Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ର ଅଭିଭାଷଣ
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ର ଅଭିଭାଷଣ

February 23, 2025No Comments10 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି। କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା। ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି। ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା। ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ। ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା। ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି। ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି। କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ। ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି।

ଶ୍ରୀ ମୋଦୀ କହିଛନ୍ତି ଯେ, ଆଗାମୀ କିଛିଦିନ ମଧ୍ୟରେ ଆମେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବାକୁ ଯାଉଛୁ। ଆମ ପିଲାମାନଙ୍କର, ଯୁବବର୍ଗଙ୍କ ବିଜ୍ଞାନରେ ଗଭୀର ରୁଚି ରହିଥିବା କଥା ବେଶ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ମୋ ପାଖରେ ଗୋଟିଏ ଆଇଡିଆ ରହିଛି, ଯାହାକୁ ଆପଣ “One Day as a Scientist” ବୋଲି କହିପାରନ୍ତି। ଅର୍ଥାତ୍, ଆପଣ ନିଜର ଗୋଟିଏ ଦିନ ବୈଜ୍ଞାନିକ ରୂପେ ଅତିବାହିତ କରି ଦେଖନ୍ତୁ। ଆପଣ ନିଜ ସୁବିଧା ଅନୁସାରେ, ନିଜ ଇଚ୍ଛା ଅନୁସାରେ ଯେ କୌଣସି ଦିନଟିକୁ ଚୟନ କରନ୍ତୁ। ସେ ଦିନ ଆପଣ କୌଣସି ଗବେଷଣାଗାର, ପ୍ଲାନେଟୋରିୟମ୍ କିମ୍ବା ମହାକାଶ କେନ୍ଦ୍ର ଭଳି ସ୍ଥାନକୁ ନିଶ୍ଚୟ ଯାଆନ୍ତୁ। ଏହାଦ୍ୱାରା ବିଜ୍ଞାନକୁ ନେଇ ଆପଣଙ୍କ ମନରେ ଜିଜ୍ଞାସା ଆହୁରି ବୃଦ୍ଧି ପାଇବ। ମହାକାଶ ଓ ବିଜ୍ଞାନ ଭଳି ଅନ୍ୟ ଏକ କ୍ଷେତ୍ର ରହିଛି, ଯେଉଁଠି ଭାରତ ଦୃତ ଗତିରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଛି। ଏହି କ୍ଷେତ୍ର ହେଉଛି ଏ.ଆଇ. – ଆର୍ଟିଫିଶିଆଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା। ନିକଟରେ ଏ.ଆଇ. ସମ୍ପର୍କିତ ଗୋଟିଏ ବଡ଼ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମୁଁ ପ୍ୟାରିସ୍ ଯାଇଥିଲି। ସେଠାରେ ବିଶ୍ୱବାସୀ ଏହି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ନେଇ ବହୁତ ପ୍ରଶଂସା କରୁଥିଲେ। ଆମ ଦେଶର ଲୋକେ ଆଜି ଏ.ଆଇ.ର ବ୍ୟବହାର କେଉଁ ପ୍ରକାର କରୁଛନ୍ତି, ଏହାର ଉଦାହରଣ ମଧ୍ୟ ଆମକୁ ଦେଖିବାକୁ ମିଳୁଛି। ଏଇ ଯେମିତି, ତେଲଙ୍ଗାନାର ଆଦିଲାବାଦରେ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ହେଉଛନ୍ତି ଥୋଡ଼ାସମ୍ କୈଳାଶ ଜୀ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଡିଜିଟାଲ୍ ଗୀତ-ସଙ୍ଗୀତରେ ତାଙ୍କର ଋଚି ଆମର ଅନେକ ଆଦିବାସୀ ଭାଷାକୁ ଜୀବିତ ରଖିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି । ସେ ଏ.ଆଇ. ଟୁଲ୍ସ ସାହାଯ୍ୟରେ କୋଲାମୀ ଭାଷାରେ ସ୍ୱର ସଂଯୋଜନା କରି ଚମତ୍କାର କାର୍ଯ୍ୟ କରିଦେଖାଇଛନ୍ତି । ସେ ଏ.ଆଇ.ର ବ୍ୟବହାର କୋଲାମୀ ବ୍ୟତୀତ ଅନ୍ୟ କେତେକ ଭାଷାରେ ଗୀତ ପ୍ରସ୍ତୁତ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଟ୍ରାକଗୁଡ଼ିକ ଆମ ଆଦିବାସୀ ଭାଇଭଉଣୀମାନଙ୍କୁ ଖୁବ ଭଲ ଲାଗୁଛି । ମହାକାଶ କ୍ଷେତ୍ର ହେଉ କି ଏ.ଆଇ., ଆମ ଯୁବବର୍ଗର ଏଥିରେ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ଗୋଟିଏ ନୂତନ ବିପ୍ଳବକୁ ଜନ୍ମ ଦେଉଛି । ନୂଆ ନୂଆ ଜ୍ଞାନକୌଶଳର ପ୍ରୟୋଗ ଓ ବ୍ୟବହାର କରିବାରେ ଭାରତର ଲୋକେ କାହାଠୁ କମ ନୁହନ୍ତି ।

ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ହେଉଛି ଆନ୍ତର୍ଜାତିକ ମହିଳା ଦିବସ। ଏହା ଆମର ନାରୀଶକ୍ତିକୁ ସମ୍ମାନ ଜଣାଇବାର ଗୋଟିଏ ବିଶେଷ ଅବସର। ଦେବୀ ମହାତ୍ମ୍ୟରେ କୁହାଯାଇଛି –

ବିଦ୍ୟାଃ ସମସ୍ତାଃ ତବ ଦେବୀ ଭେଦାଃ

ସ୍ତ୍ରୀୟଃ ସମସ୍ତା ସକଲା ଜଗତ୍ସୁ।

ଅର୍ଥାତ୍ ସମସ୍ତ ବିଦ୍ୟା, ଦେବୀଙ୍କର ହିଁ ଭିନ୍ନ ଭିନ୍ନ ସ୍ୱରୁପର ପରିପ୍ରକାଶ ଏବଂ ଜଗତର ସମସ୍ତ ନାରୀ-ଶକ୍ତିରେ ମଧ୍ୟ ତାଙ୍କରି ପ୍ରତିରୂପ ରହିଛି । ଆମ ସଂସ୍କୃତିରେ କନ୍ୟାମାନଙ୍କ ସମ୍ମାନ ସର୍ବୋପରି । ଦେଶର ମାତୃଶକ୍ତି ଆମର ସ୍ୱାଧୀନତା ସଂଗ୍ରାମରେ ଏବଂ ସମ୍ବିଧାନ ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମ୍ବିଧାନ ସଭାରେ ଆମର ଜାତୀୟ ପତାକା ଉପସ୍ଥାପନ କରି ହଂସା ମେହେତା ଜୀ ଯାହା କହିଥିଲେ, ମୁଁ ତାଙ୍କରି ସ୍ୱରରେ ଆପଣ ସମସ୍ତଙ୍କ ସହ ତାହା ଶେୟାର କରୁଛି ।

ଶ୍ରୀ ମୋଦୀ କହିଛନ୍ତି ଯେ,  ହଂସା ମେହେତା ଆମ ଜାତୀୟ ପତାକା ନିର୍ମାଣ ଠାରୁ ଆରମ୍ଭ କରି ଏହା ପାଇଁ ବଳିଦାନ ଦେଇଥିବା ଦେଶର ସମସ୍ତ ମହିଳାମାନଙ୍କ ଅବଦାନକୁ ଉପସ୍ଥାପିତ କରିଥିଲେ। ସେ କହିଥିଲେ ଯେ, ଆମ ତ୍ରିରଙ୍ଗାରେ ରହିଥିବା ଗେରୁଆ ରଙ୍ଗ ଯୋଗୁଁ ଏହି ଭାବନା ଜାଗ୍ରତ ହେଉଛି। ଆମ ନାରୀଶକ୍ତି ଭାରତକୁ ସଶକ୍ତ ଏବଂ ସମୃଦ୍ଧ କରିବାରେ ନିଜର ବହୁମୂଲ୍ୟ ଯୋଗଦାନ ଦେବ ବୋଲି ତାଙ୍କର ବିଶ୍ୱାସ ରହିଥିଲା। ଆଜି ତାଙ୍କ କଥା ସତ୍ୟ ପ୍ରମାଣିତ ହେଉଛି। ଯେକୌଣସି କ୍ଷେତ୍ରକୁ ଦେଖିଲେ ସେଥିରେ ମହିଳାମାନଙ୍କ ବ୍ୟାପକ ଅବଦାନ ଆପଣଙ୍କ ଦୃଷ୍ଟିଗୋଚର ହେବ । ବନ୍ଧୁଗଣ, ଏଥର ମହିଳା ଦିବସରେ ମୁଁ ଏଭଳି କିଛି ଆରମ୍ଭ କରିବାକୁ ଯାଉଛି, ଯାହା ଆମ ନାରୀଶକ୍ତି ପ୍ରତି ସମର୍ପିତ ହେବ। ଏହି ବିଶେଷ ଅବସରରେ ମୁଁ ମୋର Social Media Account, ଯେମିତିକି ଏକ୍ସ, ଇନଷ୍ଟାଗ୍ରାମକୁ ଦିନକ ପାଇଁ କିଛି ପ୍ରେରଣାଦାୟୀ ମହିଳାମାନଙ୍କୁ ସମର୍ପିତ କରିବାକୁ ଯାଉଛି । ଏଭଳି ମହିଳା, ଯେଉଁମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଛନ୍ତି, Innovation କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୮ ତାରିଖ ଦିନ ସେମାନେ ନିଜ କାର୍ଯ୍ୟ ଏବଂ ଅନୁଭୂତିକୁ ଦେଶବାସୀଙ୍କ ସହ ବାଣ୍ଟିବେ । ଏହା ପଛେ ମୋ ପ୍ଲାଟଫର୍ମ ହୋଇଥାଉ, କିନ୍ତୁ ସେଠାରେ ତାଙ୍କ ଅଭିଜ୍ଞତା, ତାଙ୍କ ଆହ୍ୱାନ ଏବଂ ଉପଲବ୍ଧି ସମ୍ପର୍କରେ ଆଲୋଚନା ହେବ । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କୁ ଏହି ସୁଯୋଗ ମିଳୁ, ତାହେଲେ ନମୋ ଆପରେ ସୃଷ୍ଟି କରାଯାଇଥିବା ବିଶେଷ ଫୋରମ୍ ମାଧ୍ୟମରେ ଏହି ପ୍ରୟୋଗର ଅଂଶୀଦାର ହୁଅନ୍ତୁ ଏବଂ ମୋ ଏକ୍ସ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ନିଜ କଥା ସାରା ବିଶ୍ୱ ଆଗରେ ଉପସ୍ଥାପିତ କରନ୍ତୁ, ତେବେ ଆସନ୍ତୁ, ଏଥର ମହିଳା ଦିବସରେ ଆମେ ସମସ୍ତେ ମିଶି ଅଦମ୍ୟ ନାରୀଶକ୍ତିକୁ ସେଲିବ୍ରେଟ୍ କରିବା, ସମ୍ମାନ ଜଣାଇବା, ପ୍ରଣାମ କରିବା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ମଧ୍ୟରୁ ଅନେକେ ଏମିତି ଥିବେ, ଯିଏ ଉତ୍ତରାଖଣ୍ଡରେ ହୋଇଥିବା ଜାତୀୟ କ୍ରୀଡ଼ାର ରୋମାଞ୍ଚକାରୀ ମୁହୂର୍ତ୍ତର ମଜା ଉଠାଇଥିବେ। ସାରା ଦେଶର ୧୧,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ। ଏହି ଆୟୋଜନ ଦେବଭୂମୀର ଏକ ନୂତନ ସ୍ୱରୂପ ଉପସ୍ଥାପିତ କଲା। ଉତ୍ତରାଖଣ୍ଡ ଏବେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଏକ ଅନନ୍ୟ ଶକ୍ତି ଭାବେ ସମ୍ମୁଖକୁ ଆସୁଛି । ଉତ୍ତରାଖଣ୍ଡର ଖେଳାଳୀମାନେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି। ଉତ୍ତରାଖଣ୍ଡ ଏଥର ସପ୍ତମ ସ୍ଥାନରେ ରହିଲା। ଏହା ହିଁ ତ କ୍ରୀଡ଼ାର ଶକ୍ତି, ଯାହା ଲୋକମାନଙ୍କୁ ଏବଂ ସାମୂହିକ ଭାବେ ସାରା ରାଜ୍ୟର କାୟାକଳ୍ପ ପରିବର୍ତ୍ତନ କରିଥାଏ। ଏହାଦ୍ୱାରା ଭବିଷ୍ୟତ ପିଢ଼ି ପ୍ରେରିତ ହେବା ସଙ୍ଗେ ସଙ୍ଗେ culture of excellence ମଧ୍ୟ ବୃଦ୍ଧି ପାଇଥାଏ।

ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ସମଗ୍ର ଦେଶରେ ଏସବୁ କ୍ରୀଡ଼ା ପ୍ରଦର୍ଶନ ସମ୍ପର୍କରେ ବହୁତ ଚର୍ଚ୍ଚା ଚାଲିଛି । ଏସବୁ କ୍ରୀଡ଼ା ମଧ୍ୟରେ ସବୁଠୁ ଅଧିକ ସ୍ୱର୍ଣ୍ଣପଦକ ଜିଣିଥିବା ସର୍ଭିସେସର ଦଳକୁ ମୋର ବହୁତ ବହୁତ ଅଭିନନ୍ଦନ। ରାଷ୍ଟ୍ରୀୟ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି । ଆମର ବହୁତ ଖେଳାଳି ‘ଖେଲୋ ଇଣ୍ଡିଆ’ ଅଭିଯାନରୁ ବାହାରିଛନ୍ତି। ହିମାଚଳ ପ୍ରଦେଶର ସାୱନ ବରୱାଲ, ମହାରାଷ୍ଟ୍ରର କିରଣ ମାତ୍ରେ, ତେଜସ୍ ଶିର୍‌ସେ, ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ, ସମସ୍ତେ ଦେଶକୁ ନୂଆ ଆଶା ଦେଇଛନ୍ତ । ଉତ୍ତରପ୍ରଦେଶର ଜାଭଲିନ ଫିଙ୍ଗାଳି ସଚିନ୍ ଯାଦବ, ହରିୟାଣାର ହାଇଜମ୍ପର୍‌ ପୂଜା ଓ କର୍ଣ୍ଣାଟକର ସନ୍ତରଣକାରୀ ଧିନିଧି ଦେସିଂଘୁ ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ଏମାନେ ତିନିଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥରର ରାଷ୍ଟ୍ରୀୟ କ୍ରୀଡ଼ାରେ କିଶୋର ବୟସର ଚାମ୍ପିଅନଙ୍କ ସଂଖ୍ୟା ବିସ୍ମୟକର । ୧୫ ବର୍ଷର ସୁଟର ଗେଭିନ ଏଣ୍ଟନି, ୟୁପିର ହ୍ୟାମର୍‌ ଥ୍ରୋ ଖେଳାଳି ୧୬ ବର୍ଷର ଅନୁଷ୍କା ଯାଦବ, ମଧ୍ୟପ୍ରଦେଶର ୧୯ ବର୍ଷର ପୋଲ୍‌ଭଲ୍ଟର ଦେବ କୁମାର ମୀନା ପ୍ରମାଣିତ କରିଛନ୍ତି ଯେ ଭାରତର କ୍ରୀଡ଼ା ଭବିଷ୍ୟତ ବହୁତ ପ୍ରତିଭାବାନ ପିଢ଼ି ହାତରେ ରହିଛି । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ଏହା ମଧ୍ୟ ଦେଖାଇ ଦେଲା ଯେ କେବେ ପରାଜୟକୁ ମାନୁନଥିବା ଲୋକେ ନିଶ୍ଚିତ ଭାବେ ବିଜୟୀ ହୁଅନ୍ତି । ସହଜରେ କିଏ ଚାମ୍ପିଅନ୍‌ ହୁଏନାହିଁ । ମୋତେ ଖୁସି ଲାଗୁଛି ଯେ ଆମର ଯୁବ ଆଥ୍‌ଲେଟ୍‌ମାନଙ୍କ ନିଷ୍ଠା ଓ ଶୃଙ୍ଖଳା ଯୋଗୁଁ ଭାରତ ଆଜି ଗ୍ଲୋବାଲ୍‌ ସ୍ପୋର୍ଟିଙ୍ଗ୍‌ ପାୱାର୍‌ହାଉସ୍‌ ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ।

ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ,  ଡେରାଡୁନରେ ରାଷ୍ଟ୍ରୀୟ କ୍ରୀଡ଼ାର ଉଦ୍‌ଘାଟନ ଅବସରରେ ମୁଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇଥିଲି, ଯାହା ଦେଶରେ ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି । ଏହି ବିଷୟଟି ହେଉଛି ‘ଓବେସିଟି’ ବା ମେଦବହୁଳତା । ଏକ ଫିଟ୍‌ ଓ ସୁସ୍ଥ ଦେଶ ହେବାପାଇଁ ଆମକୁ ମେଦବହୁଳତା ସମସ୍ୟାକୁ ଦୂର କରିବାକୁ ହେବ । ଏକ ଅନୁଧ୍ୟାନ ଅନୁଯାୟୀ ଆଜି ପ୍ରତ୍ୟେକ ଆଠ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ସମସ୍ୟା ଭୋଗୁଛନ୍ତି । ବିଗତ ବର୍ଷଗୁଡ଼ିକରେ ମେଦବହୁଳତାର ମାମଲା ଦୁଇଗୁଣ ହୋଇଯାଇଛି, କିନ୍ତୁ ଏହାଠାରୁ ମଧ୍ୟ ଅଧିକ ଚିନ୍ତାର କଥା ହେଲା ପିଲାଙ୍କ ଭିତରେ ବି ମେଦବହୁଳତା ସମସ୍ୟା ଚାରିଗୁଣ ବଢ଼ିଯାଇଛି । ଡବ୍ଲୁ୍ୟଏଚ୍ଓର ତଥ୍ୟ କହୁଛି ଯେ ୨୦୨୨ରେ ସମଗ୍ର ପୃଥିବୀରେ ପ୍ରାୟ ଅଢ଼େଇ ଶହ କୋଟି ଲୋକ ଅଧିକ ଓଜନର ଥିଲେ, ଅର୍ଥାତ ସେମାନଙ୍କର ଆବଶ୍ୟକତାଠୁ ବହୁତ ଅଧିକ ଓଜନ ଥିଲା । ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ଓ ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି ଯେ ଅନ୍ତତଃ ଏପରି ହେଉଛି କାହିଁକି ? ଅଧିକ ଓଜନ ବା ମେଦ ବହୁଳତା ଅନେକ ପ୍ରକାରର ଅସୁବିଧାକୁ, ରୋଗକୁ ମଧ୍ୟ ଜନ୍ମ ଦେଇଥାଏ । ଆମେ ସମସ୍ତେ ମିଶି ଛୋଟ ଛୋଟ ପ୍ରୟାସ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରିପାରିବା, ଯେଉଁଭଳି ମୁଁ ଗୋଟିଏ ଉପାୟ କହିଥିଲି “ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍‌ କରିବା’’ । ଆପଣ ସ୍ଥିର କରିନିଅନ୍ତୁ ଯେ ପ୍ରତ୍ୟେକ ମାସରେ ଦଶ ପ୍ରତିଶତ ତେଲ କମ୍‌ ବ୍ୟବହାର କରିବେ । ତେଲ କିଣିବା ସମୟରେ ଏବେ ଦଶ ପ୍ରତିଶତ କମ୍‌ ହିଁ କିଣିବେ । ଏହା ମେଦହୁଳତା କମ୍‌ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ମୁଁ ଆଜି ‘ମନ୍‌ କୀ ବାତ୍‌’ରେ ଏ ବିଷୟରେ କେତେକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ଜୀଙ୍କଠୁ ଆରମ୍ଭ କରିବା, ଯିଏ ନିଜେ ସଫଳତାର ସହ ମେଦବହୁଳତାକୁ ନିୟନ୍ତ୍ରଣ କରି ଦେଖାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଖାଦ୍ୟରେ ତେଲର କମ୍ ବ୍ୟବହାର ଏବଂ ମେଦବହୁଳତା ଦୂର କରିବା ଖାଲି ବ୍ୟକ୍ତିଗତ ରୁଚି ନୁହେଁ ବରଂ ପରିବାର ପ୍ରତି ଆମର ଏକ ଦାୟିତ୍ୱ ମଧ୍ୟ। ଖାଦ୍ୟପେୟରେ ତେଲର ବହୁଳ ବ୍ୟବହାର ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗର କାରଣ ହୋଇପାରେ। ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେମାନେ ଆମର ଭବିଷ୍ୟତକୁ ସୁଦୃଢ଼, ସୁସ୍ଥ ତଥା ରୋଗମୁକ୍ତ କରିପାରିବା। ସେଥିପାଇଁ ଆଉ ଡେରି ନ କରି ଏ ଦିଗରେ ଆମକୁ ପ୍ରୟାସ କରିବାକୁ ପଡ଼ିବ। ଏହାକୁ ଆମେ ଜୀବନରେ ପ୍ରତିଫଳିତ କରିବା ଉଚିତ। ଆମେ ସମସ୍ତେ ମିଶି ଖେଳ ଖେଳରେ ଏହାକୁ ବହୁତ ପ୍ରଭାବଶାଳୀ ଢଙ୍ଗରେ କରିପାରିବା। ଯେମିତିକି ମୁଁ ‘ମନ୍ କି ବାତ୍’ର ଆଜିର ଅଧ୍ୟାୟ ପରେ ୧୦ ଜଣ ଲୋକଙ୍କୁ ଅନୁରୋଧ କରିବି, ଆହ୍ୱାନ କରିବି କି ଆପଣମାନେ ନିଜ ଖାଦ୍ୟରେ ତେଲକୁ ୧୦ ପ୍ରତିଶତ କମ୍ କରିପାରିବେ କି ? ତା’ସଙ୍ଗେ ସଙ୍ଗେ ଏକଥା ମଧ୍ୟ ଅନୁରୋଧ କରିବି ଯେ ଆପଣ ମଧ୍ୟ ଆହୁରି ୧୦ ଜଣ ଲୋକଙ୍କୁ ଏହିଭଳି ଆହ୍ୱାନ ଦିଅନ୍ତୁ। ମୋର ବିଶ୍ୱାସ, ଏହାଦ୍ୱାରା ମେଦବହୁଳତା ସହିତ ଲଢ଼ିବା ବହୁତ ସହଜ ହେବ।

ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, Asiatic Lion, Hangul, Pygmy Hogs ଏବଂ Lion tailed Macaque ଏହି ଚାରୋଟି ମଧ୍ୟରେ କ’ଣ ସମାନତା ଦେଖିବାକୁ ମିଳେ ଆପଣମାନେ ଜାଣନ୍ତି କି? ତା’ର ଉତ୍ତର ହେଲା ଏସବୁ ପୃଥିବୀର ଅନ୍ୟ କୌଣସିଠାରେ ଦେଖାଯାନ୍ତି ନାହିଁ । କେବଳ ଆମ ଦେଶରେ ହିଁ ଦେଖାଯାନ୍ତି । ବାସ୍ତବରେ ଆମ ଦେଶରେ ବନସ୍ପତି ଏବଂ ଜୀବଜନ୍ତୁମାନଙ୍କ ମଧ୍ୟରେ ଗୋଟିଏ Vibrant Eco-system  ରହିଛି ଏବଂ ଏହି ବନ୍ୟଜୀବମାନେ ଆମର ଇତିହାସ ଏବଂ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଅନେକ ଜୀବଜନ୍ତୁ ଆମ ଦେବୀଦେବତାମାନଙ୍କର ବାହନ ଭାବରେ ଦେଖିବାକୁ ମିଳନ୍ତି । ମଧ୍ୟଭାରତରେ ଅନେକ ଜନଜାତି ବାଘେଶ୍ୱରଙ୍କ ପୂଜା କରନ୍ତି । ମହାରାଷ୍ଟ୍ରରେ ‘ବାଘୋବା’ ପୂଜନର ପରମ୍ପରା ରହିଆସିଛି । ଭଗବାନ ଆୟପ୍ପାଙ୍କର ମଧ୍ୟ ବାଘ ସହିତ ବହୁତ ଗଭୀର ସମ୍ପର୍କ ରହିଛି । ସୁନ୍ଦରବନରେ ବୋନବିବିଙ୍କ ପୂଜାଅର୍ଚ୍ଚନା ହୁଏ, ଯାହାଙ୍କର ବାହନ ହେଉଛି ବାଘ । କର୍ଣ୍ଣାଟକରେ ହୁଲି ୱେଶା, ତାମିଲନାଡୁର ପୁଲି ଏବଂ କେରଳର ପୁଲିକଲି ଭଳି ଅନେକ ସାଂସ୍କୃତିକ ନୃତ୍ୟ ଅଛି, ଯାହା ପ୍ରକୃତି ଏବଂ ବନ୍ୟଜୀବମାନଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ମୁଁ ଆମର ଆଦିବାସୀ ଭାଇଭଉଣୀମାନଙ୍କ ପ୍ରତି ମଧ୍ୟ ଗଭୀର କୃତଜ୍ଞତା ଜ୍ଞାପନ କରିବି । କାରଣ ସେମାନେ ବନ୍ୟଜନ୍ତୁ ସୁରକ୍ଷା ସହ ଜଡ଼ିତ କାମରେ ଉତ୍ସାହର ସହିତ ଭାଗ ନେଉଛନ୍ତି । କର୍ଣ୍ଣାଟକର ବିଆର୍ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ବାଘଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଏହାର ଶ୍ରେୟ ସୋଲିଗା ଜନଜାତିକୁ ଯାଉଛି, ଯେଉଁମାନେ ବାଘକୁ ପୂଜା କରନ୍ତି । ଏମାନଙ୍କ ଯୋଗୁଁ ଏହି ଅଞ୍ଚଳରେ ପଶୁ-ମଣିଷ ସଂଘର୍ଷ ନାହିଁ କହିଲେ ଚଳେ । ଗୁଜୁରାଟରେ ବି ଲୋକମାନଙ୍କର ଗିର୍ ଅଭୟାରଣ୍ୟରେ ଏସିଆଟିକ୍ ସିଂହର ସୁରକ୍ଷା ଏବଂ ସଂରକ୍ଷଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପ୍ରକୃତି ସହିତ ସହାବସ୍ଥାନ କ’ଣ ସେମାନେ ଏହା ଦୁନିଆକୁ ଦେଖାଇଦେଇଛନ୍ତି । ବନ୍ଧୁଗଣ, ଏହିଭଳି ପ୍ରୟାସ ଯୋଗୁଁ ଗତ କେତେବର୍ଷ ମଧ୍ୟରେ ବାଘ, କଲରାପତରିଆ ବାଘ, Asiatic Lions, ଗଣ୍ଡା ଏବଂ ବାରାସିଂହାମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି ଏବଂ ଭାରତରେ ବନ୍ୟଜୀବମାନଙ୍କର ବିବିଧତା କେତେ ସୁନ୍ଦର ତାହା ମଧ୍ୟ ପ୍ରଣିଧାନଯୋଗ୍ୟ । Asiatic Lions ଦେଶର ପଶ୍ଚିମ ଭାଗରେ ଦେଖିବାକୁ ମିଳୁଥିବା ବେଳେ ପୂର୍ବ, ମଧ୍ୟ ଏବଂ ଦକ୍ଷିଣ ଭାଗରେ ବାଘ ଦେଖିବାକୁ ମିଳିଥାନ୍ତି । ସେହିଭଳି ଗଣ୍ଡା ଉତ୍ତର-ପୂର୍ବ ଭାଗରେ ଦେଖାଯାଆନ୍ତି । ଭାରତର ପ୍ରତ୍ୟେକ ଭାଗ କେବଳ ପ୍ରକୃତି ପାଇଁ ସମ୍ବେଦନଶୀଳ ସେକଥା ନୁହେଁ, ବରଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ । ମୁଁ ଅନୁରାଧା ରାଓ ଜୀଙ୍କ ବିଷୟରେ ଜାଣିବାକୁ ପାଇଛି, ଅନେକ ପୀଢ଼ି ଧରି ଆଣ୍ଡାମାନ ନିକୋବର ଦ୍ୱୀପ ସହିତ ତାଙ୍କର ସମ୍ପର୍କ ରହିଛି । ଅନୁରାଧା ଜୀ କମ୍ ବୟସରୁ ପଶୁ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । ତିନି ଦଶନ୍ଧି ଧରି ସେ ହରିଣ ଏବଂ ମୟୂର ସୁରକ୍ଷାକୁ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି । ଏଠାକାର ଲୋକମାନେ ତ ତାଙ୍କୁ ‘ଡିଅର ଓମ୍ୟାନ୍’ ଭାବରେ ଡାକନ୍ତି । ଆସନ୍ତା ମାସର ଆରମ୍ଭରେ ଆମ୍ଭେମାନେ ବନ୍ୟପ୍ରାଣୀ ଦିବସ ପାଳନ କରିବା । ମୋର ଅନୁରୋଧ ଆପଣ ନିଶ୍ଚିତ ବନ୍ୟଜୀବ ସଂରକ୍ଷଣ ସହିତ ଜଡ଼ିତ ଲୋକମାନଙ୍କର ଉତ୍ସାହବର୍ଦ୍ଧନ କରନ୍ତୁ । ମୋ ପାଇଁ ଏହା ଖୁସିର ବିଷୟ ଯେ ଏବେ ଏ କ୍ଷେତ୍ରରେ କେତେକ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ଆସିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ବୋର୍ଡ ପରୀକ୍ଷାର ସମୟ । ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଅର୍ଥାତ୍ Exam Warriors ମାନଙ୍କୁ ତାଙ୍କର ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ କୌଣସି ଚାପ ନ ନେଇ ସକାରାତ୍ମକ ମନୋବୃତ୍ତି ସହିତ ପରୀକ୍ଷା ଦିଅନ୍ତୁ । ପ୍ରତିବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଁ ଆମର Exam Warriors ମାନଙ୍କ ସହିତ ପରୀକ୍ଷା ସମ୍ବନ୍ଧିତ ଭିନ୍ନ ଭିନ୍ନ ବିଷୟରେ କଥା ହୁଏ । ମୁଁ ବହୁତ ଖୁସି ଯେ ଏବେ ଏହି କାର୍ଯ୍ୟକ୍ରମ ଏକ ସଂସ୍ଥାଗତ ରୂପ ନେବାକୁ ଯାଉଛି, Institutionalise ହେଉଛି । ଏହାସହିତ ନୂଆ ନୂଆ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବାରେ ଲାଗିଛନ୍ତି । ଏହି ବର୍ଷ ଆମେ ଗୋଟିଏ ନୂଆ ଫର୍ମାଟରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବାର ପ୍ରୟାସ କଲୁ । ବିଶେଷଜ୍ଞମାନଙ୍କ ସହିତ ୮ଟି ଅଲଗା ଅଲଗା ଅଧ୍ୟାୟ ମଧ୍ୟ ସାମିଲ କରାଗଲା । ଆମେ ମୋଟାମୋଟି ପରୀକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଖାଦ୍ୟପେୟ ଭଳି ବିଷୟରେ ମଧ୍ୟ ଚର୍ଚ୍ଚା କଲୁ । ଗତବର୍ଷ ଟପରମାନେ ମଧ୍ୟ ନିଜ ନିଜର ବିଚାର ଏବଂ ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିଥିଲେ । ଅନେକ ଯୁବକ ତାଙ୍କର ବାପା-ମାଆ ଏବଂ ଶିକ୍ଷକମାନେ ମଧ୍ୟ ଏ ବିଷୟରେ ମୋତେ ପତ୍ର ଲେଖିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଫର୍ମାଟ ସେମାନଙ୍କୁ ବହୁତ ଭଲ ଲାଗିଲା, କାରଣ ଏଥିରେ ସବୁ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା। ଇନଷ୍ଟାଗ୍ରାମରେ ମଧ୍ୟ ଆମର ଯୁବବନ୍ଧୁମାନେ ଏହି ଅଧ୍ୟାୟଗୁଡ଼ିକୁ ବହୁସଂଖ୍ୟାରେ ଦେଖିଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଆୟୋଜିତ ହେବା ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ବହୁତ ପସନ୍ଦ ହୋଇଛି । ମୋର ଯେଉଁ ଯୁବବନ୍ଧୁମାନେ ‘ପରୀକ୍ଷା ପେ ଚର୍ଚ୍ଚା’ର ଏହି ଅଧ୍ୟାୟଗୁଡ଼ିକୁ ଏଯାଏଁ ଦେଖିପାରିନାହାନ୍ତି ସେମାନେ ଏହାକୁ ନିଶ୍ଚିତ ଦେଖନ୍ତୁ। ଏହିସବୁ ଅଧ୍ୟାୟଗୁଡ଼ିକ NamoAppରେ ମଧ୍ୟ ଉପଲବ୍ଧ । ଆମ Exam Warriors ମାନଙ୍କୁ ପୁଣିଥରେ ମୋର ସନ୍ଦେଶ ହେଉଛି “Be happy and stress free”.

Mann Ki Baat narendra modi ନରେନ୍ଦ୍ର ମୋଦୀ ମନ୍ କି ବାତ୍ ରେଡ଼ିଓ ଅଭିଭାଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.