କଂଗ୍ରେସକୁ ସୁଦୃଢ କରିବା ପାଇଁ ଜିଲ୍ଲା ସଭାପତି ତଥା ନେତୃବୃନ୍ଦଙ୍କ ସହିତ ଆଲୋଚନା କଲେ ନୂଆ ପ୍ରଭାରୀ

Published: Feb 24, 2025, 1:45 pm IST
congress

ଭୁବନେଶ୍ୱର: ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ସହ ପ୍ରଭାରୀ ଶାହାନାଜ୍ ଚୌଧୁରୀ ଓ ରୋଜାନିଲ୍ ତିର୍କୀ, ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ୍ ପ୍ରମୁଖ ୨୦ଟି ଜିଲ୍ଲାର ସଭାପତି, ବରିଷ୍ଠ ନେତୃବର୍ଗ, ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର ଅଧିକାରୀ ତଥା ଗତ ନିର୍ବାଚନରେ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ଓ ଲୋକସଭାର ପ୍ରାର୍ଥୀ ସହିତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସଙ୍କ ସହିତ କିଭଳି ଭାବେ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ ଓ ମଜଭୁତ କରାଯିବ ସେଥିପାଇଁ ସମସ୍ତଙ୍କ ପାଖରୁ ଖୋଲା ମନ ଓ ହୃଦୟରେ ତଥ୍ୟ ସଂଗ୍ରହ କରିଲେ।

ଜିଲ୍ଲାର ନେତୃବର୍ଗଙ୍କୁ ଶ୍ରୀ ଲଲ୍ଲୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଲୋକଙ୍କ ସହିତ, ଲୋକଙ୍କ ପାଇଁ ଓ ରାଜ୍ୟର ସ୍ୱାର୍ଥ ପାଇଁ କଂଗ୍ରେସ ନେତୃବର୍ଗ ସବୁବେଳେ ଲଢ଼ିବା ଉଚିତ୍। ଓଡ଼ିଶାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏ ଶୂନ୍ୟସ୍ଥାନକୁ କଂଗ୍ରେସ ହିଁ କେବଳ ପୂରଣ କରିପାରିବ । ପୂର୍ବରୁ କଂଗ୍ରେସ ସରକାର ସମୟରେ ସବୁକ୍ଷେତ୍ରରେ ବିକାଶ ହୋଇଥିଲା। ଏପରିକି ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଶିଳ୍ପ ଓ କୃଷିକ୍ଷେତ୍ରରେ ବହୁ ପ୍ରଗତି ହୋଇଥିଲା।

ଓଡ଼ିଶାର ଜନସାଧାରଣ କଂଗ୍ରେସର ସରକାର ଦେଖିବାକୁ ଚାହୁଁଛନ୍ତି। ତେଣୁ ପ୍ରତ୍ୟେକ କଂଗ୍ରେସ କର୍ମୀ ନିଷ୍ଠାପର ଭାବରେ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିକୋଣରୁ କାମ କରିବାକୁ ପଡ଼ିବ । ରାଜ୍ୟର ପ୍ରଗତି କଂଗ୍ରେସର ଏକମାତ୍ର କାମ୍ୟ। ଡବଲ ଇଞ୍ଜିନ ସରକାର ଆସୁ ଆସୁ ଡବଲ ଦୁର୍ନିତି କରିସାରିଲାଣି। ଏହାର ପର୍ଦ୍ଦାଫାସ କରାଯିବ। ଏ ରାଜ୍ୟରେ ଆଦିବାସୀ ଓ ଦଳିତ ପରିବାରର ମହିଳାମାନେ ଆଦୌ ସୁରକ୍ଷିତ ନୁହଁନ୍ତି। ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବଳ କଲମ, କାଗଜରେ ରହିଛି। ଆସନ୍ତା ଦିନରେ କଂଗ୍ରେସ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀରେ ଡବଲ ଇଞ୍ଜିନ ସରକାର, ଦୁର୍ନିତ, ଅପରାଗତା ଓ ଲୁଟ୍ ବିରୁଦ୍ଧରେ ଲଢ଼େଇ କରିବ।

ଆଜିର କାର୍ଯ୍ୟକ୍ରମରେ କଟକ, କଟକ ନଗର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା, ମୟୁରଭଞ୍ଜ (ପୂର୍ବ), ମୟୁରଭଞ୍ଜ (ପଶ୍ଚିମ), ବଲଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା, ଯାଜପୁର, କେନ୍ଦ୍ରାପଡ଼ା, ଦେଓଗଡ଼ ଓ କେନ୍ଦୁଝର ପ୍ରମୁଖ ଜିଲ୍ଲାର ଜିଲ୍ଲାର ସଭାପତି, ବରିଷ୍ଠ ନେତୃବୃନ୍ଦମାନେ ଯୋଗ ଦେଇଥିଲେ ।

Related posts