରତିବାଦ କରିବା, ଦଳ ପାଇଁ ଲୋକହସା ଛଡା ଆଉ କିଛି ହେବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ମହିଳା ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ସଦସ୍ୟାଙ୍କ ନାମ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଆଜି ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜିକା ଏବଂ ସହ ସଂଯୋଜିକାମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏଥିରେ ୬ ଜଣଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଦାୟୀତ୍ୱ ଏବଂ ୨ ଜଣଙ୍କୁ ସାଧାରଣ ସଂପାଦିକା ଏବଂ ୫ ଜଣଙ୍କୁ ସଂପାଦିକା ଦାୟୀତ୍ୱ ଦିଆଯାଇଛି।

ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଭାବେ କାନନବାଳା ପଟ୍ଟନାୟକ, ନିୟତି ଗିରି, ସୁଷମା ରାଣି ବିଶ୍ୱାଳ, ନିରୋଜ ନଳିନୀ ମାହାଲ୍ଲିକ, ଅନୁ ଚୌଧୁରୀ, କସ୍ତୁରୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଭାବେ ବବିତା ପାତ୍ର ଓ କଳ୍ପନା ଲେଙ୍କା, ସଂପାଦିକା ଭାବେ କୌଶଲ୍ୟା ନାୟକ, ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ରଂଜିତା ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ସୁବାସିନୀ ବଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ମହିଳା ମୋର୍ଚ୍ଚାର ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜିକା ଏବଂ ସହ ସଂଯୋଜିକା ଭାବେ ପ୍ରତିମା ମିଶ୍ର, ରଶ୍ମି ପଟ୍ଟନାୟକ, ମାନସୀ ହରିଚନ୍ଦନ, ସବିତା ପ୍ରହରାଜ, ସେଫାଲୀ ଦାସ, ସୁଜାତା ପାଢୀ, ସୁଚରିତା ଜେନାମଣୀ, ଅନ୍ୟ ଅନନ୍ୟା ପ୍ରିୟଦର୍ଶିନୀ, ଅନୁଶ୍ରୀ ମହାନ୍ତି, ସତରୂପା ମିଶ୍ର, ପୂର୍ଣ୍ଣିମା ଦାସ, ପଦ୍ମଜା ଦେବତାଙ୍କୁ ଦାୟୀତ୍ୱ ଦିଆଯାଇଛି ।

ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ସଂଘମିତ୍ରା ପ୍ରଧାନ, ରୋଜାଲିନ ଦାସ, ମିନା ସରାଫ, ପଦ୍ମାବତୀ ଜେନା, ସୁବାସିନୀ ପୃଷ୍ଟି, ଅଂଜଳି ସେଠୀ, କଳ୍ପନା ପଟ୍ଟନାୟକ, ରିତା ଚୌଧୁରୀ, ପ୍ରୀତି ପରମିତା ବେହେରା, ଭାରତୀ ସ୍ୱାଇଁ, ମୀନା ଧ୍ୟାନସାମନ୍ତରାୟ, ଅମିତା ରାଣୀ ଦାସ, କୁନ୍ତୀ ପାଲ୍‌, କାନନବାଳା ଦାସ, ମମତା ସ୍ୱାଇଁ, ସୁମତି ଜେନା, ମୀନା କୁମାରୀ ଦାସ, ସୁମିତ୍ରା ବାହିନିପତୀ, ରଶ୍ମି ପଟ୍ଟନାୟକ, କବିତା ନାଥ, ପୂର୍ଣ୍ଣିମା ମଜୁମଦାର, ଲକ୍ଷ୍ମୀପ୍ରିୟା ସାହୁ, ସୁମନ ସିଂହ, ମିଥିଲା ଟୁଡୁ, ପ୍ରବୀଣା କୋଲାର, ପ୍ରିତୀ ସିଗ୍ଧା ମହାପାତ୍ର, ନିରୁପମା ଖଟେଇ, ଜେମାମଣି ଧାରୁଆ, ପ୍ରମିଳା ଦାସ, ମାନସୀ ହରିଚନ୍ଦନ ଏବଂ ସୌମ୍ୟା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ପ୍ରେସ ବାର୍ତାରେ ଜଣାଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

କୋଟିଆ ଲୋକେ ଆନ୍ଧ୍ର ମୁହାଁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ରାଜ୍ୟ ବିଜେପି

ଭୁବନେଶ୍ବର, ଓଡିଶା ସୀମାବର୍ତ୍ତି ଅଞ୍ଚଳର ଲୋକଙ୍କୁ ରାଜ୍ୟ ପ୍ରଶାସନ ସୁରକ୍ଷା ଦେବାରେ ବିଫଳ। ଫଳରେ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି। ଏପରିକି  ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଳମ୍ବରରେ ସୁପ୍ରିମ କୋର୍ଟ ଗଲେ। ଫଳରେ କୋଟିଆ ପଞ୍ଚାୟତ ନିର୍ବାଚନ ବନ୍ଦ ହେଲା ନାହିଁ। ଏପରିକି ଗୁଇନ୍ଦା ବିଭାଗ ମଧ୍ୟ ଏସବୁ ତଥ୍ୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଗତ କିଛିଦିନ ତଳେ ବିଜେପିର ଏକ ବରିଷ୍ଠ ପ୍ରତିନିଧୀ ଓଡିଶାର ସୀମାବର୍ତ୍ତି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସେଠାରେ ଲୋକକମାନଙ୍କର ଭାବଗତ ଭାବେ ଓଡିଶାରେ ଅଛନ୍ତି, ହେଲେ ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତର ବିବାଦୀୟ ମାଣିକପାଟଣା ଗାଁକୁ ଏହି ବିଜେପି ପ୍ରତିନିଧୀ ଦଳ ଗସ୍ତ କରିଥିବାବେଳେ ସେଠାରେ ଆନ୍ଧ୍ର ସରକାରଙ୍କ ପଦସ୍ତ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାର ଏବଂ ଡିଏସପିଙ୍କ ସହ ଆଲୋଚନା ବେଳେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ତହସିଲଦାରଙ୍କୁ ଡକାଇ ବିଜେପି ପ୍ରତିନିଧୀ ଦଳ ୧୯୯୩ ମସିହାରେ ପ୍ରସ୍ତୁତ ହୋଇଥିବା ଉଭୟ ରାଜ୍ୟର ସ୍ୱୀକୃତି କ୍ରମେ ଜଏଣ୍ଟ ଭେରିଫିକେସନ ନକ୍ସାକୁ ଉପସ୍ଥାପନ କରିଥିଲେ ।

ଅପର ପକ୍ଷରେ ଆନ୍ଧ୍ର ଅଧିକାରୀଙ୍କୁ ତାଙ୍କ ତଥ୍ୟ ପ୍ରମାଣ ମଗାଯାଇ ଥିବା ବେଳେ ସେମାନେ ନ ଦେଖାଇପାରି ଏବଂ ବିଜେପି ପ୍ରତିନିଧୀ ଦଳର ବିଭିନ୍ନ ପ୍ରଶ୍ନର ଉତ୍ତର ନ ଦେଇପାରି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ । ୨୦୧୮ ମସିହାର ତିତିଲି ମହାବାତ୍ୟାର ମୁଖ୍ୟ କେନ୍ଦ୍ରସ୍ଥଳୀ ଗଙ୍ଗାବାଡ ପଂଚାୟତକୁ ଆସିଥିବା କେନ୍ଦ୍ର ସରକାରଙ୍କ ପୁନଃ ନିର୍ମାଣ ଓ ପୁନଃ ଥଇଥାନ ଅର୍ଥ ଏପର୍ଯ୍ୟନ୍ତ କାର୍ଯ୍ୟନ୍ୱୟନ ହୋଇନଥିବା ଦେଖିବାକୁ ମିଳିଥିଲା ବୋଲି ବିଜେପି କହିଛି।

କେବଳ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନାମକୁ ମାତ୍ର ଆରମ୍ଭ ହୋଇଛି । ଓଡିଶାରେ ଥିବା ସ୍କୁଲରେ ଶିକ୍ଷକ ନାହାଁନ୍ତି । ମାଣିକପାଟଣା ଠାରୁ ୬ କିମି ଦୂରରେ ଥିବା ଗଙ୍ଗାବାଡରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଥିବା ସ୍କୁଲରେ ମାତ୍ର ୪୦ ପିଲା ପଢିବାର ବ୍ୟବସ୍ଥା ରହିଛି,ଯେଉଁଠି ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ୧୦୮ କିମ୍ବା ୧୦୨କୁ ଫୋନ୍ କଲେ ଆନ୍ଧ୍ରରୁ ଆମ୍ବୁଲାନ୍ସ ଆସୁଛି । ଆନ୍ଧ୍ରର ଡାକ୍ତରଖାନାକୁ ଓଡିଆ ଲୋକ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ ଖୁଂଟ ଆନ୍ଧ୍ର ପକାଇ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦେଇଛି ବୋଲି ସମୀର ମହାନ୍ତି କହିଛନ୍ତି ।

ଓଡିଶା ଏବଂ ଆନ୍ଧ୍ର ଦ୍ୱିପାକ୍ଷିକ ଚୁକ୍ତିରେ ନିର୍ମାଣ ହୋଇଥିବା କଳିଙ୍ଗ ଦୋଳା ଜଳସେଚନ ପ୍ରକଳ୍ପର କୌଣସି ଲାଭ ଓଡିଶାବାସୀଙ୍କୁ ମିଳୁନାହିଁ । ପାଖାପାଖି ୪୦୦ ଏକର ଓଡିଶା ଜମି ଏବଂ ଓଡିଶାରେ ଉତ୍ପତି ହୋଇଥିବା ମହେନ୍ଦ୍ରତନୟା ନଦୀର ଜଳକୁ ବ୍ୟବହାର କରି ଆନ୍ଧ୍ର ସଂପୂର୍ଣ୍ଣ ପାଣି ନେଇଯାଉଥିବାବେଳେ, ଚୁକ୍ତି ଅନୁଯାୟୀ ଆନ୍ଧ୍ର ସରକାର କରିବାକୁ ଥିବା ରାସ୍ତା, ପୋଲ, ବିଦ୍ୟୁତ କରଣ, ପାନୀୟ ଜଳ ଯୋଗାଣ ସମେତ ଆଂଚଳିକ ବିକାଶର ବ୍ୟବସ୍ଥା ଆଦୌ କରିନାହାଁନ୍ତି ବୋଲି ବିଜେପି କହିଛି। ଏଥିପାଇଁ ବିଜେପି ପକ୍ଷରୁ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରାଯିବ ବୋଲି ମହାନ୍ତି ଘୋଷଣା କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ବିଜେପିର ଚାଷୀ ସମାବେଶ, ଟାର୍ଗେଟରେ ରାଜ୍ୟ ସରକାର

ସମ୍ବଲପୁର, ଗୋଟିଏ ପଟେ କେନ୍ଦ୍ରରେ ବିଜେପି ସରକାରଙ୍କ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟପଟେ ଓଡିଶା ବିଜେପି, ଚାଷୀଙ୍କୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ସମ୍ବଲପୁରରେ ରାଜ୍ୟ ବିଜେପି ଆୟୋଜିତ କରିଛି ଏକ ବିଶାଳ ଚାଷୀ ସମାବେଶ।

ଏହି ସମାବେଶରେ ବିଜେପି ନେତୃତ୍ୟ ରାଜ୍ୟ ସରକାରଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ବିଜେପି କହିଛି ଯେ,  ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବାକୁ ଦାବୀ କରିଛି। ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ ।

ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ସରକାରଙ୍କୁ ସମାଲଚୋନା କରି କହିଛନ୍ତି ଯେ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାଁନ୍ତି? ଦୀର୍ଘ ଦିନ ଧରି କଂଗ୍ରେସ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଚାଷୀମାନେ ଅବହେଳିତ ହୋଇଆସୁଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା। ଓଡ଼ିଶାରେ ମଧ୍ୟ ଅନୁରପ ଭାବେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି । ରାଜ୍ୟ ସରକାର ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ କଟନୀଛଟନୀ କାରଣରୁ ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ବିଜେପି କହିଛି।

ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ଶାସନରେ ରହିବା ଦିନ ଠାରୁ ଚାଷୀଙ୍କ ପାଇଁ କୃଷି ସିଚାଇ ଯୋଜନା ସମେତ ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କ୍ଷେତ୍ର ସମୃଦ୍ଧଶାଳୀ ହେଲେ ଦେଶ ସମୃଦ୍ଧଶାଳୀ ହେବ, ଏହି ଚିନ୍ତାଧାରରେ ମୋଦି ସରକାର ଚାଷୀଙ୍କ ପାଇଁ କାମ କରୁଛନ୍ତି। ଅପରପକ୍ଷରେ ଗରିବଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ତୋମାର ପ୍ରଶ୍ନ କରିଛନ୍ତି।

ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଟୋକନ ବ୍ୟବସ୍ଥା ଥିଲେ ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ମିଳୁନାହିଁ । ସେହିପରି ସଠିକ୍ ମୂଲ୍ୟ ନପାଇ ବରଗଡ଼ରେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟିବା ଚିନ୍ତାଜନକ। ସମ୍ବଲପୁର ଅଂଚଳରେ ମଣ୍ଡି ସମସ୍ୟା ସମାଧାନ ହେଉନଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ି ବିକ୍ରି ହୋଇପାରୁ ନାହିଁ । ସମ୍ବଲପୁରରେ ମନୁଷ୍ୟକୃତ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହିଛି ।

ଚାଷୀଙ୍କ ଧାନ କିଣା ସମସ୍ୟା ନଉଠାଇ ମିଲରଙ୍କ କଥାରେ ପଡ଼ି ଉଷୁନା – ଅରୁଆ ଧାନ ପ୍ରସଙ୍ଗ କରିବା କେତେ ଯୁକ୍ତିଯୁକ୍ତ ବୋଲି ରାଜ୍ୟ ସରକାରଙ୍କୁ ସେ ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଂଟାଲ ଓ ଜଳସେଚିତ ଜମିରୁ ୧୯ କ୍ୱିଂଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ଉତ୍ପାଦିତ ସମସ୍ତ ଧାନକୁ କିଣନ୍ତୁ। ଖରିଫ ଋତୁରେ ଅଚଳ ହୋଇଥିବା ଟୋକନର ପୁନଃକାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ସମୀର ମହାନ୍ତି ଦାବୀ କରିଛନ୍ତି।

ଅପରପକ୍ଷରେ ୨୦୧୬ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଫସଲ ବୀମା ଯୋଜନାର ଶୁଭାରମ୍ଭ କରିବା ସହ ଓଡ଼ିଶାର ୨୦ଲକ୍ଷ ଚାଷୀଙ୍କ ପାଇଁ ୪ହଜାର କୋଟି ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଧାନର ଏମଏସପି କ୍ୱଂଟାଲ ପିଛା ୧୩୧୦ଟଙ୍କାରୁ ବଢ଼ି ୧୮୬୮ରେ ପହଁଚିଛି । ମାତ୍ର ରାଜ୍ୟରେ ଚାଷୀମାନେ ସଠିକ୍ ଏମଏସପି ମୂଲ୍ୟ କାହିଁକି ପାଉନାହାନ୍ତି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ । ଏଠାରେ ମୋଦିଙ୍କ ପଇସା ଲୁଟ୍ କରାଯାଉଛି । ଚାଷୀଙ୍କୁ ନ୍ୟାୟ ନମିଳିବା ନପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରୀ ରଖିବ ବୋଲି ମହାନ୍ତି କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମାହାଙ୍ଗା ଡବଲ ମର୍ଡର ଅଭିଯୁକ୍ତଙ୍କୁ ଗିରଫ ପ୍ରତିବାଦରେ ବିଜେପିର ଡିଜି ଅଫିସ ଘେରାଉ

କଟକ, ମାହାଙ୍ଗା ଡବଲ ମର୍ଜର ଘଟଣା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ବିଶେଷ କରି ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ହୋଇଛି। ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ଏହି ଅଡୁଆ ବଢିବାରେ ଲାଗିଛି। ପ୍ରତାପଙ୍କ ସହିତ ସମସ୍ତ ଅଭିଯୁକ୍ତଙ୍କୁ ତୁରୁନ୍ତ ଗିରଫ କରିବା ପାଇଁ ବିଜେପି ତରଫରୁ ପ୍ରତିବାଦ ଚାଲିଛି।

ଆଜି ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଶତାଧିକ କର୍ମି ପୋଲିସ ଡିଜି ଅଫିସ ଘେରାଉ କରିଛନ୍ତି। ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୟରେ କର୍ମିମାନେ ମାତା ମଠଠାରୁ ଏକ ଶୋଭାଯାତ୍ରାରେ ଡିଜି ଅଫିସ ଯାଇଥିଲେ। ସେଠାରେ କର୍ମିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଚାଲୁ ରଖିବ ବୋଲି ଦଳ ଚେତାବନି ଦେଇଛି।