
ଭୁବନେଶ୍ବର: ବହୁଦିନ ପରେ ସାହିତ୍ୟ ଓ ସଂଗୀତ ଏକାଡେମୀର ସଚିବ ପଦ ପୂରଣ କରାଯାଇଛି। ଏହି ପଦବୀରେ ପୋଲିସ ଅଫିସର ତଥା ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଭାବେ କାର୍ଯ୍ୟ କରିବେ।
ତେବେ ସଂଗୀତ ନାଟକ ଏକାଡେମୀର ସଚିବ ଭାବେ ଜଣଙ୍କୁ ନିଯୁକ୍ତି ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବେ। ତାଙ୍କର ନିଯୁକ୍ତି ନେଇ ଆଜି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚନ୍ଦ୍ରଶେଖର ହୋତାଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସ୍ବାଗତ କରାଯାଇଛି।
ସେ ୨୦୦୭ ମସିହାରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ନିଜର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ସେ ନିଜର ପ୍ରବନ୍ଧ ସଂକଳନ ‘ଚେତନାର ଅନ୍ବେଷଣ’ ପାଇଁ ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ସେ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାଯାଇଛି।