ଭେଟେଶ୍ବର ପ୍ରାଥମିକ କୃଷି ସମିତି ତରଫରୁ ଧାନ ମଣ୍ଡି ଉଦ୍‌ଘାଟିତ

Published: Dec 26, 2019, 11:35 am IST

ସମୀକ୍ଷା ବ୍ୟୁରୋ

ବାଣପୁର, 26/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଶାଖା ଅଧୀନସ୍ଥ ଭେଟେଶ୍ବର ପ୍ରାଥମିକ କୃଷି ସେବା ସମବାୟ ସମିତି  ତରଫରୁ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି। ପ୍ରସନ୍ନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭାକୁ ଉଦ୍‌ଘାଟନ କରିଥିଲେ ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭେଟେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ, ସହ ନିବନ୍ଧକ ଖୋର୍ଦ୍ଧା ସମବାୟ ସମିତି ସମୂହ କାର୍ଯ୍ୟାଳୟର ସମବାୟ ସମିତି ନିରୀକ୍ଷକ ପ୍ରଦୀପ କୁମାର ମହାପାତ୍ର ଓ ଅପର୍ତ୍ତି ମଲ୍ଲିକ ଏବଂ ଚଣ୍ଡୀହର ଦେବ ରାଇସ୍‌ ଓ ଫ୍ଲୋର୍‌ ମିଲ୍‌ର ମାଲିକ ପ୍ରିୟରଂଜନ ପାତ୍ର ଓ କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ପି-ପାସ୍‌ ଅନ୍‌ଲାଇନ ମାଧ୍ୟମରେ ଆସିଥିବା 15ଜଣ ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିଥିଲେ। ଏହି ସଭାକୁ ସମିତିର ସମ୍ପାଦକ ଜ୍ୟୋତିରଞ୍ଜନ ରାଉତରାୟ ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତ ଅତିଥି ଓ ଚାଷୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟର : ସୁନୀଲ କୁମାର ଭୋଳ

Related posts