ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ସରକାରଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣର ମୂଳଦୁଆ ହେଉଛି ‘ସବକା ସାଥ, ସବକା ବିକାଶ’ ଏବଂ ଏହା ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ପାଇଁ ଗ୍ରାମାଞ୍ଚଳର ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଉଛି। ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ରେ ଉଲ୍ଲେଖ କରାଯାଇଛି ଯେ ଏହା ‘ସମଗ୍ର ସରକାରୀ’ ରଣନୀତି ମାଧ୍ୟମରେ ‘ସମସ୍ତଙ୍କ କଲ୍ୟାଣ’ ପାଇଁ ଏକ ବ୍ୟାପକ ନୀତିକୁ ପ୍ରତିଫଳିତ କରେ। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମୌଳିକ ଗ୍ରାମୀଣ ଭିତ୍ତିଭୂମିରେ ଉନ୍ନତି ଆଣିବା, ଗ୍ରାମୀଣ ଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ, ସ୍ୱଚ୍ଛ ଇନ୍ଧନ ଯୋଗାଇବା, ଗ୍ରାମାଞ୍ଚଳରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଞ୍ଚଳରେ ଜୀବିକା ସୁଯୋଗ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଗ୍ରାମୀଣ ଅର୍ଥନୀତି ସହିତ ଡିଜିଟାଇଜେସନ୍ ଏବଂ ଟେକ୍ନୋଲୋଜିର ସମନ୍ୱୟ ଗ୍ରାମୀଣ ବିକାଶ ଏଜେଣ୍ଡାର ଏକ ପ୍ରମୁଖ ବିଷୟବସ୍ତୁ, ତାହା କୃଷି କାର୍ଯ୍ୟକଳାପ ହେଉ କିମ୍ବା ସୁଶାସନ କ୍ଷେତ୍ର।
ଗ୍ରାମୀଣ ଭିତ୍ତିଭୂମି:
ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ଏକ ନୂତନ ଉପାଦାନ ପ୍ରଚଳନ କରାଯାଇଛି, ଯେଉଁଥିରେ ବିଶେଷ କରି ଦୁର୍ବଳ ଜନଜାତି ସମୁଦାୟ (ପିଭିଟିଜି) ଅଂଚଳରେ ମୌଳିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା କି ୧୦୦ ଜନସଂଖ୍ୟା ମାନଦଣ୍ଡକୁ କୋହଳ କରି ଏଭଳି ସଂଯୋଗ ବିହୀନ ପିଭିଟିଜି ଆବାସସ୍ଥଳୀକୁ ସଂଯୋଗ ପ୍ରଦାନ କରିବ। ଏହି ବର୍ଗ ଅଧୀନରେ ସମୁଦାୟ ୮ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗ୍ରାମୀଣ ଗୃହ ନିର୍ମାଣ:
ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଘର ଯୋଗାଇବା ସରକାରଙ୍କ ବିକାଶ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇଛି। ‘ସୁରକ୍ଷିତ ଏବଂ ସୁଲଭ ଗୃହ’ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ୧୧.୧ ସହିତ ଯୋଡ଼ି ହୋଇଛି ଏବଂ ‘ସମସ୍ତଙ୍କ ପାଇଁ ଗୃହ’ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ୨୦୧୬ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ଅଧୀନରେ ୨.୬୯ କୋଟି ଘର ସମ୍ପୂର୍ଣ୍ଣ ହୋଇଛି। ପିଏମଏୱାଇ-ଜି ଅଧୀନରେ ଗୋଟିଏ ଘର ନିର୍ମାଣ ଦ୍ୱାରା ପ୍ରାୟ ୩୧୪ ଜଣ ବ୍ୟକ୍ତି-ଦିନ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରନ୍ତି, ଯେଉଁଥିରେ ୮୧ କୁଶଳୀ, ୭୧ ଅର୍ଦ୍ଧକୁଶଳୀ ଏବଂ ୧୬୪ ଅଣକୁଶଳୀ ବ୍ୟକ୍ତି ଦିବସ ଅନ୍ତର୍ଭୁକ୍ତ । ଏହି ଯୋଜନାର ପ୍ରଥମ ଦୁଇ ବର୍ଷ ମଧ୍ୟରେ ନିର୍ମିତ ଘରଗୁଡ଼ିକ କୁଶଳୀ ଶ୍ରମିକଙ୍କ ପାଇଁ ୪୮.୨ ନିୟୁତ ବ୍ୟକ୍ତି ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ୭୬ ନିୟୁତ ବ୍ୟକ୍ତି ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛି। (ଏନଆଇପିଏଫପି ୨୦୧୮)
ଗ୍ରାମୀଣ ଆୟ ପ୍ରେତ୍ସାହନ
ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଗ୍ରାମୀଣ ଆୟକୁ ପ୍ରୋତ୍ସାହିତ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)ର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମନରେଗାରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ କାର୍ଯ୍ୟ ପୂର୍ବରୁ ଓ ପରେ ଜିଓ ଟ୍ୟାଗିଂ ପ୍ରକ୍ରିୟା ଗ୍ରହଣ କରାଯାଉଛି ଏବଂ ଶ୍ରମିକମାନଙ୍କୁ ଏନଇଏଫଏମ୍ ବ୍ୟବସ୍ଥା ମାଧ୍ୟମରେ ଡିବିଟି ଯୋଜନାରେ ୯୯.୯୮ ପ୍ରତିଶତ ଦରମା ଦିଆଯାଉଛି। ଡିସେମ୍ବର ୨୦୨୪ ସୁଦ୍ଧା ମନରେଗାରେ ମୋଟ ସକ୍ରିୟ ଶ୍ରମିକଙ୍କ ମଧ୍ୟରୁ ୯୬.୩ ପ୍ରତିଶତ ଆଧାର ଆଧାରିତ ଦେୟ ପାଇଁ ସକ୍ଷମ ହୋଇଛନ୍ତି ଏବଂ ୯୯.୨୩ ପ୍ରତିଶତ ହିତାଧିକାରୀଙ୍କୁ ଏପିବିଏସ୍ ଆଧାରରେ ସଫଳତାର ସହ ଦେୟ ପ୍ରଦାନ କରାଯାଇଛି। ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାମାଜିକ ଅଡିଟ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି।
ଡିଏଇ–ଏନଆରଏଲ୍ (ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା–ଜାତୀୟ ଗ୍ରାମୀଣ ଜୀବିକା ମିଶନ):
ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଏହା ଏକ ପ୍ରମୁଖ ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଯାହା ଗରିବ ପରିବାରମାନଙ୍କୁ ଆତ୍ମନିଯୁକ୍ତି ଏବଂ ଦକ୍ଷ ନିଯୁକ୍ତି ସୁଯୋଗ ପାଇବାରେ ସକ୍ଷମ କରେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଗରିବ ଙ୍କ ପାଇଁ ସ୍ଥାୟୀ ଏବଂ ବିବିଧ ଜୀବିକା ସୁଯୋଗ ସୃଷ୍ଟି ହୋଇଛି।
ଅର୍ଥନୈତିକ ସର୍ବେକ୍ଷଣର ଫଳାଫଳରେ କୁହାଯାଇଛି ଯେ ଗ୍ରାମୀଣ ଭିତ୍ତିଭୂମି, ଗୃହ ନିର୍ମାଣ ଏବଂ ଜୀବିକା ଉପରେ ସରକାର ଗୁରୁତ୍ୱ ଦେବା ‘ସମସ୍ତଙ୍କ ପାଇଁ କଲ୍ୟାଣ’ର ଏକ ବ୍ୟାପକ ନୀତିର ସଙ୍କେତ। ଗ୍ରାମାଞ୍ଚଳରେ ଯୋଗାଯୋଗ ସେବାରେ ଉନ୍ନତି ଆଣିବା, ପରିମଳ, ଗୃହ ନିର୍ମାଣ, ପାନୀୟ ଜଳ ଉପଲବ୍ଧତା, ସାମାଜିକ ଅନ୍ତର୍ଭୁକ୍ତୀକରଣ, ମାଇକ୍ରୋଫାଇନାନ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ସହିତ ଏସଡିଜିର ସ୍ଥାନୀୟକରଣ ପାଇଁ ସରକାରଙ୍କ ପ୍ରୟାସ, ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିଥାଏ। ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି, ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଜୀବନଧାରଣମାନରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ସରକାରଙ୍କ ଏହି ସବୁ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।