Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ
ଆଜିର ଖବର

ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

December 26, 2024No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି। ତାଙ୍କ ଜୀବନର ଗଭୀରତା, ସଦ୍​ଗୁଣ ଓ ଆଦର୍ଶ  ତାଙ୍କୁ ଦେବତାଙ୍କ  ସହିତ ତୁଳନୀୟ  କରିଥିଲା। ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ତାଙ୍କର  ରାଜନୈତିକ ବିରୋଧୀ ଥିଲେ। କିନ୍ତୁ, କେହି ଶତ୍ରୁ ନଥିଲେ। ତେଣୁ, ସେ ଥିଲେ ଅଜାତଶତ୍ରୁ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ  ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତ ବର୍ଷର ରାଜନୈତିକ ଇତିହାସରେ ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ସେ ପୁଣି କହିଥିଲେ ଯେ ବାଜପେୟୀଜୀ ଥିଲେ ଜଣେ ଯୁଗପୁରୁଷ । ବିଂଶ ଶତାବ୍ଦୀର  ଶେଷ ଭାଗରେ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଦେଶର ନେତୃତ୍ୱ ନେଇ ସାରା ଦେଶକୁ ଏକ ନୂଆ ଦିଗ୍​ଦର୍ଶନ ଦେଇଥିଲେ।

ଦେଶର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସଫଳ ନେତୃତ୍ୱ ହିଁ ପ୍ରମାଣିତ କରିଥିଲା ଯେ, ଏକବିଂଶ ଶତାବ୍ଦୀ ହେବ ଭାରତର ଶତାବ୍ଦୀ ।  ତାଙ୍କ ଶାସନରେ ଦେଶର ବିକାଶର ଗତି ଏକ ନୂତନ ଶିଖର ଛୁଇଁ ଥିଲା ।
ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶ ତାଙ୍କ ଶାସନର ଏକ ଉଜ୍ଜ୍ୱଳ ଅଧ୍ୟାୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କୁ ଜଣେ ସୁଶାସକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସମୟରେ ଦେଶର ଆର୍ଥିକ ପ୍ରଗତି ନୂତନ ଶିଖର ଛୁଇଁ ଥିଲା।

ବିକାଶର ସୁବୁଠୁ ବଡ ଆବଶ୍ୟକତା  ଭିତ୍ତିଭୂମି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଯଦି ଆମେ ଭାରତର ବିକାଶର ଇତିହାସକୁ ଦେଖିବା, ତେବେ ବାଜପେୟୀଙ୍କ ସମୟ ହେଉଛି, ଭିତ୍ତିଭୂମି  ବିକାଶର  ଏକ ନୂତନ  ଅୟମାରମ୍ଭ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭାରତର ଚାରି ମହାନଗରୀକୁ ଯୋଡି ସେ ବିକାଶକୁ ଏକ ନୂଆ ଗତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେ ଦେଶର ଗାଁ ଗୁଡିକରେ ସିମେଣ୍ଟ କଂକ୍ରିଟ ରାସ୍ତା କରି ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିଥିଲେ।  ବାଜପେୟୀଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଗାଁ’ର ପରିବେଶ  ଓ   ଗ୍ରାମ୍ୟ  ଅର୍ଥନୀତିରେ ଏକ  ବ୍ୟାପକ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କ ସଂପର୍କରେ କେତେକ  କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଥିଲେ ଜଣେ ସର୍ବ ମାନ୍ୟ ନେତା। ନିଜ ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନ ଥିଲେ ବୋଲି ସେ କହିଥିଲେ।

ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କିପରି ଜାତିସଂଘରେ   ପାକିସ୍ତାନର  ଚାଲ୍ କୁ ପ୍ରତିହତ କରିବାରେ ସଫଳ ହୋଇଥିଲେ, ୧୯୯୯ ରେ ସରକାର ବଞ୍ଚାଇବା ପାଇଁ ସେ କିପରି ରାଜନୈତିକ ମୂଲ୍ୟବୋଧ ସହିତ ସାଲିସ କରି ନ ଥିଲେ ଆଦି ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ, ନିଜ ନୀତି ଆଦର୍ଶ କିମ୍ବା ବାବା ସାହେବଙ୍କ ପ୍ରଣିତ ସମ୍ବିଧାନର ଆତ୍ମାର ସୁରକ୍ଷା ପାଇଁ ନିଜ ସରକାରକୁ ଉତ୍ସର୍ଗ କରିଦେଇଥିଲେ, କେବଳ ଗୋଟି ଭୋଟ ପାଇଁ।

ଏହି ଦୁଇଟି ପ୍ରସଙ୍ଗରୁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵ, ତାଙ୍କର ଦୁରଦୃଷ୍ଟି ଏବଂ ଦେଶ ତଥା ଗଣତନ୍ତ୍ର ପ୍ରତି ତାଙ୍କର ଆବେଗ ସହଜରେ ଅନୁମେୟ ବୋଲି ସେ କହିଥିଲେ ।

ଆଜି ଭାରତୀୟ ଜନତା ପାର୍ଟି ବିଶ୍ଵର ସବୁଠାରୁ ବଡ ରାଜନୈତିକ ଦଳ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦଳ କଷ୍ଟସାଧ୍ୟ ସମୟରେ ବାଜପେୟୀଙ୍କ  ଦୃଢ଼ ନେତୃତ୍ୱ ଭାରତୀୟ ଜନତା ପାର୍ଟିକୁ ଆଜି ଏକ ସଫଳ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯେଉଁ ଦଳକୁ ବାଜପେୟୀ ଜୀ ସିଞ୍ଚନ କରି ଜାଗ୍ରତ କରିଥିଲେ, ମାନନୀୟ ମୋଦୀ ଜୀ ତାଙ୍କର ପଦାଙ୍କ ଅନୁସରଣ କରି ଦଳକୁ ହୃଷ୍ଟ ପୃଷ୍ଟ କରିଛନ୍ତି ଏବଂ ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତୃତ୍ଵ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଅନ୍ୟ ବିରୋଧୀ ଦଳଙ୍କୁ ଆକର୍ଷିତ କରିଥିଲା ଏବଂ ଭାରତରେ ଏକ ନୂଆ ପ୍ରକାର ରାଜନୀତିର ଅଭ୍ୟୁଦୟ ହୋଇଥିଲା। ବିଭିନ୍ନ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳଙ୍କୁ ନେଇ ଦେଶପାଇଁ ଗଠନମୂଳକ କାର୍ଯ୍ୟ କରିବାର କଳା, କୌଶଳ ତାଙ୍କର ଥିଲା।

ବାଜପେୟୀଙ୍କ ନେତୃତ୍ୱରେ ପୋଖରନ୍ ରେ ପରମାଣୁ ପରୀକ୍ଷଣ, କାରଗିଲ ଯୁଦ୍ଧରେ ବିଜୟ ଆଜି ଦୃଢ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।

1999ର କାରଗିଲ ବିଜୟ ସଂପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କ ଦୃଢ ନେତୃତ୍ୱର ପରିଚୟ ଦିଏ । ଦେଶର ଅଖଣ୍ଡତା ପାଇଁ ସେ ଦୃଢ ନେତୃତ୍ୱ ପ୍ରଦର୍ଶନ କରିଥିବା ବେଳେ, ଶାନ୍ତି ସ୍ଥାପନ ପାଇଁ  ଟିକିଏ Extra Mile ଚାଲିବାକୁ ସେ ପଛେଇ ଯାଉ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଲେ ଯେ, ପାକିସ୍ତାନ ସହିତ ଶାନ୍ତି ସ୍ଥାପନ ପାଇଁ ସେ  ପାକିସ୍ତାନ ଯାତ୍ରା କରିଥିଲେ ଓ ପାକିସ୍ତାନ ରାଷ୍ଟ୍ରମୁଖ୍ୟଙ୍କୁ ଭାରତ ମଧ୍ୟ ଆମନ୍ତ୍ରଣ କରିଥିଲେ । କିନ୍ତୁ, ଆବଶ୍ୟକ ହେଲେ କଠୋର ରୁ କଠୋରତମ ପଦକ୍ଷେପ ନେବା ପାଇଁ ସେ ତିଳେମାତ୍ର ପଛଉ ନ ଥିଲେ।

ତାଙ୍କ ପାଇଁ ଦେଶର ସ୍ୱାର୍ଥର ସୁରକ୍ଷା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନୀତି, ଆଦର୍ଶ ଏବଂ ଜନତାଙ୍କ ପ୍ରତି ସମର୍ପଣ ମନୋଭାବ ତାଙ୍କୁ ଦେଶର ଏକ ଅଦ୍ୱିତୀୟ ନେତା ଓ ସୁଶାସକର ପରିଚୟ ଦେଇଥିଲା।

ସ୍ୱର୍ଗତ ବାଜପେୟୀଙ୍କର ଓଡିଶା ପ୍ରତି ଅନେକ ଅବଦାନ ରହିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ 1999ର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ଯେତେବେଳେ ହତାଶା ମଧ୍ୟରେ ଗତି କରୁଥିଲା, ସେତେବେଳେ ବାଜପେୟୀଜୀ ଓଡିଶା ଆସି ପ୍ରତ୍ୟେକ ଓଡିଶାବାସୀଙ୍କୁ ଆଶାର ଆଲୋକ ଦେଖାଇଥିଲେ ।

ବାଜପେୟୀ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ । ବାଜପେୟୀଜୀଙ୍କ ଏହି ଆଶ୍ୱାସନା ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଥିଲା । ବାଜପେୟୀଜୀ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ 300 କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

ଏହା ବ୍ୟତିତ ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ 7 ଲକ୍ଷ  ଘର ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ । କେବଳ ସେତିକି ନୁହେଁ, ପାରାଦୀପରେ Indian Oil Corporation ଦ୍ୱାରା ଏକ Refinery ସ୍ଥାପନ ଓ ଭୁବନେଶ୍ୱରରେ ଏମ୍​ସ ସ୍ଥାପନ ପାଇଁ ମଧ୍ୟ ସେ ଭିତ୍ତିପ୍ରସ୍ତର ରଖିଥିଲେ । ଏହା ସହିତ 2003 ମସିହାରେ East Coast Railway ମଧ୍ୟ ସ୍ଥାପନ ହୋଇଥିଲା । ବାଜପେୟୀଙ୍କ ସମୟରେ ହିଁ ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇ, ଦେଶର ଏକ ସରକାରୀ ଭାଷାର ମର୍ଯ୍ୟଦା ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମେ ଜଣେ ସୁଶାସକ କେବଳ ତାଙ୍କୁ ହିଁ କହି ପାରିବା, ଯାହାଙ୍କ ଶାସନରେ ଲୋକ ନିଜକୁ ସବୁ ଦୃଷ୍ଟିରୁ ସୁରକ୍ଷିତ ମନେ କରିବେ । ନିଜର ଏକ ସୁନ୍ଦର ଭବିଷ୍ୟତର ଉଜ୍ଜ୍ୱଳ ଆଶା ମଧ୍ୟ ଲୋକଙ୍କ ଭିତରେ  ସୃଷ୍ଟି ହେଉଥିବା ଆବଶ୍ୟକ ।  ସବୁ ଦୃଷ୍ଟିକୋଣରୁ ବାଜପେୟୀଜୀ ଥିଲେ ଜଣେ ସୁଶାସକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଦେଶ ପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଜୀଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀଜୀ  ବହୁତ୍ ଶ୍ରଦ୍ଧା ଓ  ସମ୍ମାନ କରନ୍ତି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ 2018 ଅଗଷ୍ଟ ୧୬ ତାରିଖ, ଯେଉଁ ଦିନ ବାଜପେୟୀଙ୍କ ଦେହାବସାନ ହେଲା, ସେ ଦିନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ବାଜପେୟୀଙ୍କ ମର ଶରୀର ସହିତ ପଦରେ ଚାଲି ଚାଲି  ଶେଷକୃତ୍ୟ ସ୍ଥଳକୁ ଯାଇଥିଲେ । ଜଣେ ପୁତ୍ର ସଦୃଶ ସେ ତାଙ୍କର ଶେଷ କୃତ୍ୟ ସମ୍ପାଦନ କରିଥିଲେ।

