ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ବାସୁଦେବପୁର ଗ୍ରାମର ଶ୍ରୀୟା ରେଡ୍ଡୀ ନାମ୍ନୀ ଜଣେ ମହିଳା ସ୍ବାମୀ ପି ଶିବରାମ ପାତ୍ରଙ୍କ ଘର ସାମ୍ନାରେ ନିଜର ଦୁଇ ବର୍ଷର ପୁଅକୁ ଧରି ଧାରଣାରେ ବସିଛନ୍ତି।
ସୁଚନା ମୁତାବକ ଗତ ୭ ବର୍ଷ ପୂର୍ବେ ବାସୁଦେବପୁର ଗ୍ରାମର ଶ୍ରୀୟା ଓ ପି ସୁର୍ଯ୍ୟ ପାତ୍ରଙ୍କ ପୁଅ ଶିବରାମ ଉଭୟେ ପ୍ରେମ ବିବାହ କରି ଚେନ୍ନାଇରେ କାମ କରି ରହୁଥିଲେ। ଉଭୟଙ୍କ ଦୁଇ ବର୍ଷର ଗୋଟେ ପୁଅ ଅଛି। କିନ୍ତୁ ଏହି କିଛି ମାସ ହେଲା ଶିବରାମ ସ୍ତ୍ରୀ ଓ ଛୁଆକୁ ଚେନ୍ନାଇ ରେ ଛାଡି ନିଜ ଗାଁକୁ ପଳି ଆସି ଆଉ ଯାଇନଥିଲେ।
ଅନ୍ୟପକ୍ଷରେ ଶ୍ରୀୟାଙ୍କୁ ତୁମେ ମାଁ ପିଲା ଦୁହେଁଙ୍କୁ ମୁଁ ରଖିବାର ନାହିଁ ବୋଲି ରୋକ୍ ଠୋକ୍ ଫୋନରେ ଜଣାଇବା ପରେ ଶ୍ରୀୟା ଅନ୍ୟ ଉପାୟ ନପାଇ ବ୍ରହ୍ମପୁର ଆସି ନିଜ ଭଉଣୀକୁ ସମସ୍ତ ବିଷୟ ଜଣାଇବା ପରେ ଭଉଣୀ ଓ ଜ୍ୱାଇଁ ତାକୁ ବ୍ରହ୍ମପୁର ରେଳଷ୍ଟେସନରୁ ଆଣି ଏକ ଭଡାଘରେ ରଖିଥିଲେ।
ପରବର୍ତ୍ତୀ ସମୟରେ ଗତ ମଙ୍ଗଳବାର ଦିନ ଶ୍ରୀୟା ଦିଗପହଣ୍ଡି ଥାନାରେ ଅଭିଯୋଗ କରି ଗତକାଲି ଠାରୁ କିଛି ସ୍ଵେଚ୍ଛାସେବୀ ସଂଗଠନର ମହିଳାଙ୍କ ସହଯୋଗରେ ସ୍ବାମୀଙ୍କ ଘର ସାମ୍ନାରେ ଧାରଣାରେ ବସି ପତ୍ନୀଙ୍କ ମାନ୍ୟତା ପାଇଲା ପର୍ଯ୍ୟନ୍ତ ଏଠୁ ଉଠିବାର ନାହିଁ ବୋଲି କହିଛନ୍ତି।
ଶ୍ରୀୟାର ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୪୬୫/୨୪ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି