ଆୟୁଷ ନିର୍ଦେଶକଙ୍କ ସହ ଉଚ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆୟୁଷ କଲେଜ ବନ୍ଦ ଡାକରା

Published: Feb 12, 2025, 7:13 pm IST

ଭୁବନେଶ୍ୱର: ରାଜ୍ୟ ଆୟୁଷ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ତାତିଛନ୍ତି ଆୟୁଷ ଛାତ୍ରଛାତ୍ରୀ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ଆୟୁଷ ମହାବିଦ୍ୟାଳୟକୁ ବନ୍ଦ କରାଯିବ। ଏହି ଧମକ ଦେଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂସଦ।

ଯେଉଁମାନଙ୍କ ବିରୋଧରେ ଛାତ୍ରଛାତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସେମାନେ ହେଲେ ନିର୍ଦେଶକ ପ୍ରେମଜିତ ନାୟକ, ଆୟୁଷ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୯ ବର୍ଷ ଧରି ୫ଟି ବିଭାଗ ଦାୟିତ୍ବରେ ଥିବା ଆୟୁଷ ନୋଡାଲ ଅଫିସର ତଥା ହୋମିଓପ୍ୟାଥିକ ରେଜିଷ୍ଟାରଏବଂ ଅଧ୍ୟାପକ ଡା ପ୍ରମୋଦ ବିହାରୀ ପ୍ରଧାନଙ୍କ ସହିତ ସେକ୍ସନ ଅଫିସର ପ୍ରଦୀପ ନାଥ ଶର୍ମାଙ୍କ ତୁରନ୍ତ ବଦଳି ଓ ତାଙ୍କ ପ୍ରତି ବିହିତ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି।

ଏ ନେଇ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ସାତୋଟି ଆୟୁଷ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏହି ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ପାଇଁ ଦାବୀ କରାଯାଇଛି।

Related posts