ଏହା ହେଉଛି, ଭାରତୀୟ ସଂସ୍କାର। ଉଭୟ ବାଜପେୟୀଜୀ ଓ ମୋଦୀଜୀ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ  ବୋଲି ସେ କହିଥିଲେ।

ଓଡ଼ିଶାରେ ନୂଆ ସରକାର କିପରି ସୁଶାସନ ପାଇଁ ପ୍ରଟିବଦ୍ଧ ହୋଇ କାମ କରୁଛି ସେ ସମ୍ପର୍କରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାରେ  ଆମ   ସରକାର  ମାତ୍ର ୬  ମାସ  ପୂରଣ  କରିଛି। କିନ୍ତୁ, ଲୋକଙ୍କୁ ସୁଶାସନ ଦେବାରେ ଆମେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିନାହୁଁ। ସୁଶାସନର ଏକ ବଡ଼ ଆବଶ୍ୟକତା ହେଉଛି ଲୋକଙ୍କ ଭରସା।

ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର ଗଠନ ହେଲା, ସେହି ଦିନ ହିଁ କ୍ୟାବିନେଟ୍ ବସାଇ ଆମେ ଚାରିଟି ମୁଖ୍ୟ ନିଷ୍ପତ୍ତି ନେଇଥିଲୁ। ସରକାର ଗଠନର ଛ’ ମାସ ମଧ୍ୟରେ ସେହି ଚାରିଟି ଯାକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛୁ। ଶ୍ରୀମନ୍ଦିର’ର ଚାରି ଦ୍ଵାର ଖୋଲିବା, ଶ୍ରୀମନ୍ଦିର’ର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ସହିତ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଓ ଚାଷୀ ଭାଇ ମାନଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା  ପ୍ରଦାନ —  ସବୁ ପ୍ରତିଶ୍ରୁତି  କାର୍ଯ୍ୟକାରୀ  କରିଛୁ। ଲୋକଙ୍କ ଭିତରେ ସରକାରଙ୍କ ଉପରେ ଭରସା ସୃଷ୍ଟି ହୋଇ ପାରିଛି । ଲୋକ ଅନୁଭବ କରୁଛନ୍ତି, ଯେ ସରକାରଙ୍କ କଥା ଓ କାମ ସମାନ। ଆଉ ଗୋଟିଏ କଥା ହେଉଛି, ଗୋଟିଏ ସରକାର ଭାବେ ଲୋକଙ୍କୁ ନିୟମିତ ଭାବେ ଭେଟିବା, ସେମାନଙ୍କ ସୁଖ ଦୁଃଖ ବୁଝିବା।

ଆମ  ସରକାର ଗଠନର ପ୍ରଥମ ଦିନରୁ ହିଁ ମୁଁ ନିଜେ ଲୋକଙ୍କୁ ନିୟମିତ ଭାବେ ଭେଟୁଛି ଓ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛି। ପ୍ରତି ସୋମବାର ଦିନ ମୁଁ ଓ ମୋ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କୁ ଶୁଣି ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଆମ ପାଇଁ ଖୁସିର କଥା, ଆମ ସରକାର ‘ଲୋକଙ୍କ ସରକାର’ ବା People’s Government  ଭାବରେ ସୁନାମ ଅର୍ଜନ କରିଛି। ଗୋଟିଏ ନୂଆ ସରକାର ପାଇଁ ଏହା କିଛି କମ୍ ଉପଲବ୍​ଧି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । କେବଳ ସେତିକି ନୁହେଁ, ଓଡ଼ିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ‘ଭିଜନ ଡକୁମେଣ୍ଟ’ ମଧ୍ୟ ପ୍ରସ୍ତୁତ କରୁଛୁ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ

୨୦୩୬ କୁ ଦୃଷ୍ଟିରେ ରଖି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଯୋଜନା ପ୍ରସ୍ତୁତ କର

ବାଜପେୟୀଜୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ  ସୁଶାସନ ପାଇଁ ଆମର ଏହି ସଂକଳ୍ପ ଓ କାର୍ଯ୍ୟାବଳୀ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ଏକ କାଳଜୟୀ ପଂକ୍ତି ସହିତ ଅଭିଭାଷଣ ଶେଷ କରିଥିଲେ।

କ୍ୟା ହାର୍ ମେଁ, କ୍ୟା ଜିତ୍ ମେଁ,
କିଞ୍ଚିତ୍ ନେହିଁ ଭୟଭୀତ୍ ମେଁ ।
କର୍ତ୍ତବ୍ୟ ପଥ୍ ପର୍ ଯୋ ଭି ମିଲା,
ୟହ  ଭି ସହି, ଓ  ଭି   ସହି,
ବରଦାନ୍ ନେହିଁ ମାଙ୍ଗୁଗାଁ ।
ହୋ କୁଛ,
ପର୍, ହାର୍ ନେହିଁ ମାନୁଙ୍ଗା
ପର୍, ହାର୍ ନେହିଁ ମାନୁଙ୍ଗା ।।

ବିଧାୟକ, ଏକାମ୍ର- ଭୁବନେଶ୍ୱରଶ୍ରୀ ବାବୁ ସିଂହ କହିଥିଲେ ଯେ ବାଜପେୟୀ ଥିଲେ ଦେଶର ଶ୍ରେଷ୍ଠ ପୁରୁଷ। ତାଙ୍କର ସୁଶାସନ ପାଇଁ ଦେଶ ଆଜି ବି ତାଙ୍କର ପୁନର୍ଜନ୍ମ କୁ ଚାହିଁ ରହିଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ ଯେ ବାଜପେୟୀଙ୍କ ଜୀବନୀ ଓ ଆଦର୍ଶ ରୁ ଆମକୁ ବହୁତ୍ କିଛି ଶିଖିବାର ଅଛି। ବିକାଶ ଓ ପ୍ରଗତିର ଏକମାତ୍ର ମାଧ୍ୟମ ହେଉଛି ସୁଶାସନ ବୋଲି ସେ କହିଥିଲେ।

ସ୍ବାଗତ ଭାଷଣ ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭା ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ସେବା ଭାବ, ସମ୍ବେଦନଶୀଳତା  ଓ ଉତ୍ତଦାୟିତା ମାଧ୍ୟମରେ ବାଜପେୟୀ ସୁଶାସନ ପ୍ରତିଷ୍ଠା କରିଥିଲେ।

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଭୋକ, ଭୟ ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାର ପ୍ରକୃତ ମାର୍ଗ ଦର୍ଶନ କରିଥିଲେ ବାଜପାୟୀ । ତାଙ୍କ ଜୟନ୍ତୀକୁ  ରାଜ୍ୟ ସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇ ଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ।

ଭାରତ ରତ୍ନ ଅଟଳ ବିହାରୀ ଓ ସାମାଜିକ ସମଦର୍ଶିତା ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ମଧ୍ୟାହ୍ନରେ  ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର କବିମାନେ କବିତା ପାଠ କରିବା ସହ ଅଟଳ ବିହାରୀ ବାଜପେୟୀଜୀଙ୍କର ସ୍ମୃତିଚାରଣ କରିଥିଲେ। କବିତାମାନଙ୍କର ଅଟଳଜୀଙ୍କ ଦେଶମାତୃକା ପ୍ରତି ରହିଥିବା ତ୍ୟାଗ ଓ ସମ୍ମାନ ପ୍ରସ୍ଫୁଟିତ ହୋଇଉଠିଥିଲା।

"ସୁଶାସନ ଦିବସ" ouat ଅଟଳ ବିହାରୀ ବାଜପେୟୀ ଓଡ଼ିଶାର ବିକାଶ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.