ବର୍ଷା ବିଗାଡ଼ିଲା ଖେଳ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଡ୍ର

Published: Dec 18, 2024, 11:31 am IST

ନୂଆଦିଲ୍ଲୀ: ବ୍ରିସବେନର ଦ ଗବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଡ୍ର ହୋଇଛି। ଭାରତକୁ ଅଷ୍ଟ୍ରେଲିଆ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ ମ୍ୟାଚ୍ ଆରମ୍ଭ ହୋଇପାରିଲା ନାହିଁ। ବର୍ଷା ଏବଂ କମ୍ ଆଲୋକକୁ ଦୃଷ୍ଟିରେ ରଖି ମ୍ୟାଚ୍ ଡ୍ର ବୋଲି ଘୋଷଣା କରାଯାଇଥିଲା। ଏହି ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ୧-୧ ରେ ବରାବର ରହିଛି।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୪୫ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡ୍ ଶତକ ହାସଲ କରିଥିଲେ। ହେଡ୍ ୧୫୨ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଠାରେ ସ୍ମିଥ୍ ୧୦୧ ରନ୍ ସଂଗ୍ରହ କରିଥିଲେ। ଆଲେକ୍ସ କେରି ୭୦ ରନ୍ କରିଥିଲେ। ଜସପ୍ରୀତ ବୁମ୍ରା ଭାରତ ପକ୍ଷରୁ ୬ ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇଥିଲେ। ଆକାଶ ଦୀପ ଏବଂ ନୀତୀଶ ରେଡ୍ଡୀ ୧-୧ ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ଭାରତ ୨୬୦ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଓପନର୍ କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାହୁଲ ୧୩୯ ବଲର ସମ୍ମୁଖୀନ ହୋଇ ୮୪ ରନ୍ ସଂଗ୍ରହ କରିଥିଲେ। ସେ ୮ ଟି ଚୌକା ମାରିଥିଲେ। ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୨୩ ବଲରେ ୭୭ ରନ ସ୍କୋର କରିଥିଲେ। ଜାଡେଜାଙ୍କ ଏହି ଇନିଂସରେ ୭ ଚୌକା ଓ ଗୋଟିଏ ଛକା ଅନ୍ତର୍ଭୁକ୍ତ। ଶେଷରେ ୩୧ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଆକାଶ ଦୀପ। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

Related posts