
ପୁରୀ: ଗୋଚାଲାଣ ରୋକିବା ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ଗୋ ଚାଲାଣ ଭଳି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶନିବାର ପୁରୀ ଗୋବର୍ଦ୍ଧନ ପୀଠ ଗୋଶାଳା ପରିଦର୍ଶନ କରି ଏପରି ମତ ରଖିଥିଲେ ରାଜ୍ୟ ସରକାରଙ୍କର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ପୁରୀ ଗସ୍ତ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶଙ୍କରାଚାର୍ଯ୍ୟ ପୀଠରେ ଥିବା ଗୋଶାଳା ପରିଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଥିଲେ। ତେବେ ଶ୍ରୀମନ୍ଦିରକୁ ଘିଅ ଯୋଗାଇବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଓମଫେଡ ଡିପୋ ପ୍ରତିଷ୍ଠା ନେଇ ସରକାର ଯୋଜନା କରୁଥିବା ବେଳେ ଶ୍ରୀମନ୍ଦିର କୁ ଯୋଗାଇ ଦିଆଯାଉଥିବା ଘିଅ ରେ ରିହାତି ଦିଆଯିବା ନେଇ ଯୋଜନା ରଖାଯାଇଅଛି।
ତେବେ ଏନେଇ ବିଭିନ୍ନ ଏନଜିଓ, ସୋସିଆଲ ୱାର୍କରଙ୍କୁ ଆହ୍ବାନ କରାଯାଇଥିବା ବେଳେ ଅଧିକରୁ ଅଧିକ ଗୋଶାଳା କରିବା ପାଇଁ ଇଚ୍ଛୁକ ବ୍ୟକ୍ତି ଓ ସଂସ୍ଥାମାନେ ଆବେଦନ କରିବା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି। କାମଧେନୁ ଯୋଜନା ମାଧ୍ୟମରେ ଗୋ ସୁଗମ ପୋର୍ଟାଲ୍ ରେ ୩୦ ହଜାରରୁ ଉର୍ଦ୍ଧ୍ବ ଆବେଦନ ହୋଇଥିବା ବେଳେ ଗୋ ସମ୍ପଦ ବୃଦ୍ଧି ଏବଂ ଓମେଫେଡ କୁ ଶସକ୍ତ କରିବାକୁ ଯୋଜନା ଜାରି ରହିଅଛି।
ସରକାରକୁ ଆସିବା ପରେ ୨ ଶହ ଗୋଶାଳା ପାଇଁ ଯୋଜନା ହୋଇଅଛି। ଆଉ ଏଥିପାଇଁ ୯ କୋଟି ଟଙ୍କା ଦିଆଯାଇଛି। ତେବେ ଯୋଜନା ଜରିଆରେ ଗୋଶାଳା ପାଇଁ ୫୨ ଲକ୍ଷ ପର୍ଯ୍ୟନ୍ତ ରିହାତି ସହ ଯେଉଁମାନେ ଗାଈ ଲାଳନ ପାଳନ କରିବେ, ସେମାନଙ୍କ ପାଇଁ ମଧ୍ୟ ଗାଇ ପିଛା ୨୦ ହଜାର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।