ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ କରିଥିବା ବ୍ୟକ୍ତି ଗିରଫ, ଗୁଗୁଲରୁ ସର୍ଚ୍ଚ କରୁଥିଲା ଧନି ତାଲିକା

Published: Feb 13, 2025, 2:32 pm IST

ଭୁବନେଶ୍ବର: କଂଗ୍ରେସ ନେତା ତଥା ଓଡିଶାର ଅନ୍ୟତମ ଧନି ବ୍ୟକ୍ତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରୀ କରୁଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। କମିସନରେଟ ପୋଲିସ ଏକ ଟିମ ବିଶାଖପାଟଣାରୁ ତାଙ୍କୁ ଗିରଫ କରିଛି। ତାଙ୍କ ନାମ ହେଉଛି ଶକ୍ତି ରେଡ୍ଡି। ସେ ଜଣେ ହାଇ ପ୍ରୋଫାଇଲ ଚୋର ବୋଲି ପୋଲିସ ଜାଣିବାକୁ ପାଇଛି।

ପୋଲିସ ତାଙ୍କ ପାଖରୁ ଚୋରୀ ହୋଇଥିବା ସମସ୍ତ ସୁନା ଓ ହୀରା ଗହଣା ଜବତ କରିଥିବାର ଜଣାପଡିଛି। ଏ ସଂପର୍କରେ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଚୋରକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ସେହି ଘଟଣା ଦିନ ସେହି ସ୍ଥାନରୁ ହଜାର ହଜାର ଫୋନ କଲ ଏବଂ ସିସିଡିଭି କ୍ୟାମେରା ଯାଞ୍ଚ କରାଯାଇଥିଲା। ହେଲେ ବରମୁଣ୍ଡା ବସ ଷ୍ଟାଣ୍ଡରେ ଥିବା ଏକ ସିସି ଟିଭିରେ ସେହି ବ୍ୟକ୍ତିର ପତା ମିଳିଥିଲା। ଏହାପରେ ତାହାର ଗତିବିଧିକୁ ଯାଞ୍ଚ କରି ଆନ୍ଧ୍ର ପ୍ରଦେଶରୁ ଧରାଯାଇଛି।

ସେ ଆହୁରି କହିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ବଡ ହାଇପ୍ରୋଫାଇଲ ଚୋର। କାରଣ ସେ ଘରେ ବସି ପ୍ରଥମେ କେଉଁ ସହରର କେଉଁଠି ଧନି ବ୍ୟକ୍ତି ଅଛନ୍ତି ତାହା ଗୁଗୁଲରୁ ଯାଞ୍ଚ କରେ। ଏହାପରେ ସେ ଗୁଗୁଲ ମ୍ୟାପର ସେହି ବ୍ୟକ୍ତିଙ୍କ ଘର ଠିକଣା ବା ଲୋକେସନ ଠାବ କରେ। ଏହାପରେ ସେ ସେହି ସ୍ଥାନକୁ ଆସି ରେକି କରେ। ଏହାପରେ ସେ ଚୋରୀ କରେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ସେ ସବୁ କିଛି ଏକାକୀ କରେ।

ଆଜି ପୋଲିସ ଶକ୍ତିଙ୍କୁ କୋର୍ଟରେ ହାଜର କରାଇ ରିମାଇଣ୍ଡରରେ ନେଇ ଅଧିକ ପଚାରାଉଚୁରା କରିବ। ତେବେ ଏହି ବ୍ୟକ୍ତି ଗତ ବର୍ଷ ଏଆରଏସଏସ କଂପାନୀ ମାଲିକଙ୍କ ଘରୁ ଚୋରୀ କରିଥିଲା ବୋଲି ଜଣାପଡିଛି। ଏହାଙ୍କ ନାମରେ ଦେଶର ବିଭିନ୍ନ ଥାନାରେ 70ଟି ମାମଲା ରହିଥିବାର ପୋଲିସ ଜାଣିପାରିଛି।

Related posts