ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ମସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍କିକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଜାତି, ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ କୋରେଇର ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ, ଓଡିଶା ଟାଟା ହକିର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ୍, ନୟାଗଡ ଡ଼ି.ଆର.ଡ଼ିଏ. ର ପି.ଡ଼ି. ଦେବଦତ୍ତ ପଣ୍ଡା, ନୟାଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ପଟ୍ଟନାୟକ ପ୍ରମୂଖ ମଞ୍ଚାସିନ ଥିଲେ। ସାହିତ୍ୟିକ ବିରଞ୍ଚି ନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।
ଅତିଥି ତଥା ଅଭିନେତା ଆକାଶ ଦାଶ ନାୟକ କିଛି ଚଳଚିତ୍ରର ସଂଳାପ ଓ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଉଲ୍ଲସିତ କରିଥିଲେ।
ସଭା ଶେଷରେ ଚଳିତ ବର୍ଷ ଓ.ଏ.ଏସ. ପାଇଥିବା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ରଣାଙ୍କ ସୁପୁତ୍ର ହର ପ୍ରସାଦ ମହାପାତ୍ରଙ୍କ ସହିତ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଦୁଇ ଜଣ ଶତାୟୁ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ଶିକ୍ଷକ ସନ୍ତୋଷ କୁମାର ସାହୁ, ଜଣେ ଦିବ୍ୟାଙ୍ଗ ହୋଇ ଶିକ୍ଷକତା କରୁଥିବା ବ୍ୟକ୍ତି ଯିଏକି ସୁଉଚ୍ଚ ମଣିନାଗ ପାହାଡ଼ ନିର୍ମାଣ ସମୟରେ ତଳୁ ପାହାଡ଼ ଉପରକୁ ପାଣି ନେଇ ମନ୍ଦିର ନିର୍ମାଣରେ ସହଯୋଗ କରିଥିଲେ। ଏଥି ପାଇଁ ତାଙ୍କୁ ମଧ୍ୟ ମହୋତ୍ସବରେ ସମ୍ମାନିତ କରିଯାଇଛି।
ହଜାର ହଜାର ଦର୍ଶକ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ବରୁଣେଇ ପାଇକ ଆଖଡ଼ା, ଓଡିଶା ସରକାରଙ୍କ ସମ୍ବଲପୁରୀ ନୃତ୍ୟ, ଜିଲ୍ଲା ସଂସ୍କୃତି ବିଭାଗର ପାଲା, ଭାରତ ସରକାରଙ୍କ ଆସାମର ବିହୁ ଓ ପୁରୁଲିଆ ଛଉ ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।
ଅପରାହ୍ନରେ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଏହା ପରେ ବିଭିନ୍ନ ବିଦ୍ୟାଳୟର ତଥା ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୁଗ୍ଧ କର ଥିଲା। ମହୋତ୍ସବ ଅବସରରେ ପଡ଼ିଥିବା ଦୋକାନ ବଜାରରେ ତୃତୀୟ ସନ୍ଧ୍ୟାରେ ପୂର୍ବ ଦୁଇ ଦିନ ଅପେକ୍ଷା ଅଧିକ ଭିଡ଼ ଜମି ଥିବା ଦେଖିବାକୁ ମିଳିଥିଲା। ଯୁବ ବାଳୁକା ଶିଳ୍ପୀ ପ୍ରିୟବ୍ରତ ଗୁରୁ ବାଳୁକା କଳା ମାଧ୍ୟମରେ ମଣିନାଗ ପାହାଡ଼ ସହିତ ମଣିନାଗ ମନ୍ଦିର ଓ ଜଗନ୍ନାଥଙ୍କ ନବକଳେବର ଆଦି ପ୍ରଦର୍ଶନ କରି ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି।