ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଉତ୍ତର-ପୂର୍ବାଂଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି

Published: Jan 27, 2025, 8:25 pm IST

ଭୁବନେଶ୍ୱର: ଉତ୍ତର-ପୂର୍ବାଂଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତିଙ୍କୁ ସାକ୍ଷାତ କରିଛନ୍ତି। ଅନ୍ତଃରାଜ୍ୟ ଛାତ୍ର ଜୀବନ ଦର୍ଶନ କାର୍ଯ୍ୟକ୍ରମରେ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ତ୍ରିପୁରାର ଛାତ୍ରଛାତ୍ରୀମାନେ ଓଡ଼ିଶା ପରିଭ୍ରମଣରେ ଆସିବା ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କ ସହ ବାର୍ତାଳାପ ବେଳେ ଓଡିଶା କେମିତି ଲାଗୁଛି ବୋଲି ଛାତ୍ର ପ୍ରତିନିଧିମାନଙ୍କୁ ରାଜ୍ୟପାଳ ପଚାରିଥିଲେ।

ଉପରୋକ୍ତ ୭ଟି ରାଜ୍ୟର ଛାତ୍ର ପ୍ରତିନିଧିମାନେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ, ପରଂପରା ଓ ବୈଶିଷ୍ଟ୍ୟ ସଂପର୍କରେ ଅବତାରଣା କରିବା ସହ ଓଡିଶାର ସାଂସ୍କୃତିକ ପରଂପରା, ଭାସ୍କର୍ଯ୍ୟ, ଆତିଥେୟତା, ମହିମା ମଣ୍ଡିତ ଦେବଦେବୀ ପୀଠ, ସୌନ୍ଦର୍ଯ୍ୟ ଓ ମହନତାର ପ୍ରଶଂସା କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ପରେ ରାଜ୍ୟପାଳଙ୍କ ସୌଜନ୍ୟରେ ଆୟୋଜିତ ନୈଶ୍ୟ ଭୋଜିରେ ଅତିଥି ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଜାତୀୟ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଂଚଳର ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ଅଂଚଳ ଭ୍ରମଣ କରୁଛନ୍ତି।

Related posts